ତାଜମହଲ ମସ୍‌ଜିଦରେ ନମାଜ ପଢ଼ି ୪ ପର୍ଯ୍ୟଟକ ଗିରଫ; ୨ ଖସି ପଳାଇଲେ

ଉତ୍ତର ପ୍ରଦେଶର ଆଗ୍ରାରେ ତାଜମହଲ ଭ୍ରମଣ ବେଳେ ନମାଜ ପଢ଼ୁଥିବା ୪ ପର୍ଯ୍ୟଟକଙ୍କୁ ସିଆଇଏସ୍‌ଏଫ୍‌ ଗିରଫ କରିଛି। ଆଗ୍ରା ଏସ୍‌ପି (ସିଟି) ବିକାଶ କୁମାର କହିଛନ୍ତି ଯେ ସିଆଇଏସ୍‌ଏଫ୍‌ ୬ ଜଣଙ୍କୁ ନମାଜ ପଢ଼ୁଥିବାର ଦେଖି ସେମାନଙ୍କୁ ଧରିବାକୁ ଚେଷ୍ଟା କରିଥିଲା। କିନ୍ତୁ ୨ ଜଣ ଗହଳିର ଫାଇଦା ଉଠାଇ ସେଠାରୁ ଖସି ପଳାଇ ଯାଇଥିଲେ। ସିଆଇଏସ୍‌ଏଫ୍‌ ଗିରଫ ୪ ପର୍ଯ୍ୟଟକଙ୍କୁ ତାଜଗଞ୍ଜ ଥାନାକୁ ହସ୍ତାନ୍ତର କରିଛି। ଏ ନେଇ ଆଇପିସି ଧାରା ୧୫୩ରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରଖାଯାଇଛି।

ତେବେ ଆଗ୍ରା ଏସ୍‌ପି (ସିଟି) ବିକାଶ କୁମାରଙ୍କ ମୁତାବକ, ଧରା ପଡ଼ିଥିବା ୪ ପର୍ଯ୍ୟଟକଙ୍କ ମଧ୍ୟରୁ ୩ ଜଣ ତେଲେଙ୍ଗାନାର ହୋଇଥିବା ବେଳେ ଜଣେ ଉତ୍ତର ପ୍ରଦେଶ ଆଜମଗଡ଼ର ବୋଲି ଜଣାପଡ଼ିଛନ୍ତି। ସେପଟେ ପର୍ଯ୍ୟଟକମାନେ ଗଣମାଧ୍ୟମ ଆଗରେ କହିଛନ୍ତି କି, ‘ଆମେ ହାଇଦ୍ରାବାଦର ବାସିନ୍ଦା। ଏଠାରେ ମସ୍‌ଜିଦରେ ଅନ୍ୟମାନଙ୍କୁ ବି ଆମେ ନମାଜ ପଢ଼ୁଥିବାର ଦେଖିଲୁ। ତେଣୁ ଆମକୁ ଲାଗିଲା ଆମେମାନେ ନମାଜ ପଢ଼ି ପାରିବୁ। ସେଠାରେ ନମାଜ ନ ପଢ଼ିବାକୁ ନେଇ କିଛି ଲେଖା ହୋଇ ନ ଥିଲା’।

ସୂଚନା ରହିଛି, ତାଜମହଲରେ କେବଳ ଶୁକ୍ରବାର ଦିନ ସ୍ଥାନୀୟ ଲୋକଙ୍କୁ ଆଇଡି ଦେଖାଇବା ପରେ ନମାଜ ପାଇଁ ପ୍ରବେଶ ଦିଆଯାଇଥାଏ। ଏହା ବ୍ୟତୀତ ଅନ୍ୟ କୌଣସି ବି ଦିନରେ ତାଜମହଲ ମସ୍‌ଜିଦରେ ନମାଜ ପଢ଼ା ଯାଇ ନ ଥାଏ।