ଉତ୍ତମ କରୋନା ଯୋଦ୍ଧା : ଗୋନ୍ଦିଆରୁ ମୁମ୍ବାଇ ୧୧୦୦ କି.ମି ବାଇକ୍‌ରେ ଯାଇ କରିଥିଲେ କୋଭିଡ଼୍‍ ଡ଼୍ୟୁଟି

ମୁମ୍ବାଇ : ଦେବେନ୍ଦ୍ର କୁମାର ନନ୍ଦେଶ୍ୱର । ପେଶାରେ ଜଣେ ପ୍ରାଇମେରୀ ଶିକ୍ଷକ । ହେଲେ ଦେଶ ଭକ୍ତିରେ ଥିବା ତାଙ୍କ ନିଶା ତାଙ୍କୁ ଜଣେ ଉତ୍ତମ କରୋନା ଯୋଦ୍ଧା ଭାବେ ପ୍ରତିପାଦିତ କରିଛି । ନନ୍ଦେଶ୍ୱର, ବୟସ ୨୯ । ମୁମ୍ବାଇ ଭିର୍ଲେ ପାର୍ଲେ ହିନ୍ଦି ଏମ୍‌ସିଜିଏମ୍‌ ସ୍କୁଲର ଜଣେ ପ୍ରାଇମେରୀ ଶିକ୍ଷକ ।

ଲକଡାଉନ୍‌ ପୂର୍ବରୁ ସେ ନିଜ ଗାଁ ଗୋନ୍ଦିଆକୁ ଚାଲି ଆସିଥିଲେ । ହେଲେ ହଠାତ୍‌ ତାଙ୍କୁ ସ୍କୁଲରୁ କୋଭିଡ୍‌ ଡ୍ୟୁଟି ପାଇଁ ଡକରା ଆସିଲା । ଘରକୁ ଚାଲି ଆସିଥିବାରୁ କେମିତି ଯିବେ ବୋଲି ଚିନ୍ତା କରି ଶେଷରେ ନିଜର ବାଇକ୍‌ ଧରି ଗୋନ୍ଦିଆରୁ ମୁମ୍ବାଇ ବାହାରିଲେ ।

ଦୀର୍ଘ ୧୧୦୦ କି.ମି ଯାତ୍ରା କରି ଡ୍ୟୁଟିରେ ରିପୋର୍ଟ କଲେ । ଏଥିପାଇଁ ତାଙ୍କୁ ୩ ଦିନ ସମୟ ଲାଗିଥିଲା । ଲକ୍‌ଡାଉନ୍‌ ଯୋଗୁ ବାଟରେ ଖାଇବାକୁ ଘରୁ ଚୁଡା ଓ କିଛି ଶୁଖିଲା ଖାଦ୍ୟ ନେଇଥିଲେ ।

କର୍ତ୍ତବ୍ୟ ପ୍ରତି ତାଙ୍କର ଏହି ଉତ୍ସାହ ଓ ସମର୍ପଣ ଦେଖି ପ୍ରଶାସନିକ ଅଫିସର ନିଶାର ଖାନ୍‌ ଚକିତ ହୋଇଯାଇଥିଲେ । ତାଙ୍କୁ ତାଙ୍କର ଡ୍ୟୁଟିରେ ଅବସ୍ଥାପିତ କରିବା ସହ ତାଙ୍କର ରହିବା ଓ ଖାଇବାର ବ୍ୟବସ୍ଥା କରିଥିଲେ ।

ଲୋକେ କୋଭିଡ୍‌ ଡ୍ୟୁଟି ନ କରିବା ପାଇଁ କେତେ ବାହାନା କରୁଥିବା ବେଳେ ନନ୍ଦେଶ୍ୱରଙ୍କର ଏଭଳି ଉତ୍ସାହ ଅନେକଙ୍କ ଆଖି ଖୋଲିବ ବୋଲି । ଦେଶ ପ୍ରତି ତାଙ୍କର ଏହି ଉତ୍ସର୍ଗିକୃତ କାର୍ଯ୍ୟ ପାଇଁ ସେ ଲୋକ ଲୋଚନକୁ ଆସିବା ଦରକାର ବୋଲି ଶ୍ରୀ ଖାନ୍‌ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.