ମୁହଁକୁ ଲଙ୍କାଗୁଣ୍ଡ ଫୋପାଡି ବର ପାଖରୁ କନିଆଁକୁ ଭିଡିନେଲେ ପରିବାର ଲୋକେ

ଭୋଜିରୁ ଝିଅକୁ ଅପହରଣ କରିବାକୁ ଉଦ୍ୟମ କଲେ। ବାଟରେ ଯିଏ ବି ଆସିଲା ତାଙ୍କୁ ପାନେ ଦେଲେ। ଭୋଜିରୁ କନ୍ୟାକୁ ଘର ଲୋକ ଅପହରଣ କରିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ବିବାହ ମଣ୍ଡପରେ ବର ପାଖରୁ କନିଆଁକୁ ଭିଡିନେଲେ ପରିବାର ଲୋକେ । ଆଉ ଯିଏ ଅଟକାଇବାକୁ ଚେଷ୍ଟା କରିଥିଲେ ତାଙ୍କ ଉପରକୁ ଛାଟି ଦେଉଥିଲେ ଲଙ୍କାଗୁଣ୍ଡ । ଆଉ ମାତ୍ର କେଇ ମିନିଟରେ ବିବାହ ମଣ୍ଡପ ପାଲଟିଗଲା କୁରୁକ୍ଷେତ୍ର । ହଁ ଆଜ୍ଞା ପ୍ରେମ ବିବାହକୁ ନାପସନ୍ଦ କରୁଥିଲେ କନ୍ୟା ପରିବାର। ବିବାହ ଭୋଜିରେ ତାଣ୍ତବ ରଚିଲେ। ଭୋଜିରୁ ଝିଅକୁ ଅପହରଣ କରିବାକୁ ଉଦ୍ୟମ କଲେ। ବାଟରେ ଯିଏ ବି ଆସିଲା ତାଙ୍କୁ ପାନେ ଦେଲେ। ଭୋଜିରୁ କନ୍ୟାକୁ ଘର ଲୋକ ଅପହରଣ କରିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅପହରଣ ବେଳେ ଦୁଇ ପକ୍ଷ ହାତାହାତି ହେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। କନ୍ୟା ପକ୍ଷ ଲୋକ ବର ଘରର ଲୋକଙ୍କ ଉପରେ ଲଙ୍କା ଗୁଣ୍ତ ପକାଇଥିବାର ମଧ୍ୟ ଦେଖିବାକୁ ମିଳୁଛି। ଯାହା ବିରୋଧରେ ପୋଲିସ ମାମଲା ବି ରୁଜୁ କରିଛି ।

ତେବେ ଆନ୍ଧ୍ରପ୍ରଦେଶ ନରସରାୱପେଟ୍‌ ଜିଲ୍ଲାର ଏହି ବିବାହକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା। ସୂଚନା ମୁତାବକ ଗଙ୍ଗାଭରମ ସ୍ନେହା ଓ ବର୍ତ୍ତିନା ଭେଙ୍କଟାନନ୍ଦୁ ପରସ୍ପରକୁ ଭଲ ପାଉଥିଲେ ଏବଂ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଯେଉଁଥିରେ ରାଜି ନଥିଲେ ଝିଅ ପରିବାର। ତେବେ ଘର ଲୋକଙ୍କ ବିନା ଅନୁମତିରେ ସ୍ନେହା ଭେଙ୍କଟାନନ୍ଦୁଙ୍କୁ ୧୩ ଏପ୍ରିଲରେ ବିବାହ କରିଥିଲେ। ସାମୂହିକ ଭାବେ ଏପ୍ରିଲ ୨୧ ରେ ଏକ ଭୋଜିର ଆୟୋଜନ ହୋଇଥିଲା। ଯେଉଁଥିରେ ସ୍ନେହାଙ୍କ ଘର ଲୋକଙ୍କୁବି ନିମନ୍ତ୍ରଣ ପଠାଇଥିଲେ ବର ଘର ଲୋକେ। ଭୋଜିରେ ସ୍ନେହାଙ୍କ ମାଆ-ବାପା ଓ ସମ୍ପର୍କୀୟ ଆସି ପହଞ୍ଚିଥିଲେ। ଆଉ ତା’ପରେ ଯାହା ଘଟିଥିଲା, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।

ସ୍ନେହାଙ୍କ ପରିବାର ଲୋକେ ଝିଅକୁ ମଣ୍ତପରୁ ଟେକିନେବାକୁ ଉଦ୍ୟମ କରିଥିଲେ । ସ୍ନେହାକୁ ଜୋର ଜବରଦସ୍ତ ପରିବାର ଓ ସମ୍ପର୍କୀୟମାନେ ଭିଡ଼ି ଭିଡ଼ି ନେଉଥିବା ବେଳେ ପୁଅ ଘର ଲୋକେ ଓ ଅତିଥି ଏହାକୁ ବିରୋଧ କରିଥିଲେ ଏବଂ ଅଟକାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ କନିଆଁ ଘର ଲୋକେ ସାଥିରେ ଆଣିଥିଲେ ଲଙ୍କାଗୁଣ୍ଡ । ଯିଏ ବି ପୁଅ ଘର ଲୋକେ କନିଆଁକୁ ଅଟକାଇବାକୁ ଚେଷ୍ଟା କରୁଥିଲେ ତାଙ୍କ ଉପରେ ଛାଟି ଦେଉଥିଲେ ଲଙ୍କାଗୁଣ୍ଡ । ସେମାନେ କାହା କଥା ନଶୁଣି ଗଣ୍ତଗୋଳ ପରିସ୍ଥିତି ସୃଷ୍ଟି କରିଥିଲେ। ଅତିଥି ଓ ପୁଅ ଘର ଲୋକଙ୍କୁ ମାଡ଼ ମଧ୍ୟ ମାରିଥିଲେ ଝିଅ ଘର ଲୋକେ। ଏହି ସଂଘର୍ଷରେ ଅନେକ ଆହତ ହୋଇଥିବା ନେଇ ସୂଚନା ମିଳିଛି ।

ତେବେ ଏହି ଟଣାଭିଡା ଧସ୍ତାଧସ୍ତି ଭିତରେ କିନ୍ତୁ ବରଘର ଲୋକେ କନିଆଁକୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ । ଘଟଣା ସମ୍ପର୍କରେ ସ୍ନେହା କହିଛନ୍ତି, ମୋ ମାଆ, ଭାଇ ଓ ସମ୍ପର୍କୀୟ ମତେ ଅପହରଣ କରିବାକୁ ଉଦ୍ୟମ କରିଥିଲେ । ଯିଏ ବି ତାଙ୍କୁ ଅଟକାଇବାକୁ ଚେଷ୍ଟା କଲା, ସେ ତାଙ୍କ ଉପରେ ଲଙ୍କାଗୁଣ୍ତ ପକାଇଦେଉଥିଲେ। ଏନେଇ ପୋଲିସ ମାମଲା ରୁଜୁ କରିଛି। ଅପହରଣ, ସୁନା ଚୋରି ଆଦି ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରିଥିବା ସୂଚନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.