Below header

ବୋନସ ନଦେବାରୁ ମାଲିକକୁ ହତ୍ୟା, ମାଲିକଙ୍କୁ ମାରି ତାଙ୍କ କାର ନେଇ ଫେରାର ହେଲେ ଦୁଇ ଦୁବୃର୍ତ୍ତ

ସାମାନ୍ୟ ଦୀପାବଳି ବୋନସ ନ ମିଳିବାରୁ ନିଜ ମାଲିକକୁ ହତ୍ୟା କରିଛନ୍ତି ୨ କର୍ମଚାରୀ । ମହାରାଷ୍ଟ୍ରର ନାଗପୁରରେ ଶନିବାର ଦିନ ଦୀପାବଳି ବୋନସ ଦେବାକୁ ମନା କରିବାରୁ ଜଣେ ଢାବା ମାଲିକଙ୍କୁ ତାଙ୍କର ୨ କର୍ମଚାରୀ ପିଟି ପିଟି ମାରି ଦେଇଛନ୍ତି ।

ଦୀପାବଳିରେ ପ୍ରତ୍ୟକ କମ୍ପାନୀ ନିଜ କର୍ମଚାରୀଙ୍କୁ ବୋନସ ଦେଇଥାନ୍ତି । କିଛି କମ୍ପାନୀ ବୋନସରେ ନିଜ କର୍ମଚାରୀଙ୍କୁ ଟଙ୍କା ଦେଇଥାନ୍ତି ତ ଆଉ କିଛି କମ୍ପାନୀ ମିଠା ଦେଇଥାନ୍ତି । ନିକଟରେ ଏକ କମ୍ପାନୀ ବୋନସରେ ନିଜ କର୍ମଚାରୀଙ୍କୁ କାର ଦେଇଥିବା ତ ଆପଣ ମାନେ ଶୁଣିଥିବେ । ସେହିଭଳି ଏକ କମ୍ପାନୀ ନିଜ କର୍ମଚାରୀଙ୍କୁ ବୋନସରେ ବୁଲେଟ ଦେଇଥିଲା । କିନ୍ତୁ କିଛି କମ୍ପାନୀ ଏବଂ ହୋଟେଲ ଏଭଳି ଅଛନ୍ତି ଯେଉଁମାନେ ନିଜ କର୍ମଚାରୀଙ୍କୁ ବୋନସରେ କିଛି ବି ଦେଇନଥାନ୍ତି ।

ଯାହାକୁ ନେଇ କର୍ମଚାରୀମାନେ ମନ ଦୁଃଖ କରନ୍ତି । କିନ୍ତୁ ସାମାନ୍ୟ ଦୀପାବଳି ବୋନସ ପାଇଁ ଜଣେ କର୍ମଚାରୀ ନିଜ ମାଲିକକୁ ମାରିଦେଇଛି । କଥା ଟା ଆପଣଙ୍କୁ ହୁଏତ ବିଶ୍ୱାସ ହେଉ ନଥିବ କିନ୍ତୁ ଏଭଳି ଘଟଣା ସତରେ ଘଟିଛି । ସାମାନ୍ୟ ଦୀପାବଳି ବୋନସ ନ ମିଳିବାରୁ ନିଜ ମାଲିକ କୁ ହତ୍ୟା କରିଛନ୍ତି ୨ କର୍ମଚାରୀ ।

ମହାରାଷ୍ଟ୍ରର ନାଗପୁରରେ ଶନିବାର ଦିନ ଦୀପାବଳି ବୋନସ ଦେବାକୁ ମନା କରିବାରୁ ଜଣେ ଢାବା ମାଲିକଙ୍କୁ ତାଙ୍କର ୨ କର୍ମଚାରୀ ପିଟି ପିଟି ମାରି ଦେଇଛନ୍ତି । ପୋଲିସର ସୂଚନାନୁଯାୟୀ, ମୃତକର ପରିଚୟ ରାଜୁ ଢେଙ୍ଗରେ । ଶନିବାର ଦିନ ସକାଳେ ନାଗପୁର ଗ୍ରାମାଞ୍ଚଳର କୁହିଫାଟା ନିକଟ ଢାବାରେ ତାଙ୍କ କର୍ମଚାରୀମାନେ ଗଳାଚିପି, ଛୁରାମାଡ ଓ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ମଧ୍ୟପ୍ରଦେଶ ମଣ୍ଡଳରେ ରହୁଥିବା ଅଭିଯୁକ୍ତ ଛୋଟୁ ଏବଂ ଆଦି ଏବେ ବି ଫେରାର ଅଛନ୍ତି । ପୋଲିସ କହିଛି ଯେ ପ୍ରାୟ ଏକ ମାସ ପୂର୍ବରୁ ରାଜୁ ଢେଙ୍ଗରେ ମଧ୍ୟପ୍ରଦେଶ ରାଜ୍ୟ ବସଷ୍ଟାଣ୍ଡ ନିକଟରେ ଏକ ଶ୍ରମିକ କଣ୍ଟ୍ରାକ୍ଟର ମାଧ୍ୟମରେ ଏହି ଦୁଇ ଅଭିଯୁକ୍ତଙ୍କୁ ନିଯୁକ୍ତି ଦେଇଥିଲେ । ଦୀପାବଳିରେ ଟଙ୍କା ଏବଂ ବୋନସକୁ ନେଇ ରାତିରେ ଖାଇବା ସମୟରେ ଢେଙ୍ଗରେଙ୍କର ଅଭିଯୁକ୍ତ ଆଦି ଏବଂ ଛୋଟୁଙ୍କ ସହ ଯୁକ୍ତିତର୍କ ହୋଇଥିଲା ।

ଢେଙ୍ଗରେ ସେମାନଙ୍କୁ କିଛିଦିନ ପରେ ଟଙ୍କା ଦେବାକୁ ପ୍ରସ୍ତୁତ ଥିଲେ । ଏହା ପରେ ଢେଙ୍ଗରେ ଏକ ଖଟ ଉପରେ ଶୋଇଥିବା ସମୟରେ ଆଦି ଏବଂ ଛୋଟୁ ଦଉଡିରେ ଗଳାଚିପି ରାଜୁ ଢେଙ୍ଗରେଙ୍କର ହତ୍ୟା କରିଥିଲେ । ତା’ପରେ ଏକ ଅଜଣା ଅସ୍ତ୍ରରେ ତାଙ୍କ ମୁଣ୍ଡକୁ ମାରିଥିଲେ ଏବଂ ପରେ ଏକ ତୀକ୍ଷ୍ଣ ଅସ୍ତ୍ରରେ ତାଙ୍କ ମୁହଁ ଉପରେ ଆକ୍ରମଣ କରିଥିଲେ ।

ଅଭିଯୁକ୍ତ ଛୋଟୁ ଏବଂ ଆଦି, ରାଜୁ ଢେଙ୍ଗରେଙ୍କ ଶରୀରକୁ ଏକ କମ୍ବଳରେ ଘୋଡାଇ ଦେଇଥିଲେ । ଏହାପରେ ଢେଙ୍ଗରେଙ୍କ କାର ନେଇ ପଳାଇ ଯାଇଥିଲେ । କିନ୍ତୁ ଭିହିରଗ୍ରାମ ନିକଟ ନାଗପୁର-ଉମ୍ରେଡ ରୋଡରେ କାରଟି ଏକ ଡିଭାଇଡର ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହାଫଳରେ ଉଭୟ ଅଭିଯୁକ୍ତ ଏଥିରେ ଆହତ ହୋଇଥିଲେ । ଏହି ଘଟଣା ସିସିଟିଭି ଫୁଟେଜରେ କଏଦ ହୋଇଥିଲା ଯେଉଁଥିରେ ରାଜୁ ଓ ଆଦି କାରରୁ ବାହାରି ପଞ୍ଚଗାଓଁରୁ ନାଗପୁର ଆଡକୁ ଦୌଡିଥିବାର ନଜର ଆସିଥିଲେ । ସେ ଡିଗୋରିରୁ ଏକ ଇ-ରିକ୍ସା ନେଇଥିଲେ କିନ୍ତୁ ଏହା ପରେ ତାଙ୍କର ଗତିବିଧି ଚିହ୍ନଟ କରାଯାଇ ପାରିନାହିଁ ।

ଅନ୍ୟପକ୍ଷରେ, ଢେଙ୍ଗରେଙ୍କ ଝିଅ ତାଙ୍କ ବାପାଙ୍କୁ କଲ କରିଥିଲେ କିନ୍ତୁ କୌଣସି ଉତ୍ତର ମିଳି ନଥିଲା। ଅନେକ ଥର ଫୋନ୍ କରିବା ସତ୍ତ୍ୱେ ଯେତେବେଳେ ସେ କୌଣସି ଉତ୍ତର ପାଇନଥିଲେ, ସେ ଢାବା ନିକଟରେ ଅବସ୍ଥିତ ପାନ ଦୋକାନୀଙ୍କୁ କଲ କରିଥିଲେ । ଏହାପରେ ପାନ ଦୋକାନୀ ଢେଙ୍ଗରେଙ୍କୁ ଦେଖିବା ପାଇଁ ଢ଼ାବାରେ ପହଞ୍ଚିଥିଲେ । ସେଠାରେ ସେ ତାଙ୍କ ମୃତ ଦେହ ପାଇ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ ।

ସୂଚନାନୁସାରେ, ଭଲ ରାଜନୈତିକ ସମ୍ପର୍କ ସହ ଢେଙ୍ଗରେଙ୍କର ଭଲ ପ୍ରତିଷ୍ଠା ମଧ୍ୟ ଥିଲା ଏବଂ ତାଙ୍କୁ ବିଜେପିର ସମର୍ଥନ ପ୍ରାପ୍ତ ଥିଲା । ରିପୋର୍ଟ ଅନୁଯାୟୀ, ରାଜୁ ଢେଙ୍ଗରେ ସେହି ଗ୍ରାମର ପୂର୍ବତନ ସରପଞ୍ଚ ଥିଲେ । ତେଣୁ ରାଜନୈତିକ ପ୍ରତିଦ୍ବନ୍ଦିତା ଦିଗକୁ ନେଇ ମଧ୍ୟ ପୋଲିସ ଅନୁସନ୍ଧାନ କରୁଛି । ଏସିପି କହିଛନ୍ତି, ଏହି ମାମଲା ବିଭିନ୍ନ ଦିଗରୁ ଅନୁସନ୍ଧାନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.