Below header

କ୍ୟାଟ୍ରିନାଙ୍କ ହାତରେ ଶୋଭା ପାଇବ ବିଶ୍ୱ ପ୍ରସିଦ୍ଧ ମେହେନ୍ଦୀ, ସୋଜତରୁ ଅର୍ଡର କରାଗଲା ହିନାର ୪୦୦ କୋନ୍‌

ରାଜସ୍ଥାନର ପାଲୀ ଜିଲାର ବିଶ୍ୱ ପ୍ରସିଦ୍ଧ ସୋଜତ ମେହେନ୍ଦୀ ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କ ହାତରେ ଶୋଭା ପାଇବ। ସୋଜତର ଜଣେ ମେହେନ୍ଦୀ ବ୍ୟବସାୟୀଙ୍କୁ ଏହାର ଅର୍ଡର ମିଳି ଯାଇଛି ଏବଂ ସେମାନେ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ଏଥି ପୂର୍ବରୁ ଏହି ମେହେନ୍ଦୀ ଐଶ୍ୱର୍ଯ୍ୟା ରାୟ, ପ୍ରିୟଙ୍କା ଚୋପ୍ରାଙ୍କ ସମେତ କେତେଜଣ ବଡ଼ ବଡ଼ ସେଲିବ୍ରିଟି ଏବଂ ଉଦ୍ଦ୍ୟୋଗପତିଙ୍କ ଝିଅମାନଙ୍କ ହାତରେ ଶୋଭା ପାଇ ସାରିଛି। ଖୁବ୍‌ ଜଲ୍‌ଦି କ୍ୟାଟ୍ରିନା କୈଫ୍‌ ଓ ଭିକି କୌଶଲ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ରାଜସ୍ଥାନର ସବାଇ ମାଧୋପୁରସ୍ଥିତ ସିକ୍ସ ସେନ୍ସ ବରଓ୍ଵାଡା ଫୋର୍ଟ ହୋଟେଲରେ ଏହାର ପ୍ରସ୍ତୁତି ଜୋର୍‌ସୋରରେ ଆଗେଇ ଚାଲିଛି।

ରିପୋର୍ଟ ମୁତାବକ, ସୋଜତର ଜଣାଶୁଣା ମେହେନ୍ଦୀ ବ୍ୟବସାୟୀ ନିତେଶ ଅଗ୍ରଓ୍ଵାଲଙ୍କ କମ୍ପାନୀ ନ୍ୟାଚୁରାଲ ହର୍ବାଲକୁ ଏହି ଅର୍ଡର ମିଳିଛି। କ୍ୟାଟ୍ରିନାଙ୍କ ପାଇଁ ଖାସ୍‌ କରି ୨୦ କିଲୋ ମେହେନ୍ଦୀ ତଥା ୪୦୦ ହିନା ନ୍ୟାଚୁରାଲ କୋନ୍‌ ଏହିଠାରୁ ହିଁ ପଠାଯିବ। ନିତେଶ କହିଛନ୍ତି କି, ୨୫ ଅକ୍ଟୋବରରେ ପ୍ରଥମ ଏବଂ ୧୦ ନଭେମ୍ବରରେ ଦ୍ୱିତୀୟ ନମୁନା ପଠାଇ ଥିଲୁ, ଯାହାକୁ ପସନ୍ଦ କରାଯାଇଛି। ଏବେ ୧ ଡିସେମ୍ବର ସୁଦ୍ଧା ଅର୍ଡର ହୋଇଥିବା ମେହେନ୍ଦୀକୁ ଜୟପୁର ପଠାଯିବ। ସ୍ୱତନ୍ତ୍ର ଭାବେ ଏହାକୁ ପ୍ରସ୍ତୁତ କରାଯାଇଛି। କହି ରଖୁଛୁ, ରାଜସ୍ଥାନର ଯୋଧପୁର, ଜୟପୁର, ଉଦୟପୁର, ସବାଇ ମାଧୋପୁର ଓ ଜୈସଲମେରରେ ହେଉଥିବା ବିଭିନ୍ନ ରାଜକୀୟ ବିବାହରେ ଏହି ମେହେନ୍ଦୀର ଅର୍ଡର ଦିଆଯାଇଥାଏ।

୧୦୦ରୁ ଅଧିକ ଦେଶକୁ ସପ୍ଲାଏ

ସୋଜତର ମାଟିରେ ତମ୍ବା ଅଂଶ ରହିଛି, ଯାହାକି ଖାସ୍‌ ଲୋବସୋନିୟା ଇଣ୍ଟରମିସ୍‌ ପଦାର୍ଥରୁ ତିଆରି। ଏହାଦ୍ୱାରା ମେହେନ୍ଦୀର କ୍ୱାଲିଟି ବହୁତ ଭଲ ରହିଥାଏ ଏବଂ ହାତରେ ମଧ୍ୟ ବଢ଼ିଆ ରଙ୍ଗ ଆଣିଥାଏ। ଦେଶର ବିଭିନ୍ନ ରାଜ୍ୟ ସହ ୧୦୦ରୁ ଅଧିକ ଦେଶକୁ ସୋଜତର ମେହେନ୍ଦୀ ସପ୍ଲାଏ କରାଯାଇଥାଏ। ସୋଜତରେ ଭାରତର ସବୁଠାରୁ ବଡ଼ ମେହେନ୍ଦୀ ମଣ୍ଡି ରହିଛି। ଏଠାକାର ମେହେନ୍ଦୀ ସାରା ବିଶ୍ୱରେ ‘ରାଜସ୍ଥାନୀ ହିନା’ ନାଁରେ ଲୋକପ୍ରିୟ। କେବଳ ହାତ ନୁହେଁ, ଏହା କେଶ ପାଇଁ ମଧ୍ୟ ଭଲ ପ୍ରାକୃତିକ କଣ୍ଡିସନର ହୋଇଥାଏ।

କହି ରଖୁଛୁ କି, ୭ରୁ ୯ ଡିସେମ୍ବର ମଧ୍ୟରେ କ୍ୟାଟ୍ରିନା ଓ ଭିକିଙ୍କ ବିବାହ ସମାରୋହ ଆୟୋଜନ ହେବାର ଅଛି। ଏଥିପାଇଁ ହୋଟେଲ ବୁକିଂ ମଧ୍ୟ ସରି ଯାଇଛି। ବାସ୍, କେବଳ ଔପଚାରିକ ଘୋଷଣା ବାକି ଅଛି। ହୋଟେଲ କର୍ତ୍ତୃପକ୍ଷ ବି ଏହି ଭିଆଇପି ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ହୋଟେଲ ମ୍ୟାନେଜମେଣ୍ଟ ସୂତ୍ରରୁ ମିଳିଥିବା ଖବର ମୁତାବକ, ବିବାହ ପାଇଁ ବୁକିଂ କନଫର୍ମ ହୋଇ ଯାଇଛି। ଯଦିଓ କେଉଁ ଦିନ କେଉଁ ପ୍ରୋଗ୍ରାମ ହେବ, ସେ ନେଇ କୌଣସି ସୂଚନା ଏ ପର୍ଯ୍ୟନ୍ତ ମିଳିପାରି ନାହିଁ। ବିବାହର ମୁଖ୍ୟ କାର୍ଯ୍ୟକ୍ରମ ଜନାନା ମହଲରେ ହେବ। ବିବାହ ସମାରୋହରେ ସୁରକ୍ଷାର ସମ୍ପୂର୍ଣ୍ଣ ଦାୟିତ୍ୱ ବ୍ୟକ୍ତିଗତ ସୁରକ୍ଷା ଗାର୍ଡ ସମ୍ଭାଳିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.