Below header

ଅବ୍‌ କି ବାର୍‌ ଫିର୍‌ ଆପ୍‌ ସରକାର, ଦିଲ୍ଲୀବାସୀଙ୍କ ଦିଲ୍‌ ଜିତିଲେ କେଜରିଓ୍ଵାଲ୍‌

କେଜ୍ରି କ୍ରେଜ୍‌ ଆଗରେ ଫେଲ୍‌ ମାରିଲା ମୋଦି ମ୍ୟାଜିକ୍‌ । ଦିଲ୍ଲୀ ବିଧାନସଭା ନିର୍ବାଚନ ଜିତିଲା ଆମ୍‌ ଆଦମୀ ପାର୍ଟି । ଏକାକୀ ବହୁମତ ହାସଲ କରିଛି । ୬୩ଟି ଆସନରେ ଆପ୍‌ ବିଜୟୀ ହୋଇଥିବା ବେଳେ ମାତ୍ର ୭ଟି ଆସନରେ ଜିତିଛି ବିଜେପି । ପୁଣି ଥରେ ଖାତା ଖୋଲି ପାରିନି କଂଗ୍ରେସ । ଅରବିନ୍ଦ କେଜରିଓ୍ଵାଲ କହିଛନ୍ତି, ଏହା ଦିଲ୍ଲୀବାସୀଙ୍କ ବିଜୟ । ଗତଥର ଅପେକ୍ଷା ଆପ୍‌ର ଭୋଟ୍‌ ହାର ୧ ପ୍ରତିଶତ ଖସିଛି । ବିଜେପିର ଭୋଟ ହାର ୬ ପ୍ରତିଶତ ବଢ଼ିଥିଲେ ବି ଦୁଇ ଅଙ୍କ ସିଟ୍‌ ଛୁଇଁ ପାରିଲା ନାହିଁ । ୨୦୧୯ ଲୋକସଭା ତୁଳନତାରେ ବିଜେପିର ଭୋଟ ହାର ୧୮ ପ୍ରତିଶତ କମ୍‌ । ଆପ୍‌ର ୩୫ ପ୍ରତିଶତ ବଢ଼ିଛି ।

ଅବ୍‌ କି ବାର୍‌ ଫିର୍‌ ଆପ୍‌ ସରକାର । ଦିଲ୍ଲୀ ବାଜି ଜିତିଲା ଆମ୍‌ ଆଦମୀ ପାର୍ଟି । ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବରେ ଉଭା ହୋଇଛି । ବିଜୟ ପରେ ସେଲିବ୍ରେସନ୍‌ । ଫୁଟୁଛି ବାଣ, ବାଜା ବାଜୁଛି । ନାଚ ଗୀତ ତାଳେ ତାଳେ ମିଠା ଖୁଆଇ ବିଜୟ ଉତ୍ସବ ମନାଉଛନ୍ତି ନେତା ଓ କର୍ମୀ ଖୁସ୍‌ । ପୁଣି ଥରେ ଦିଲ୍ଲୀ ବାସୀଙ୍କ ଦିଲ୍‌ ଜିତିଛନ୍ତି କେଜରିଓ୍ଵାଲ୍‌ । ତୃତୀୟ ଥର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଚୌକିରେ ବସିବେ । ବିଜୟ ପରେ କେଜରିଓ୍ଵାଲ କହିଛନ୍ତି, ‘ଏହା ଦିଲ୍ଲୀବାସୀଙ୍କ ବିଜୟ, ସାରା ଦେଶର ବିଜୟ’ ।

୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଫେଲ୍‌ ମାରିଲା ମୋଦି କେମିଷ୍ଟ୍ରି । ଏଥର ବିଜେପିର ଭୋଟ୍‌ ହାର ବଢ଼ିଥିଲେ ବି ଅଧିକ ସିଟ୍‌ ହାତେଇ ପାରିଲାନି ଦଳ । ମିଳିଛି ୩୮ ଦଶମିକ ୮ ପ୍ରତିଶତ ଭୋଟ୍‌ । ଗତଥର ଅପେକ୍ଷା ୬ ଦଶମିକ ୬ ପ୍ରତିଶତ ଅଧିକ । ୨୦୧୫ରେ ବିଜେପି ଖାତାରେ ୩୨ ଦଶମିକ ୨ ପ୍ରତିଶତ ଭୋଟ୍‌ ପଡ଼ିଥିଲା । ଏଥର ଆପ୍‌ର ଭୋଟ ହାର ପାଖାପାଖି ୧ ପ୍ରତିଶତ ଖସିଛି । ଏଥର ଭୋଟ ହାର ରହିଛି ୫୩ ଦଶମିକ ୫ ପ୍ରତିଶତ । ୨୦୧୫ରେ ମିଳିଥିଲା ୫୪ ଦଶମିକ ୩ ପ୍ରତିଶତ ଭୋଟ୍‌ । ଦିଲ୍ଲୀରେ ପୁଣି ଥରେ ମୂଳପୋଛ ହୋଇଛି କଂଗ୍ରେସ । ବହୁ ଆସନରେ ଦଳ ଅମାନତ ହରାଇଛି । ପ୍ରାର୍ଥୀ ୧୫ ପ୍ରତିଶତରୁ କମ୍‌ ଭୋଟ୍‌ ପାଇଛନ୍ତି ।

୨୦୧୯ ଲୋକସଭା ନିର୍ବାଚନରେ ଦିଲ୍ଲୀର ସମସ୍ତ ୭ଟି ଆସନ ଫୋଛି ନେଇଥିଲା ବିଜେପି । ଦଳକୁ ମିଳିଥିଲା ୫୬ ଦଶମିକ ୯ ପ୍ରତିଶତ ଭୋଟ୍‌ । ଦିଲ୍ଲୀର ୬୫ଟି ବିଧାନସଭା କ୍ଷେତ୍ରରେ ଆଗରେ ଥିଲା ବିଜେପି । ବର୍ଷେ ଭିତରେ ଖସିଗଲା ଭୋଟ୍‌ ହାର । ବିଧାନସଭା ନିର୍ବାଚନରେ ପାଖାପାଖି ୧୮ ପ୍ରତିଶତ କମ୍‌ ଭୋଟା ପାଇଛି ବିଜେପି । ଲୋକସଭା ନିର୍ବାଚନରେ କଂଗ୍ରେସକୁ ୨୨ ଦଶମିକ ୬ ପ୍ରତିଶତ ଓ ଆପ୍‌କୁ ୧୮ ଦଶମିକ ୨ ପ୍ରତିଶତ ଭୋଟ୍‌ ମିଳିଥିଲା । ତୃତୀୟ ସ୍ଥାନରେ ଥିବା ଆପ୍‌ ଦିଲ୍ଲୀ ଭୋଟରଙ୍କ ବିଶ୍ୱାସଭାଜନ ହୋଇଛି । ଲୋକସଭା ତୁଳନାରେ ବିଧାନସଭା ନିର୍ବାଚନରେ ଦଳର ଭୋଟ ହାର ବଢିଛି ପାଖାପାଖି ୩୫ ପ୍ରତିଶତ । ଦିଲ୍ଲୀରେ ଆପ୍‌ ଯାଦୁ କାମ କରିଥିବା ବେଳେ ଅତୁଟ ରହିଛି କେଜରିଓ୍ଵାଲଙ୍କ କ୍ରେଜ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.