ଜୋତା ତଳେ, କପଡ଼ା ପରସ୍ତରେ ଲୁଚାଇଥିଲେ ୧୪ କିଲୋ ସୁନା! ହାଇଦ୍ରାବାଦ ବିମାନବନ୍ଦରରେ ଏମିତି ଧରାପଡ଼ିଲେ ୨୩ ମହିଳା ଯାତ୍ରୀ
ହାଇଦ୍ରାବାଦ ଏୟାରପୋର୍ଟରେ ଜବତ ହୋଇଛି ୧୪ କିଲୋଗ୍ରାମରୁ ଅଧିକ ସୁନା। ଇଣ୍ଟେଲିଜେନ୍ସ ୟୁନିଟ୍ ୨୩ ସୁଡାନ୍ ମହିଳା ଯାତ୍ରୀଙ୍କଠାରୁ ୭.୮୯ କୋଟି ଟଙ୍କା ମୂଲ୍ୟର ସୁନା ଜବତ କରିଛି। ଯାତ୍ରୀମାନେ ନିଜ କପଡ଼ାର ବିଭିନ୍ନ ଜାଗାରେ ସୁନା ଲୁଚାଇ ନେଇଯାଉଥିଲେ।
ହାଇଦ୍ରାବାଦ ବିମାନବନ୍ଦରରେ ୨୩ ମହିଳା ଯାତ୍ରୀଙ୍କଠାରୁ ୭.୮୯ କୋଟିର ସୁନା ଜବତ କରାଯାଇଛି। କୁହାଯାଉଛି କି, ସୁଡାନର ଏହି ମହିଳା ଯାତ୍ରୀମାନଙ୍କଠାରୁ ମୋଟ ୧୪.୯ କିଲୋଗ୍ରାମ ସୁନା ଜବତ ହୋଇଛି। ଅଧିକାରୀଙ୍କ ମୁତାବକ, ହାଇଦ୍ରାବାଦ ସୀମା ଶୁଳ୍କ ବିଭାଗ ପକ୍ଷରୁ ଗତ କିଛିଦିନ ହେବ ବିମାନବନ୍ଦରରେ ଚଢ଼ାଉ ଜାରି ରହିଛି। ବିଭାଗ ଦ୍ୱାରା ଏହା ହେଉଛି ସବୁଠାରୁ ବଡ଼ ସୁନା ଜବତ।
ଗୁଇନ୍ଦା ସୂଚନା ଆଧାରରେ ହାଇଦ୍ରାବାଦ ସୀମା ଶୁଳ୍କର ଏୟାର ଇଣ୍ଟେଲିଜେନ୍ସ ୟୁନିଟ୍ ବିମାନବନ୍ଦର ଉପରେ ଚଢ଼ାଉ କରିଥିଲା। ବିଭାଗ ସୂଚନା ଦେଇଛି ଯେ ଏହି ୨୩ ଜଣ ମହିଳା ସୁନାକୁ ଜୋତା, ପାଦ ଏବଂ କପଡ଼ା ଭିତରେ ଲୁଚାଇ ରଖିଥିଲେ। ମହିଳାମାନେ ଶାରଜାହ ରାସ୍ତାରେ ସୁଡାନରୁ ଭାରତ ପହଞ୍ଚିଥିଲେ।
ଯାଞ୍ଚକାରୀ ଦଳ ଜିନିଷପତ୍ର ସହ ଯାତ୍ରୀମାନଙ୍କୁ ତନ୍ନ ତନ୍ନ କରି ଯାଞ୍ଚ କରିବା ପରେ ୧୪.୯ କିଲୋଗ୍ରାମ ସୁନା ଜବତ କରିଥିଲେ। ସୀମା ଶୁଳ୍କ ଅଧିକାରୀମାନେ କହିଛନ୍ତି ଯେ ସେମାନଙ୍କ ମଧ୍ୟରୁ ୪ ଜଣ ଯାତ୍ରୀଙ୍କୁ ଗିରଫ କରାଯାଇଛି। ଏହି ମାମଲାର ତଦନ୍ତ ଚାଲିଛି। କାରବାରରେ ସମ୍ପୃକ୍ତ ଅନ୍ୟମାନଙ୍କ ବିଷୟରେ ପତ୍ତା ଲଗାଇବାକୁ ଚେଷ୍ଟା ଚାଲିଛି। ତେବେ ବର୍ତ୍ତମାନ ଏଭଳି ସ୍ତରର ସୁନା ଚାଲାଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।