ରାଜସ୍ଥାନ: ଜୈସଲମେର୍‌ରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦରେ ଥରିଲେ ଲୋକେ

ରାଜସ୍ଥାନର ଜୈସଲମେରରେ ଆଜି ସକାଳେ ଭାରତୀୟ ବାୟୁସେନାର ଏକ ସନ୍ଧାନୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣା ଜିଲ୍ଲା ମୁଖ୍ୟାଳୟଠାରୁ ୩୦ କିଲୋମିଟର ଦୂର ଏକ ଗ୍ରାମ ନିକଟରେ ଘଟିଛି ।

ରାଜସ୍ଥାନର ଜୈସଲମେରରେ ଆଜି ସକାଳେ ଭାରତୀୟ ବାୟୁସେନାର ଏକ ସନ୍ଧାନୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣା ଜିଲ୍ଲା ମୁଖ୍ୟାଳୟଠାରୁ ୩୦ କିଲୋମିଟର ଦୂର ରୋଜାନିଆର ଢାଣି ଜଜିଆ ଗ୍ରାମ ନିକଟରେ ଘଟିଛି । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇ ଜିଲ୍ଲା ପ୍ରଶାସନ ସହିତ ବାୟୁସେନାର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ ।

ବିମାନରେ ଲାଗିଥିବା ନିଆଁକୁ ଲିଭାଇବା ପାଇଁ ଅଗ୍ନିଶମ ଗାଡ଼ି ପହଞ୍ଚିଥିଲା । ବର୍ତ୍ତମାନ ନିଆଁକୁ ଆୟତ୍ତ କରି ନିଆଯାଇଛି । ନିଆଁ ଲାଗିବା ଯୋଗୁ ବିମାନଟି ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଛି । ତେବେ ଏହି ଦୁର୍ଘଟଣାରେ ମୃତାହତର କୌଣସି ଖବର ନାହିଁ । ଦୁର୍ଘଟଣାସ୍ଥଳକୁ ସିଲ୍ କରି ଦିଆଯାଇଛି ।

କହି ରଖୁଛୁ ଯେ ବାୟୁସେନାର ସନ୍ଧାନୀ ବିମାନରେ କେହି ପାଇଲଟ୍‌ ନ ଥାଆନ୍ତି । ଏହାକୁ ରିମୋଟ୍‌ ଦ୍ୱାରା ଅପରେଟ୍‌ କରାଯାଇଥାଏ । ସୀମାବର୍ତ୍ତୀ ଅଞ୍ଚଳରେ ଗୁପ୍ତଚର ଗତିବିଧି ଉପରେ ନଜର ରଖିବା ପାଇଁ ଏହି ବିମାନକୁ କାମରେ ଲଗାଯାଏ । ଜୈସଲମେରର ଏକ ଗାଁ ନିକଟରେ ବିମାନଟି ପ୍ରଚଣ୍ଡ ବିସ୍ଫୋରଣ ସହିତ କ୍ରାସ୍‌ ହୋଇଥିଲା ।

ସ୍ଥାନୀୟ ଗ୍ରାମବାସୀ କହିଛନ୍ତି ଯେ ଆକାଶରୁ କ୍ଷୀପ୍ର ଗତିରେ ବିମାନଟି ଆସି ତଳେ ପଡିଥିଲା । ଏହି ସମୟରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା । ସକାଳୁ ବିସ୍ଫୋରଣ ଶବ୍ଦ ଶୁଣି ଗ୍ରାମବାସୀ ଭୟଭୀତ ହୋଇପଡ଼ିଥିଲେ । ବିମାନ କ୍ରାସ୍‌ ହୋଇଥିବା ସ୍ଥାନରୁ ନିଆଁ ଓ ଧୂଆଁ ବାହାରୁଥିଲା ।

ଖବର ପାଇ ବାୟୁସେନା ଅଧିକାରୀ ଏବଂ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ଅଗ୍ନିଶମ ବାହିନୀ ସହାୟତାରେ ନିଆଁ ଲିଭାଯାଇଥିଲା । ଦୁର୍ଘଟଣାର ତଦନ୍ତ କରାଯାଉଥିବା ବେଳେ ଦୁର୍ଘଟଣାସ୍ଥଳକୁ କାହାକୁ ଯିବା ପାଇଁ ଦିଆଯାଉ ନାହିଁ ।

ଏ ସମ୍ପର୍କରେ ବାୟୁସେନା ‘X’ରେ ଏକ ପୋଷ୍ଟରେ କହିଛି, ଭାରତୀୟ ବାସୁସେନାର ଏକ ରିମୋଟ୍‌ ସଞ୍ଚାଳିତ ବିମାନ ଆଜି ନିୟମିତ ପ୍ରଶିକ୍ଷଣ ଉଡ଼ାଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଜୈସଲମେର ନିକଟରେ ଏହା କ୍ରାସ୍‌ ହୋଇଛି । ଆଇଏଏଫ୍‌ ଆହୁରି ମଧ୍ୟ କହିଛି ଯେ ଏଥିରେ ବ୍ୟକ୍ତି କିମ୍ବା ସମ୍ପତ୍ତିକୁ କୌଣସି କ୍ଷତି ହୋଇନାହିଁ । ଦୁର୍ଘଟଣାର କାରଣ ବିଷୟରେ ଜାଣିବା ପାଇଁ କୋର୍ଟ ଅଫ୍‌ ଇନ୍‌କ୍ୱାରୀ ନିର୍ଦ୍ଦେଶ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.