ମା’ର ମୃତ୍ୟୁକୁ ସହ୍ୟ କରିନପାରି ମୁଖାଗ୍ନି ଦେବା ବେଳେ ଆଖି ବୁଜିଲା ପୁଅ

ଆଜିକାଲି ପୁଅମାନେ ମା’ବାପାଙ୍କୁ ପରିଣତ ବୟସରେ ଘରୁ ତଡ଼ି ଦେଉଥିବା ଭଳି ହୃଦୟ ବିଦାରକ ଦୃଶ୍ୟ ବାରମ୍ବାର ଦେଖିବାକୁ ମିଳୁଛି। କିଏ ମା’କୁ ବୋଝ କହି ଘରୁ ବାଡ଼େଇପିଟି ବିଦା କରିଦେଉଥିବା ବେଳେ ଆଉ କିଏ ସ୍ତ୍ରୀ ବୁଦ୍ଧିରେ ପଡ଼ି ବାପାଙ୍କୁ ଘରୁ ତଡ଼ିଦେଇ ତାଲା ପକାଇଦେଉଥିବା ଦେଖିବାକୁ ମିଳିଛି। ଆଉ କେହି ପାଦେ ଆଗକୁ ଯାଇ କ୍ରୋଧର ବଶବର୍ତ୍ତୀ ହୋଇ ଜନ୍ମଦାତ୍ରୀଙ୍କୁ ଜୀବନରୁ ମାରିଦେବାକୁ ମଧ୍ୟ ପଛାଉନାହାନ୍ତି। ତେବେ ଏସବୁ ଭିତରେ ଏବେ ମା-ପୁଅଙ୍କ ଅନାବିଳ ଭଲ ପାଇବା ଘଟଣା ସାମ୍ନାକୁ ଆସିଛି। ମା’ର ମୃତ୍ୟୁରେ ବିଚଳିତ ହୋଇ ଜଣେ ପୁଅର ମଧ୍ୟ ମୃତ୍ୟୁ ଘଟିଥିବା ଭଳି ଘଟଣା ଏବେ ଉତ୍ତର ପ୍ରଦେଶର ମୁରାଦାବାଦରେ ଚର୍ଚ୍ଚା ବିଷୟ ପାଲଟିଛି।

ଏହାସହ ପଢନ୍ତୁ: ଘୋଡ଼ା ନୁହେଁ ଲାଠି ଉପରେ ବସି ଦୌଡ଼ୁଛନ୍ତି ପୋଲିସ କର୍ମୀ, ଜାଣନ୍ତୁ ଏହା ପଛର କାରଣ

ବିଲାରୀ ଥାନା ଅଞ୍ଚଳରେ ଅମରପୁର କାଶୀ ରୋଡ଼ସ୍ଥିତ ଖାତା ଗାଁର ୯୦ ବର୍ଷୀୟା ବୃଦ୍ଧା ରାମକଲ୍ଲୀ ବୁଧବାର ରାତିରେ ମୃତ୍ୟୁବରଣ କରିଥିଲେ। ତାଙ୍କ ଅନ୍ତିମ ସଂସ୍କାର ବେଳେ ଏକମାତ୍ର ପୁଅ ବିଜେନ୍ଦ୍ର ମୁଖାଗ୍ନି ଦେଇଥିଲେ। ତେବେ ମା’ଙ୍କ ମୃତ୍ୟୁର ଦୁଃଖକୁ ସମ୍ବରଣ କରିନପାରି ଶ୍ମଶାନରେ ହିଁ ବାନ୍ତି କରିବା ପରେ ଅଚେତ ହୋଇଯାଇଥିଲେ। ବନ୍ଧୁବାନ୍ଧବ ତାଙ୍କୁ ମେଡିକାଲକୁ ଚିିକିତ୍ସା ପାଇଁ ନେଇଥିଲେ। ମାତ୍ର ଡାକ୍ତର ବିଜେନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ।

ଏହି ଘଟଣା ପରେ ମା’ ପ୍ରତି ପୁଅର ପ୍ରେମ ଦେଖି ଗ୍ରାମବାସୀ ଉଭୟଙ୍କ ଶବକୁ ଏକାଠି ଜଳାଇଦେଇଥିଲେ। ଏହି ଘଟଣା ଦେଖି ଉପସ୍ଥିତ ବ୍ୟକ୍ତି ମଧ୍ୟ ନିଜ ଲୁହ ରୋକି ପାରିନଥିଲେ। ସମସ୍ତେ ମା’ପୁଅଙ୍କୁ ସମ୍ପର୍କକୁ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ ଯେ, ବିଜେନ୍ଦ୍ରଙ୍କୁ ଯେତେବେଳେ ମାତ୍ର ୭ ବର୍ଷ ହୋଇଥିଲା ସେତେବେଳେ ତାଙ୍କ ପିତାଙ୍କ ବିୟୋଗ ଘଟିଥିଲା। ମା’ହିଁ ତାଙ୍କୁ ଲାଲନପାଳନ କରିଥିଲେ। ଏଣୁ ମା’ଙ୍କ ପ୍ରତି ତାଙ୍କର ଘନିଷ୍ଠତା ବଢ଼ିଯାଇଥିଲା। ଫଳରେ ମା’ଙ୍କ ମୃତ୍ୟୁରେ ସେ ଭାଙ୍ଗିପଡ଼ିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.