ତିହାର ଜେଲ୍‌ରେ ରକ୍ତାକ୍ତ ସଂଘର୍ଷ: ଦୁଇ ଗୋଷ୍ଠୀ ପରସ୍ପରକୁ କଲେ ଛୁଞ୍ଚିରେ ଆକ୍ରମଣ, ୪ କଏଦୀ ଆହତ

ଦିଲ୍ଲୀର ତିହାର ଜେଲରେ ପୁଣି ଦୁଇ ଗୋଷ୍ଠୀ କଏଦୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି । ଶୌଚାଳୟ ଯିବାକୁ ନେଇ ଦୁଇ ଗୋଷ୍ଠୀ ସଂଘର୍ଷ କରିଥିଲେ ।

ଦିଲ୍ଲୀର ତିହାର ଜେଲରେ ପୁଣି ଦୁଇ ଗୋଷ୍ଠୀ କଏଦୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି । ଶୌଚାଳୟ ଯିବାକୁ ନେଇ ଦୁଇ ଗୋଷ୍ଠୀ ସଂଘର୍ଷ କରିଥିଲେ । ଉଭୟ ଗୋଷ୍ଠୀ ପରସ୍ପର ସହ କେବଳ ମାରପିଟ କରି ନ ଥିଲେ, ବରଂ ଛୁଞ୍ଚିରେ ମଧ୍ୟ ଆକ୍ରମଣ କରିଥିଲେ । ଜେଲ ସୂତ୍ରରୁ ପ୍ରକାଶ ଯେ ଏହି ଘଟଣା ତିହାରର ୩ ନମ୍ବର ଜେଲରେ ଘଟିଛି ।

ଜେଲରେ ନିଜର ଦବଦବା କାଏମ୍‌ ରଖିବାକୁ ନେଇ ଦୁଇ ଗୋଷ୍ଠୀ ପରସ୍ପର ସହ ସଂଘର୍ଷ କରିଥିଲେ । ଦେଖୁ ଦେଖୁ ମାମଲା ଏତେ ବଢ଼ିଯାଇଥିଲା ଯେ ଛୁଞ୍ଚିରେ ମଧ୍ୟ ସେମାନେ ଆକ୍ରମଣ କରିବାକୁ ପଛାଇ ନ ଥିଲେ । ଏହି ଗୋଷ୍ଠୀ ସଂଘର୍ଷରେ ୪ ଜଣ କଏଦୀ ଆହତ ହୋଇଥିବା ସୂଚନା ରହିଛି । ଘଟଣା ସୋମବାର ଘଟିଥିଲା । ଏ ନେଇ ହରିନଗର ଥାନାରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ମାରପିଟ ବେଳେ ଏକ ଗୋଷ୍ଠୀ ଅନ୍ୟ ଗୋଷ୍ଠୀର ୪ ଜଣଙ୍କୁ ଜେଲ ତିଆରି ଛୁଞ୍ଚିରେ ଆକ୍ରମଣ କରିଥିଲେ । କଏଦୀମାନଙ୍କ ଚିତ୍କାର ଶୁଣି ଜେଲ୍‌ର ୱାର୍ଡେନ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ତୁରନ୍ତ ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ ।

କହି ରଖୁଛୁ ଯେ ଦେଶର ସବୁଠାରୁ ସୁରକ୍ଷିତ ଜେଲ୍‌ କୁହାଯାଉଥିବା ତିହାରରେ ଏଭଳି ଘଟଣା ପ୍ରଥମ ନୁହେଁ, ପୂର୍ବରୁ ମଧ୍ୟ କଏଦୀମାନଙ୍କ ମଧ୍ୟରେ ସଂଘର୍ଷ ଏବଂ ଗ୍ୟାଙ୍ଗ୍‌ଓ୍ଵାର ଭଳି ଖବର ଆସିସାରିଛି । ୨୦୨୩ରେ ଠିକ୍‌ ଏହିଭଳି ଏକ ଘଟଣା ଘଟିଥିଲା । ତିହାରରେ ରହୁଥିବା ଗ୍ୟାଙ୍ଗଷ୍ଟର ଟିଲୁ ତାଜପୁରିଆଙ୍କୁ ଛୁରୀରେ ଆକ୍ରମଣ କରି ହତ୍ୟା କରାଯାଇଥିଲା । ଏହି ଘଟଣାର ଭିଡିଓ ଅତ୍ୟନ୍ତ ଭୟଙ୍କର ଥିଲା । ଅନ୍ୟ ଗୋଷ୍ଠୀର କଏଦୀମାନେ ଟିଲୁଙ୍କୁ ଘୋଷାଡ଼ି ନେଇଯାଇଥିଲେ ଏବଂ ତାଙ୍କୁ ଘେରି ଯାଇ ବାରମ୍ବାର ଛୁରୀ ଭୁସିଥିଲେ ।

ଏବେ ଶୌଚାଳୟ ବ୍ୟବହାରକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି । ଦୁଇ ଗୋଷ୍ଠୀ ପରସ୍ପରକୁ ଛୁଞ୍ଚିରେ ଆକ୍ରମଣ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.