IAS ବାବୁଙ୍କ ଅଜବ ନିୟମ, ନିଜର ଇଭନିଂ ଓ୍ଵାକ୍ ଓ ପୋଷା କୁକୁର ଟ୍ରାକରେ ଚାଲିବା ପାଇଁ ଖେଳାଳିଙ୍କୁ ପ୍ରଶିକ୍ଷଣ ବନ୍ଦ କରାଇଲେ
କେନ୍ୟୁଜ୍(ବ୍ୟୁରୋ): ବାବୁଙ୍କ ପାଇଁ ସବୁ ମାଫ । ବଦଳିଯାଉଛି ନିୟମ । ସାର୍ ଷ୍ଟାଡିୟମରେ ଚାଲିବେ । ସାଥିରେ ପୋଷା କୁକୁର । ଇଭିନିଂ ଓ୍ଵାକ୍ ପାଇଁ ଖାଲି କରାଯାଉଥିଲା ଷ୍ଟାଡିୟମ୍ । ଦିଲ୍ଲୀର ଆଇଏଏସ୍ ଅଫିସର ସଞ୍ଜୀବ ଖିରଓ୍ଵାର ଓ ତାଙ୍କ ପୋଷା କୁକୁର ବୁଲିବା ପାଇଁ ଷ୍ଟାଡିୟମକୁ ଶୀଘ୍ର ଖାଲି କରାଯାଉଥିବାର ଅଭିଯୋଗ ସାମନାକୁ ଆସିଛି । ଜଣେ କୋଚ୍ଙ୍କ ଅଭିଯୋଗ ପରେ ସବୁଠି ଚର୍ଚ୍ଚା । ଅଭିଯୋଗ ହୋଇଥିଲା ବାବୁଙ୍କ ସାନ୍ଧ୍ୟ ଭ୍ରମଣ ପାଇଁ ଦିଲ୍ଲୀ ତ୍ୟାଗରାଜ ଷ୍ଟାଡିୟମକୁ ଖେଳାଳିଙ୍କୁ ବାରଣ କରାଯାଇଛି । ପୂର୍ବରୁ ରାତି ୮ଟାରୁ ସାଢ଼େ ୮ଟା ଯାଏ ଷ୍ଟାଡିୟମରେ ଖେଳାଳି ପ୍ରାକ୍ଟିସ କରୁଥିଲେ । ଏବେ ୭ଟା ପରେ ଖେଳାଳି ଓ କୋଚ୍ଙ୍କୁ ତ୍ୟାଗରାଜ ଷ୍ଟାଡିୟମ୍ ତ୍ୟାଗ କରିବାକୁ କୁହାଯାଉଛି । କାରଣ ଥିଲା ଦିଲ୍ଲୀର ରାଜସ୍ୱ ସଚିବ ସଞ୍ଜୀବ ଖିରଓ୍ଵାର ଓ ପୋଷା କୁକୁର ବୁଲିବେ । ଘଟଣାକୁ ଚାରିଆଡୁ ନିନ୍ଦା । ଆଇଏଏସ୍ ଅଫିସର ପଦବୀର ଦୁରୁପୋଯୋଗ କରୁଥିବା ଅଭିଯୋଗ ହୋଇଛି ।
ବାବୁ ଓ କୁକୁର ବୁଲିବା ପାଇଁ ଷ୍ଟାଡିୟମ୍ ଖାଲି କରିବା ଘଟଣା ପରେ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି କେଜ୍ରିଓ୍ଵାଲ ସରକାର । ରାତି ୧୦ଟା ଯାଏ ଏଣିକି ଷ୍ଟାଡିୟମ୍ ଖୋଲା ରହିବ । ଖେଳାଳି, ଆଥଲେଟସ୍ ରାତି ୧୦ଟା ଯାଏ ପ୍ରାକ୍ଟିସ୍ କରିବେ। ଅଭିଯୋଗକୁ ଖଣ୍ଡନ କରିଛନ୍ତି ଆଇଏଏସ୍ ଅଫିସର ସଞ୍ଜୀବ ଖିରଓ୍ଵାର୍ । ସେ କହିଛନ୍ତି, ଖେଳାଳିଙ୍କ ପ୍ରଶିକ୍ଷଣ ବେଳେ ଷ୍ଟାଡିୟମ୍ ଯାଆନ୍ତି ନାହିଁ । ପୋଷା କୁକୁରକୁ ଟ୍ରାକରେ ଛାଡନ୍ତି ନାହିଁ । ଅନ୍ୟପଟେ ତ୍ୟାଗରାଜ ଷ୍ଟାଡିୟମ୍ ପ୍ରଶାସକ କହିଛନ୍ତି, ଆଥଲେଟଙ୍କୁ ପ୍ରଶିକ୍ଷଣ ସମୟ ସନ୍ଧ୍ୟା ୭ଟା ଯାଏ ରହିଛି । ତାପରେ ସମସ୍ତେ ଚାଲି ଯାଆନ୍ତି । କାହାକୁ ଶୀଘ୍ର ଷ୍ଟାଡିୟମ୍ ଛାଡିବାକୁ କୁହାଯାଇନି ।