ନିଗମବୋଧ ଘାଟରେ ହେଲା ଶେଷକୃତ୍ୟ, ଚିତାଗ୍ନରେ ଜଳିଗଲା ଜେଟଲୀଙ୍କ ପାର୍ଥିବ ଶରୀର

ନୂଆଦିଲ୍ଲୀ (କେ ନ୍ୟୁଜ୍‌) : ଦିଲ୍ଲୀ ନିଗମବୋଧ ଘାଟରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟଲୀଙ୍କର । ଭାବଗମ୍ଭୀର ପରିବେଶ ଥିଲା ଶ୍ମଶାନ ସ୍ଥଳ । କାହାର କଣ୍ଠ ବାଷ୍ପରୁଦ୍ଧ ତ କାହାର ଆଖି ଛଳଛଳ। ସମସ୍ତଙ୍କ ମୁହଁରେ ଥିଲା ଉଦାସର ଭାବ। ନିଜର ପ୍ରିୟ ନେତାଙ୍କୁ ବିଦାୟ ଦେବାକୁ ଉପସ୍ଥିତ ହୋଇଥିଲେ ବହୁ ବିଶିଷ୍ଟ ବ୍ୟକ୍ତି। କେବଳ ବିଜେପି ନୁହେଁ, ଦଳମତ ନିର୍ବିଶେଷରେ ଶେଷକୃତ୍ୟରେ ସାମିଲ ହୋଇଥିଲେ ଅନେକ ରାଜନେତା। ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହା, କେନ୍ଦ୍ର ମନ୍ତ୍ରୀ ହର୍ଷ ବର୍ଦ୍ଧନ, ପୀୟୂଷ ଗୋଏଲ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ଼ା ପ୍ରମୁଖ ବହୁ ବରିଷ୍ଠ ନେତା ଓ ଶହ ଶହ କର୍ମୀ ଜେଟଲୀଙ୍କୁ ଜଣାଇଥିଲେ ଅନ୍ତିମ ବିଦାୟ। ମୁଖାଗ୍ନି ଦେଇଥିଲେ ପୁଅ ରୋହନ।

jaitley-2ଅନ୍ତିମ ଦର୍ଶନ ପାଇଁ ଆଜି ସକାଳୁ ତାଙ୍କ ବାସଭବନରେ ଆରମ୍ଭ ହୋଇ ଯାଇଥିଲା ଗହଳି। ଦେଶର ବିଭିନ୍ନ ପ୍ରାନ୍ତରୁ ଆସି ପହଞ୍ଚିଥିଲେ ଭିନ୍ନ ଭିନ୍ନ ଦଳର ରାଜନେତା। ପୁଣି ବହୁ ବିଶିଷ୍ଟ ବ୍ୟକ୍ତି ପହଞ୍ଚି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଜେଟ୍‌ଲୀଙ୍କ ଶେଷ ଦର୍ଶନ କରିବାକୁ ଭାରତରେ ଅବସ୍ଥାପିତ ବ୍ରିଟିଶ ହାଇକମିଶନର ପହଞ୍ଚିଥିଲେ ତାଙ୍କ ବାସଭବନରେ। ତାଙ୍କୁ ଜଣେ ଜ୍ଞାନୀ, ସାଦାସିଧା ଓ ଖୁସ୍‌ ମିଜାରର ମଣିଷ ବୋଲି ବର୍ଣ୍ଣନା କରିଥିଲେ।
ପୂର୍ବାହ୍ନ ୧୧ଟାରେ ବିଜେପି ମୁଖ୍ୟାଳୟକୁ ଅଣାଯାଇଥିଲା ଜଟ୍‌ଲୀଙ୍କ ପାର୍ଥିବ ଶରୀର। ନିଜ ପ୍ରିୟ ନେତାଙ୍କ ଅନ୍ତିମ ଦର୍ଶନ ପାଇଁ ସେଠାରେ ଅପେକ୍ଷା କରି ରହିଥିଲେ ଦଳର ହଜାର ହଜାର କର୍ମୀ ଏବଂ ବହୁ ବରିଷ୍ଠ ଓ କନିଷ୍ଠ ନେତା। ବିଜେପି କାର୍ଯ୍ୟାଳୟରୁ ଆରମ୍ଭ ହୋଇଥିଲା ଅନ୍ତିମ ଯାତ୍ରା। ସାମିଲ ହୋଇଥିଲେ ହଜାର ହଜାର ଲୋକ। ରାସ୍ତାର ଦୁଇ ପାର୍ଶ୍ୱରେ ବି ଲୋକେ ଉପସ୍ଥିତ ରହି ଅରୁଣଙ୍କୁ ଜଣାଇଥିଲେ ଅନ୍ତିମ ବିଦାୟ। ଆଜି ତାଙ୍କୁ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରାଯାଇଥିଲା । କିଛି ଦିନ ଧରି ଚିକିତ୍ସାଧୀନ ରହିବା ପରେ ଗତକାଲି ଦିଲ୍ଲୀ ଏମ୍‌ସରେ ଜେଟ୍‌ଲୀଙ୍କ ଦେହାନ୍ତ ଘଟିଥିଲା ୬୬ ବର୍ଷ ବୟସରେ ।

jaitley-3