Below header

ଦେବଦୂତ ସାଜିଲେ କେଏଲ୍‌ ରାହୁଲ, ୧୧ ବର୍ଷ ବାଳକର ଅପରେସନ୍‌ ପାଇଁ ଦେଲେ ୩୧ ଲକ୍ଷ ଟଙ୍କା

ଦେବଦୂତ ସାଜିଛନ୍ତି ଟିମ୍‌ ଇଣ୍ଡିଆର ଜଣାଶୁଣା ବ୍ୟାଟ୍ସମ୍ୟାନ୍‌ କେଏଲ୍‌ ରାହୁଲ। ସେ ଏକ ହୃଦୟ ଜିତିବା ଭଳି କାମ କରିଛନ୍ତି। ଏକ ଦୁରାରୋଗ୍ୟରେ ପୀଡ଼ିତ ୧୧ ବର୍ଷର ବାଳକକୁ ରାହୁଲ ସାହାଯ୍ୟର ହାତ ବଢ଼ାଇଛନ୍ତି। ରାହୁଲଙ୍କ ସାହାଯ୍ୟ ପରେ ତୁରନ୍ତ ଉକ୍ତ ବାଳକର ବୋନ୍‌ ମ୍ୟାରୋ ପ୍ରତ୍ୟାରୋପଣ କରାଯାଇଛି। ଫଳରେ ତା’ ଜୀବନ ବଞ୍ଚିଯାଇଛି। ଏହି ବାଳକର ନାଁ ହେଉଛି ବରଦ ନଲବାଡ଼େ। ବରଦର ସର୍ଜରୀ ପାଇଁ ୩୫ ଲକ୍ଷ ଟଙ୍କା ଦରକାର ଥିଲା। ସେଥିରୁ ୩୧ ଲକ୍ଷ ଟଙ୍କା ରାହୁଲ ସାହାଯ୍ୟ କରିଛନ୍ତି।

ରିପୋର୍ଟ ମୁତାବକ, ମୁମ୍ବାଇର ବରଦ ଏକ ରକ୍ତ ଜନିତ ଦୂରାରୋଗ୍ୟରେ ପୀଡ଼ିତ ଥିଲା। ତା’ ଚିକିତ୍ସା ପାଇଁ ୩୫ ଲକ୍ଷ ଟଙ୍କା ଦରକାର ବୋଲି ଡାକ୍ତର କହିଥିଲେ। କିନ୍ତୁ ବରଦର ବାପା ଜଣେ ଇନ୍‌ସ୍ୟୁରାନ୍ସ ଏଜେଣ୍ଟ ଓ ମା’ ହାଉସ୍‌ ଓ୍ଵାଇଫ୍‌ ହୋଇଥିବାରୁ ସେ ଏତେ ଟଙ୍କା ଯୋଗାଡ଼ କରିପାରିନଥିଲେ। ଏଣୁ ସେ ଓ ତାଙ୍କ ପତ୍ନୀ ମିଶି ପୁଅର ଚିକିତ୍ସା ଲାଗି ଫଣ୍ଡ ସଂଗ୍ରହ ପାଇଁ କ୍ୟାମ୍ପେନିଂ କରିଥିଲେ। ଏହି କ୍ୟାମ୍ପେନିଂ ଜରିଆରେ ତାଙ୍କୁ ୪ ଲକ୍ଷ ଟଙ୍କା ମିଳିଥିଲା। ଏ ନେଇ ଜାଣିବା ପରେ ରାହୁଲ ବାକି ୩୧ ଲକ୍ଷ ଟଙ୍କା ସାହାଯ୍ୟ କରିଥିଲେ। ଫଳରେ ବରଦର ଅପରେସନ୍‌ ହୋଇପାରିଛି ଓ ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଡାକ୍ତର କହିଛନ୍ତି।


ଡାକ୍ତରଙ୍କ କହିବାନୁସାରେ, ବରଦ ଅପ୍ଲାଷ୍ଟିକ୍‌ ଏନିମିଆ ନାମକ ଦୁର୍ଲ୍ଲଭ ରୋଗରେ ପୀଡ଼ିତ ଥିଲା। ଏହି ରୋଗ ରକ୍ତରେ ହୋଇଥାଏ। ବରଦର ପ୍ଲେଟଲେଟ୍‌ କମ୍‌ ଥିବାରୁ ତା ଇମ୍ୟୁନିଟି ସିଷ୍ଟମ୍‌ ଦୁର୍ବଳ ଥିଲା। ସାଧାରଣ ଜ୍ୱର ହେଲେ ବି ସୁସ୍ଥ ହେବାକୁ ତାକୁ ମାସ ମାସ ସମୟ ଲାଗିଯାଉଥିଲା। ତାକୁ ବଞ୍ଚାଇବାର ଏକ ମାତ୍ର ମାଧ୍ୟମ ଅପରେସନ୍‌ ଥିଲା। ଏବେ ଅପରେସନ୍‌ ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବ ବୋଲି ଡାକ୍ତର କହିଛନ୍ତି। ଅନ୍ୟପଟେ ସୁସ୍ଥ ହେବା ପରେ ବରଦ ଭାରତ ପାଇଁ କ୍ରିକେଟ୍‌ ଖେଳିବାକୁ ଇଚ୍ଛା ରଖିଛି ବୋଲି ତା’ ମା’ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.