ବିବାହ ଉତ୍ସବରେ ଫୁଟିଲା ବୋମା, ବିସ୍ଫୋରଣରେ ୬୩ ମୃତ ଓ ୧୮୨ ଆହତ

ଆଫଗାନିସ୍ଥାନର ରାଜଧାନୀ କାବୁଲରେ ଗତକାଲି ବିଳମ୍ବିତ ରାତିରେ ହେଉଥିବା ଏକ ବିବାହ ସମାରୋହରେ ବମ ବିସ୍ଫୋରଣ ହୋଇଛି । ଏଥିରେ ୬୩ ଜଣ ଲୋକଙ୍କ ମୃତ୍ୟୁ ହେବା ସହିତ ୧୮୨ ରୁ ଉର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି । ଏହି ଘଟଣାରେ ମୃତାହତଙ୍କ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି ।

ଏହି ବିସ୍ଫୋରଣ ବିଷୟରେ ସମ୍ପୂର୍ଣ ତଥ୍ୟ ମିଳିପାରି ନାହିଁ ସେଥିପାଇଁ ଏହି ବିସ୍ଫୋରଣ ପଛରେ କାରଣ କଣ ଥିଲା ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ । ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ ମୃତକଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି ସେଥିପାଇଁ ଏବେ ମୃତାହତଙ୍କ ସଂଖ୍ୟା ସମ୍ପୂର୍ଣ ଭାବେ ଆକଳନ କରିବା ସମ୍ଭବ ନୁହେଁ ।

ସୂଚନା ଅନୁଯାୟୀ ଏହି ବିସ୍ଫୋରଣ କାବୁଲର ପଶ୍ଚିମ ଭାଗ ଏକ ୱେଡିଙ୍ଗ ହଲରେ ହୋଇଥିଲା । ଏହା ସହରର ଏକ ଏପରି ଅଂଚଳ ଅଟେ ଯେଉଁଠି ହଜାରା ସମ୍ପ୍ରଦାୟର ଲୋକ ଅଧିକ ମାତ୍ରାରେ ବାସ କରନ୍ତି । ଏହି ବିସ୍ଫୋରଣ ସହିତ ଆଫଗାନିସ୍ତାନରେ ଗତ କିଛିଦିନ ହେବ ବଜାୟ ରହିଥିବା ଶାନ୍ତିକୁ ଛଡ଼ାଇ ନିଆଯାଇଛି । ସୂଚନା ଅନୁଯାୟୀ ଦଶ ଦିନ ପୂର୍ବରୁ ଆଫଗାନର ସୁରକ୍ଷା କର୍ମୀ ମାନଙ୍କୁ ତାଲିବାନ ଟାର୍ଗେଟ କରିଥିଲା । ସେଥିପାଇଁ ସେମାନେ କାର ବମର ମଧ୍ୟ ବ୍ୟବହାର କରିଥିଲେ । ଏହି ବିସ୍ଫୋରଣରେ ୧୪ ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ୧୪୫ରୁ ଉର୍ଦ୍ଧ୍ୱ ଆହତ ହୋଇଥିଲେ ଯେଉଁଥିରେ ଅଧିକ ମାତ୍ରାରେ ସାଧାରଣ ନାଗରିକ ଥିଲେ ।

ସେଠାକାର ଗୃହ ମନ୍ତ୍ରଣାଳୟର ମୁଖପାତ୍ର ନୁସରତ ରହିମିଙ୍କ ସୂଚନା ଅନୁଯାୟୀ ଗତକାଲି ରାତି ପ୍ରାୟ ୧୦:୪୦ ସମୟରେ ସେର-ଏ-ଦୁବାଇ ୱେଡିଙ୍ଗ ହଲରେ ଏକ ଧମାକାଦାର ବିସ୍ଫୋରଣ ହୋଇଥିଲା । ଏଥିରେ ଅନେକ ଲୋକ ମରିଯାଇଥିଲେ ଏବଂ ଏକ ବେସରକାରୀ ସଂଗଠନ ପକ୍ଷରୁ ୨୦ ଜଣଙ୍କୁ କାବୁଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ସୂଚନା ମିଳିଛି ।

ସେଠାରେ ରହୁଥିବା ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଏହି ବିସ୍ଫୋରଣ ଘଟିବା ପୂର୍ବରୁ ସେଠାରେ କିଛି ଚାଲିଥିଲା । ରାତି ପ୍ରାୟ ୧୦.୩୦ ସମୟରେ ଆମେ ଶୋଇବାକୁ ଯାଉଥିଲୁ ଏବଂ ଅଚାନକ ଏକ ଭୟଙ୍କର ଶବ୍ଦ ଶୁଣିଲୁ । ହଠାତ କଣ ଘଟିଲା ତାହା ବୁଝିପାରିଲୁ ନାହିଁ ସେଥିପାଇଁ ବାହାରକୁ ଆସି ଦେଖୁ ତ ୱେଡିଙ୍ଗ ହଲରୁ ଧୂଆଁ ବାହାରୁଛି ଏବଂ ଏଣେତେଣେ ଶବ ଗୁଡିକ ବିଛାଡ଼ି ହୋଇ ପଡିଛି । ଏହା ସହିତ ଅନେକ ଲୋକ ଆହତ ହୋଇ ବିକଳରେ ଚିତ୍କାର କରୁଥିଲେ । ପୋଲିସ ଏବଂ ଆମ୍ବୁଲାନ୍ସ ସାହାଯ୍ୟରେ ଆହତ ମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି ଘଟଣା ପରେ ସେଠାକାର ସ୍ଥାନୀୟ ଲୋକେ ଭୟଭୀତ ହୋଇ ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.