ଜୟପୁର, ନାଗପୁର, ଗୋଆ…ଏକାସାଙ୍ଗେ ଦେଶର ଅନେକ ବିମାନବନ୍ଦରକୁ ମିଳିଲା ବୋମା ଧମକ
ଜୟପୁର, ନାଗପୁର, କାନପୁର, ଗୋଆ ସମେତ ଦେଶର ଅନେକ ବିମାନବନ୍ଦରକୁ ମିଳିଛି ବୋମା ଧମକ । ସୋମବାର ସକାଳେ ଇମେଲ ମାଧ୍ୟମରେ ଏହି ଧମକ ଦିଆଯାଇଛି ।

ଜୟପୁର, ନାଗପୁର, କାନପୁର, ଗୋଆ ସମେତ ଦେଶର ଅନେକ ବିମାନବନ୍ଦରକୁ ମିଳିଛି ବୋମା ଧମକ । ସୋମବାର ସକାଳେ ଇମେଲ ମାଧ୍ୟମରେ ଏହି ଧମକ ଦିଆଯାଇଛି । ନାଗପୁର ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ମୁତାବକ, ସୋମବାର ଦିନ ପ୍ରାୟ ୧୦ଟା ବେଳେ ଏହି ଧମକପୂର୍ଣ୍ଣ ଇମେଲ ମିଳିଥିଲା । ବିମାନବନ୍ଦର ନିର୍ଦ୍ଦେଶକ ଆବିଦ୍ ରୁଇଙ୍କ ଇମେଲ୍ ଆଇଡିରେ ମେଲ୍ ରିସିଭ୍ ହୋଇଥିଲା ।
ବିମାନବନ୍ଦରର ବରିଷ୍ଠ ସୁରକ୍ଷା ଅଧିକାରୀଙ୍କୁ ଏ ବିଷୟରେ ଅବଗତ କରାଯାଇଥିଲା । ବିମାନବନ୍ଦର କର୍ତ୍ତୃପକ୍ଷ ଧମକପୂର୍ଣ୍ଣ ଇମେଲ ମିଳିବା ନେଇ ନାଗପୁରର ସୋନେଗାଓଁ ଥାନାରେ ଅଭିଯୋଗ କରିଛନ୍ତି । ସେପଟେ ଏହି ଘଟଣା ପରେ ବିମାନବନ୍ଦରର ସୁରକ୍ଷା ଆହୁରି ବଢ଼ାଇ ଦିଆଯାଇଛି ।
ତେବେ ପୋଲିସ ସନ୍ଦେହ ପ୍ରକାଶ କରି କହିଛି ଯେ ଏହା ଏକ ନକଲି ଇମେଲ । ଇମେଲ ପଠାଇଥିବା ବ୍ୟକ୍ତିଙ୍କୁ ଖୋଜିବା ପାଇଁ ଉଦ୍ୟମ ଚାଲିଛି । ଏହା ଆତଙ୍କ ସୃଷ୍ଟି କରିବା ଉଦ୍ଦେଶ୍ୟରେ ପଠାଯାଇଛି । ସୂଚନା ମୁତାବକ, ଦୁଇ ଦିନ ପୂର୍ବରୁ ମଧ୍ୟ କୋଲକାତା ସମେତ ଦେଶର ଅନେକ ବିମାନବନ୍ଦରକୁ ଏହି ପ୍ରକାରର ଇମେଲ ଆସିଥିଲା, ଯାହା ପରେ ଏହା ନକଲି ବୋଲି ଜଣାପଡ଼ିଥିଲା ।
ଗୋଆର ଡାବୋଲିମ୍ ବିମାନବନ୍ଦରକୁ ମଧ୍ୟ ସେମାନଙ୍କ ଅଫିସିଆଲ୍ ଇମେଲରେ ବୋମା ଧମକ ମିଳିଥିଲା । ବିମାନବନ୍ଦର କର୍ତ୍ତୃପକ୍ଷ ଏ ନେଇ ପୋଲିସରେ ଅଭିଯୋଗ କରିବା ପରେ ବୋମା ସ୍କ୍ଵାଡ୍ ପୂରା ବିମାନବନ୍ଦରରେ ଖୋଜାଖୋଜି କରିଥିଲା । ହେଲେ ସେଠାରୁ କିଛି ବି ଉଦ୍ଧାର କରାଯାଇ ନାହିଁ ।
ବିମାନବନ୍ଦର ନିର୍ଦ୍ଦେଶକ ଏସ୍ଭିଟି ଧନ୍ମଜୟ ରାଓ କହିଛନ୍ତି, ଆମେ ବର୍ତ୍ତମାନ ଅତିରିକ୍ତ ସାବଧାନତା ଅବଲମ୍ବନ କରୁଛୁ । ବିମାନବନ୍ଦରରେ ସୁରକ୍ଷା ବଢ଼ାଇ ଦିଆଯାଇଛି । କିନ୍ତୁ ବିମାନ ଚଳାଚଳ ପ୍ରଭାବିତ ହୋଇନାହିଁ ।
ଏହାସହ ରାଜସ୍ଥାନର ଜୟପୁର ଅନ୍ତର୍ଜାତୀୟ ବିମାନବନ୍ଦରକୁ ମଧ୍ୟ ଆଜି ସକାଳେ ଇମେଲ ମିଳିଥିଲା । ଖୋଜାଖୋଜି ପରେ ଏ ପର୍ଯ୍ୟନ୍ତ କୌଣସି ବି ସନ୍ଦିଗ୍ଧ ଜିନିଷ ମିଳିନାହିଁ । ସେପଟେ ଏହି ଘଟଣାକୁ ନେଇ ବିମାନ ଯାତ୍ରୀଙ୍କ ମଧ୍ୟରେ ଆତଙ୍କର ବାତାବରଣ ଖେଳିଯାଇଛି ।