ଅଗ୍ନିଶମ ଓ ହୋମଗାର୍ଡ଼ ବିଭାଗ ଦାୟିତ୍ୱ ନ ନେଇ ଚାକିରିରୁ ଇସ୍ତଫା ଦେଲେ ଆଲୋକ ବର୍ମା

ନୂଆଦିଲ୍ଲୀ : ସରୁନି ସିବିଆଇ ହାଇଡ୍ରାମା । ସିନେମାରେ ଗୋଟିଏ ପରେ ଗୋଟିଏ ଦୃଶ୍ୟ ବଦଳିଲା ଭଳି ବଦଳି ଯାଉଛି ଘଟଣା । ଆଜି ଶେଷରେ ଚାକିରିରୁ ଇସ୍ତଫା ଦେଇଛନ୍ତି ସିବିଆଇ ମୁଖ୍ୟ ଆଲୋକ ବର୍ମା । ତାଙ୍କୁ ସରକାର ସିବିଆଇରୁ ଅଗ୍ନିଶମ ଓ ହୋମଗାର୍ଡ଼ ବିଭାଗ ଡିଜି ଭାବେ ବଦଳି କରିଥିଲେ । ହେଲେ ଏହାକୁ ଗ୍ରହଣ ନକରି ସିବିଆଇ ମୁଖ୍ୟ ପଦବି ଛାଡ଼ିଛନ୍ତି ବର୍ମା । ଆଲୋକ ବର୍ମା କହିଛନ୍ତି, ତାଙ୍କ ପ୍ରତି ନ୍ୟାୟ ହୋଇ ନାହିଁ। ତାଙ୍କୁ ପଦରୁ ହଟାଇବା ପାଇଁ ସବୁ ତଥ୍ୟ ଏପାଖ ସେପାଖ କରାଗଲା। ସ୍ପଷ୍ଟୀକରଣ ରଖିବାର ସୁଯୋଗ ମଧ୍ୟ ଦିଆଗଲା ନାହିଁ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କମିଟି ବୈଠକରେ ଗତକାଲି ତାଙ୍କୁ ସିବିଆଇ ନିର୍ଦ୍ଦେଶକ ପଦରୁ ହଟାଯାଇ ଫାୟାର ସର୍ଭିସ ଡିଜି ଭାବେ ସରକାର ତାଙ୍କୁ ବଦଳି କରିଥିଲେ। ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶ ପରେ ଗତ ୮ ତାରିଖ ଦିନ ସିବିଆଇ ମୁଖ୍ୟ ପଦବିରେ ପୁନଃ ଅବସ୍ଥାପିତ ହୋଇଥିଲେ ବର୍ମା । ତେବେ ୪୮ ଘଣ୍ଟା ନପୂରୁଣୁ ଗତକାଲି ତାଙ୍କୁ ଏଠାରୁ ହଟାଇ ଅଗ୍ନିଶମ ବିଭାଗକୁ ପଠା ଯାଇଥିଲା । ଏପଟେ ସେହି ୪୮ ଘଣ୍ଟା ଭିତରେ ଆଲୋକ ବର୍ମା ତାଙ୍କ ଅନୁପସ୍ଥିତିରେ କରାଯାଇଥିବା ସବୁ ବଦଳିକୁ ବନ୍ଦ କରି ଦେଇଥିଲେ । ଆଉ ଆଜି ତାଙ୍କ ଜାଗାରେ ସିବିଆଇ ନିର୍ଦ୍ଦେଶକ ଭାବେ ମଧ୍ୟବର୍ତ୍ତୀ ଦାୟିତ୍ୱ ତୁଲାଉଥିବା ଏମ୍. ନାଗେଶ୍ୱର ରାଓ ଏହି ପ୍ରକ୍ରିୟାକୁ ବନ୍ଦ କରି ଦେଇଛନ୍ତି ।
ପରିସ୍ଥିତି କାହିଁକି ଉପୁଜିଲା
ସିବିଆଇ ନିର୍ଦ୍ଦେଶକ ଥିବା ବେଳେ ଆଲୋକ ବର୍ମା ଓ ସ୍ୱତନ୍ତ୍ର ନିର୍ଦ୍ଦେଶକ ଥିବା ରାକେଶ ଅସ୍ଥାନା ପରସ୍ପର ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିଲେ। ଏହାପରେ ଗତବର୍ଷ ଅକ୍ଟୋବର ୨୩ରେ ସିଭିସି ସୁପାରିଶରେ କେନ୍ଦ୍ର ସରାକର ରାତି ଅଧିଆ ନିଷ୍ପତ୍ତି ନେଲେ । ଆଲୋକ ବର୍ମା ଓ ରାକେଶ ଅସ୍ଥାନାଙ୍କୁ ଛୁଟିରେ ପଠାଯାଇଥିଲା। କେନ୍ଦ୍ର ସରକାରଙ୍କ ଛୁଟିରେ ପଠାଇବା ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲେ ଆଲୋକ ବର୍ମା। କୋର୍ଟ କହିଥିଲେ, ଆଲୋକ ବର୍ମାଙ୍କୁ ଛୁଟିରେ ପଠାଇବା ମାମଲାରେ ପୂରା ପ୍ରକ୍ରିୟା ପାଳନ କରାଯାଇ ନାହିଁ।
ତେଣୁ ଏହି ନିଷ୍ପତ୍ତିକୁ ରଦ୍ଦ କରିଥିଲେ ସୁପ୍ରିମକୋର୍ଟ। ଏହା ସହ ମାମଲାକୁ ସିଲେକସନ୍ କମିଟିକୁ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ। କହିଥିଲେ, ସିବିଆଇ ନିର୍ଦ୍ଦେଶକଙ୍କୁ ଛୁଟିରେ ପଠାଇବା କିମ୍ବା ତାଙ୍କୁ ହଟାଇବା ନିଷ୍ପତ୍ତି କେବଳ କମିଟି ହିଁ ନେଇ ପାରିବ । ଏହା ସହ ସପ୍ତାହକ ମଧ୍ୟରେ ଆଲୋକ ବର୍ମାଙ୍କ ସମ୍ପର୍କରେ କମିଟି ନିଷ୍ପତ୍ତି ନେଉ ବୋଲି କହିଥିଲେ ସୁପ୍ରିମକୋର୍ଟ। ତେବେ ଦୁଇ ଦିନ ଭିତରେ କମିଟି ନିଷ୍ପତ୍ତି ନେଲା। ଆଉ ଆଲୋକ ବର୍ମା ପଦରୁ ହଟିଲେ। ସୁପ୍ରିମକୋର୍ଟଙ୍କ ରାୟ ପରେ, ୭୫ ଦିନରେ ଛୁଟିରେ ଥିବା ଆଲୋକ ବର୍ମା ଗତକାଲି କାର୍ଯ୍ୟରେ ଯୋଗ ଦେଇଥିଲେ । କିନ୍ତୁ ୪୮ ଘଣ୍ଟା ଭିତରେ ପଦରୁ ପୁଣି ହଟିଲେ ଏବଂ ନିଜ ସ୍ୱାଭିମାନ ଦୃଷ୍ଟିରୁ ଅଗ୍ନିଶମ ସେବା ବିଭାଗ ଦାୟିତ୍ୱ ନନେଇ ଚାକିରିରୁ ଇସ୍ତଫା ଦେଇଛନ୍ତି। ଏବେ ଦେଖିବାର କଥା ସିବିଆଇ ମହାଡ୍ରାମା ଆଗକୁ କି ମୋଡ଼ ନେଉଛି । ହେଲେ ବର୍ମା ଓ ଅସ୍ଥାନାଙ୍କ ଭଳି ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କ ଭିତରେ ଲଢ଼େଇ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲା । ସିବିଆଇର ମର୍ଯ୍ୟାଦା ହାନି ହେଲା । ପୁଣି ଏଥିରେ ଫସିଲେ କେନ୍ଦ୍ର ସରକାର ।