Below header

ହମାରା ସିଦ୍ଧୁ କିଧର ହୈ…, କର୍ତ୍ତାରପୁରରେ ଏମିତି ଖୋଜିଲେ ଇମ୍ରାନ୍‌ ଖାନ୍‌

ଗତ ଶନିବାର ଦିନ ଉଦ୍‌ଘାଟନ ହେଲା କର୍ତ୍ତାରପୁର କରିଡର । ତିକ୍ତ ରାଜନୈତିକ ସମ୍ପର୍କ ଭିତରେ ଯୋଡ଼ି ହେଲା ଭାରତ-ପାକିସ୍ତାନ ଡୋର । ପାକିସ୍ତାନ କର୍ତ୍ତାରପୁରରେ ଥିବା ଶିଖ୍‌ ଧର୍ମସ୍ଥଳ ଗୁରୁ ଦରବାର ସାହେବ ଗୁରୁଦ୍ୱାର ଠାରୁ ଭାରତର ଗୁରୁଦାସପୁର ସ୍ଥିତ ଡେରା ବାବ ନାନକକୁ ରାସ୍ତା ଖୋଲିଗଲା । ଭାରତ ପଟୁ ଚେକ୍‌ଗେଟ୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ଘାଟନ କଲେ । ସେପଟେ ପାକିସ୍ତାନରେ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ । ଭାରତରୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ ନଭଯୋତ ସିଂହ ସିଦ୍ଧୁଙ୍କୁ ଏହି ଉଦ୍‌ଘାଟନ ଉତ୍ସବରେ ଯୋଗ ଦେବା ଲାଗି ପାକିସ୍ତାନ ପକ୍ଷରୁ ନିମନ୍ତ୍ରଣ କରାଯାଇଥିଲା । ତେବେ ଉଦ୍‌ଘାଟନ ଉତ୍ସବରେ ଇମ୍ରାନ୍‌ ପ୍ରଥମେ ଆସି ଖୋଜିଲେ ସିଦ୍ଧୁଙ୍କୁ । ପୂର୍ବତନ କ୍ରିକେଟ୍‌ ସାଙ୍ଗ ତଥା ବର୍ତ୍ତମାନର କଂଗ୍ରେସ ନେତା ସିଦ୍ଧୁଙ୍କୁ ଯେତେବେଳେ ଇମ୍ରାନ୍‌ ‘ଆମ ସିଦ୍ଧୁ କାହାନ୍ତି..’ ବୋଲି ସମ୍ବୋଧନ କରି ଖୋଜିଲେ ସେଠାରେ ଉପସ୍ଥିତ ଥିବା ଲୋକମାନଙ୍କ ଭିତରେ ଗୁଞ୍ଜରଣ ସୃଷ୍ଟି ହେଲା । ଖାଲି ସେତିକି ନୁହେଁ, ଶନିବାର ଦିନ ଘଟିଥିବା ଏହି ଘଟଣାର ଭିଡିଓ ଏବେ ଚାରିଆଡ଼େ ଭାଇରାଲ ହୋଇଯାଇଛି । ଭାରତରେ ଲୋକେ ପଚାରୁଛନ୍ତି ‘ ସିଦ୍ଧୁ କାହାର?’ ।


ଆହୁରି ମଧ୍ୟ ନିମନ୍ତ୍ରଣ ପାଇବା ପରେ ସିଦ୍ଧୁ ପାକିସ୍ତାନ ଯିବା ପାଇଁ ଅନୁମତି ମାଗିଥିଲେ । ତେବେ ପୂର୍ବରୁ ତାଙ୍କର ବିବାଦୀୟ ମନ୍ତବ୍ୟ ପାଇଁ ତାଙ୍କୁ କର୍ତ୍ତାରପୁର ଛଡ଼ା ଯାଇ ନପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଥିଲା । ଅବଶ୍ୟ ପରେ ସର୍ତ୍ତମୂଳକ ଭାବେ ସିଦ୍ଧୁଙ୍କୁ ଅନୁମତି ମିଳିଥିଲା । ତେବେ ଏହି ଉଦଘାଟନ ଉତ୍ସବରେ ଚର୍ଚ୍ଚା ହେଉଥିଲା ଯେ ଯଦି ସିଦ୍ଧୁଙ୍କୁ ଭାରତ ଅନୁମତି ଦେଇନଥାନ୍ତା ତେବେ ଆମ ଟିଭି (ପାକିସ୍ତାନରେ) ଚ୍ୟାନେଲରେ ଏହି ଖବରକୁ ଆମେ ହେଡ୍‌ ଲାଇନ୍‌ କରି ଦେଖାଇଥାନ୍ତୁ ।
ସତରେ ଇମ୍ରାନ୍‌ ଓ ପାକିସ୍ତାନବାସୀଙ୍କ ସିଦ୍ଧୁପ୍ରୀତି ବେଶ୍‌ ଚର୍ଚ୍ଚା ସୃଷ୍ଟି କରିଛି । ଅବଶ୍ୟ କପିଲ ଶର୍ମା ସୋ’ରୁ ବିଦା ହେବା ପରେ ସିଦ୍ଧୁଙ୍କର ଆଉ ‘ଶେର କି ସାୟରି’ ଶୁଣିବାକୁ ମିଳୁନି ।

ତଥାପି ଭାରତ ଭଳି ପାକିସ୍ତାନରେ ମଧ୍ୟ ସିଦ୍ଧୁଙ୍କର ଲକ୍ଷ ଲକ୍ଷ ଫ୍ୟାନ୍‌ ଅଛନ୍ତି । ତେବେ ଇମ୍ରାନ୍‌ ଅନ୍ତତଃ ଆଶ୍ୱସ୍ତ ଯେ ଭାରତରେ କେହି ବି ତାଙ୍କୁ ସମର୍ଥନ ନକରନ୍ତୁ ପଛେ ନଭଯୋତ ସିଂହ ସିଦ୍ଧୁ ତାଙ୍କ ସହିତ ଅଛନ୍ତି । କର୍ତ୍ତାରପୁରରେ ପହଞ୍ଚିବା ପରେ ସିଦ୍ଧୁଙ୍କୁ ଇମ୍ରାନ୍‌ ନିଜ ପାଖରେ ବସାଇଥିଲେ । ଏମିତି ଲାଗୁଥିଲେ ଯେମିତି ସାରା ଭାରତ ତାଙ୍କ ବନ୍ଧୁ ହୋଇଯାଇଛି ଏବଂ ସେ ହୁଏତ ଭାରତ ସରକାର ଅର୍ଥାତ୍‌ ମୋଦିଙ୍କୁ କଡ଼ା ଜବାବ ଦେଇ ପାରିଛନ୍ତି। ଅବଶ୍ୟ ଇମ୍ରାନ୍‌ଙ୍କ ସାମର୍ଥ୍ୟ ଭିତରେ ଯଦି ଅଛି ତେବେ ଚେଷ୍ଟା କଲେ ନିଶ୍ଚୟ ସେ ଭାରତର ଭଲ ବନ୍ଧୁ ହୋଇ ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.