Below header

ହରିୟାଣା ହିଂସା : ଦଙ୍ଗାକାରୀ ଜଳାଇଦେଲେ ମହିଳା ଜଜଙ୍କ କାର୍, ୩ ବର୍ଷର ଝିଅକୁ ଧରି ବସଷ୍ଟାଣ୍ଡରେ ଲୁଚି ଜୀବନ ବଞ୍ଚାଇଲେ

ହରିୟାଣା ନୁହରେ ସୋମବାର ଆରମ୍ଭ ହୋଇଥିବା ହିଂସାରେ ଜଣେ ମହିଳା ଜଜ୍‌ ଏବଂ ତାଙ୍କ ୩ ବର୍ଷର ଝିଅ ଅଳ୍ପକେ ରକ୍ଷା ପାଇଛନ୍ତି । ନିଜ ଜୀବନ ବଞ୍ଚାଇବା ପାଇଁ ବସଷ୍ଟାଣ୍ଡରେ ଲୁଚିଥିଲେ । ଦଙ୍ଗାକାରୀ ତାଙ୍କ କାରକୁ ନିଆଁ ଲାଗିଦେଇଥିଲେ ।

ହରିୟାଣା ନୁହରେ ସାଂପ୍ରଦାୟିକ ହିଂସା ବେଳେ ନୁହର ଜଣେ ମହିଳା ଜଜଙ୍କ ଗାଡିରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ସୌଭାଗ୍ୟବଶତଃ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବିଚାରପତି ଏବଂ ତାଙ୍କର ତିନି ବର୍ଷର ଝିଅ। ଥାନାରେ ଅଭିଯୋଗ ପରେ ଏହି ଘଟଣା ସାମ୍ନାକୁ ଆସିଛି ।

ନୁହ ନଗର ଥାନାରେ ମଙ୍ଗଳବାର ଅଭିଯୋଗ ଅନୁସାରେ, ସାଂପ୍ରଦାୟିକ ହିଂସାରେ ଅତିରିକ୍ତ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ(ACJM) ଅଞ୍ଚଳି ଜୈନଙ୍କ କାର୍ ଉପରକୁ ଆକ୍ରମଣ କରିଥିଲେ ବିକ୍ଷୋଭକାରୀ। କାରରେ ତାଙ୍କ ୩ ବର୍ଷର ଝିଅ ଥିବାବେଳେ ଗାଡି ଉପରକୁ ଗୁଳିଚାଳନା କରାଯାଇଥିଲା। ସେମାନେ ଭୟରେ ନିକଟରେ ଥିବା ଏକ ବସ୍ ଷ୍ଟାଣ୍ଡରେ ଥିବା ଓ୍ଵାର୍କସପରେ ଲୁଚି ଯାଇଥିଲେ। ପରବର୍ତ୍ତୀ ସମୟରେ କିଛି ଆଇନଜୀବୀମାନେ ଆସି ତାଙ୍କୁ ଉଦ୍ଧାର କରିଥିଲେ।

ଅଭିଯୋଗ ମୁତାବକ, ସେମବାର ଦିନ ୧ଟାରେ ୩ ବର୍ଷର ଝିଅ ସହିତ କାରରେ ଔଷଧ ଆଣିବାକୁ ଯାଇଥିଲେ । ଫେରୁଥିବା ବେଳେ ଦିଲ୍ଲୀ-ଅଲବର ରୋଡର ପୁରୁଣା ବସଷ୍ଟାଣ୍ଡ ପାଖରେ ପାଖାପାଖି ୧୦୦ରୁ ୧୫୦ ଦଙ୍ଗାକାରୀ ଆକ୍ରମଣ କରିଥିଲେ । ତାଙ୍କ ଉପରକୁ ପଥରମାଡ ହୋଇଥିଲା । ତା’ ପରେ ଗୁଳି ଚାଳନା ହୋଇଥିଲା । ନିଜକୁ ବଞ୍ଚାଇବା ପାଇଁ ବସଷ୍ଟାଣ୍ଡରେ ଥିବା ଏକ ଓ୍ଵାର୍କସପରେ ଲୁଚିଯାଇଥିଲେ । ଦଙ୍ଗାକାରୀଙ୍କ ବିରୋଧରେ ପୋଲିସ ଆଇପିସି ଧାରା ୧୪୮(ଦଙ୍ଗା), ୧୪୯(ବେଆଇନ ସଭା), ୪୩୫( ନିଆଁ ଲଗାଇବା), ୩୦୭ (ହତ୍ୟା) ମାମଲା ରୁଜୁ ହୋଇଛି ।

ସୂଚନାଯୋଗ୍ୟ, ବ୍ରିଜମଣ୍ଡଳ ଯାତ୍ରା ବେଳେ ଏଠାରେ ଏକ ଗୋଷ୍ଠୀ ପକ୍ଷରୁ ପଥରମାଡ଼ ହୋଇଥିଲା, ଯାହା ପରେ ହିଂସା ଆରମ୍ଭ ହୋଇଥିଲା।  ଏହି ବ୍ରିଜମଣ୍ଡଳ ଯାତ୍ରା ଗୁରୁଗ୍ରାମରୁ ଆରମ୍ଭ ହୋଇ ନୁହ ଯାଉଥିଲା। ଏଥିରେ ବିଶ୍ୱ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାମାନେ ସାମିଲ ହୋଇଥିଲେ। ଏପର୍ଯ୍ୟନ୍ତ ୮୩ଟି ଏଫଏଆଇଆର ପଞ୍ଜିକରଣ ହୋଇଛି ବୋଲି ନୁହର ଏସପି କହିଛନ୍ତି । ଏହି ମାମଲାରେ ୧୫ ଜଣ ଲୋକଙ୍କୁ ଗିରଫ କରାଯାଇଥିବା ବେଳେ ୧୬୫ ଲୋକଙ୍କୁ ପଚରାଉଚରା କରାଯାଉଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ଇଣ୍ଟରନେଟ ସେବା ସ୍ଥଗିତ ଅବଧି ବୃଦ୍ଧି କରିଛନ୍ତି ହରିୟାଣା ସରକାର। ହରିୟାଣା ସମେତ ଅନ୍ୟ କିଛି ସ୍ଥାନର ମୋବାଲ ଇଣ୍ଟରନେଟ ଏବଂ ଏସଏମଏସ ସେବା ୫ ଅଗଷ୍ଟ ଯାଏଁ ବନ୍ଦ ରହିଛି । ନୁହ ଛଡା ଫରିଦାବାଦ, ପଲବଲ, ଗୁରୁଗ୍ରାମ, ପଟୌଦୀ, ମାନେସର, ସୋହନାରେ ମଧ୍ୟ ଇଣ୍ଟରନେଟ ବନ୍ଦ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.