Below header

କେରଳ : ନାବାଳିକା ଝିଅକୁ ଦୁଷ୍କର୍ମ ଏବଂ ଗର୍ଭବତୀ କରିବା ଅପରାଧରେ ବାପାକୁ ତିନିଥର ଆଜୀବନ କାରାଦଣ୍ଡାଦେଶ

ଝିଅକୁ ଦୁଷ୍କର୍ମ ଏବଂ ଗର୍ଭବତୀ କରିବା ଅପରାଧରେ ବାପାକୁ ତିନିଥର ଆଜୀବନ କାରାଦଣ୍ଡାଦେଶ । ଖବରଟି ଆପଣଙ୍କୁ ନିଶ୍ଚିତ ବିଚଳିତ କରିପାରେ । କିନ୍ତୁ ଏମିତି ଘଟଣା ଘଟିଛି କେରଳର ମାଲାପୁରମ ଅଞ୍ଚଳରେ । ନିଜ ନାବାଳିକା ଝିଅ ସହ ବାରମ୍ବାର ଦୁଷ୍କର୍ମ କରିବା ଏବଂ ତାକୁ ଗର୍ଭବତୀ କରିବା ଅପରାଧରେ ମାଲାପୁରମ୍ ଅଞ୍ଚଳର ଜଣେ ବ୍ୟକ୍ତିକୁ କେରଳର ଏକ କୋର୍ଟ ତିନି ଥର ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି।

ମଞ୍ଜେରୀ ଫାଷ୍ଟଟ୍ରାକ୍ ସ୍ବତନ୍ତ୍ର କୋର୍ଟର ବିଚାରପତି ରାଜେଶ କେ ଅଭିଯୁକ୍ତ ବାପାକୁ ଦୋଷୀ ସାବ୍ୟସ୍ତ କରି ପୋକ୍ସୋ ଆଇନର ବିଭିନ୍ନ ଦଫାରେ ଏହି ଦଣ୍ଡ ପ୍ରଦାନ କରିଛନ୍ତି। ବଞ୍ଚିଥିବା ପର୍ଯ୍ୟନ୍ତ ସେ ଜେଲ ଭିତରେ ରହିବ ବୋଲି ସ୍ବତନ୍ତ୍ର ପବ୍ଲିକ୍ ପ୍ରସିକ୍ୟୁଟର ଏ ସୋମସୁନ୍ଦରନ୍ କହିଛନ୍ତି। ଏହା ସହ କୋର୍ଟ ମଧ୍ୟ ତାକୁ ୬.୬ ଲକ୍ଷ ଟଙ୍କାର ଜରିମାନା କରିଛନ୍ତି।

ସୂଚନାଯୋଗ୍ୟ, ଅପରାଧୀ ଜଣକ ୨୦୨୧ ମାର୍ଚ୍ଚ ମାସରେ ଝିଅକୁ ୧୫ ବର୍ଷ ହୋଇଥିବା ବେଳେ ତାକୁ ବଳାତ୍କାର କରିଥିଲା । କୋଭିଡ୍-୧୯ ସମୟରେ ସ୍କୁଲ ବନ୍ଦ ଥିବା ଓ ଅନ୍ଲାଇନ୍ କ୍ଲାସ୍ ଚାଲିଥିବାରୁ ଝିଅ ସେତେବେଳେ ଘରେ ରହୁଥିଲା। ବାପା ବେଡରୁମକୁ ଡାକିନେଇ ତାକୁ ଦୁଷ୍କର୍ମ କରିଥିଲା । ଝିଅ ପ୍ରତିବାଦ କରିବାରୁ ସେ ତା’ ମାଆକୁ ମାରିଦେବ ବୋଲି ଧମକ ଦେଇଥିଲା। ତା’ ପର ଠାରୁ ଝିଅକୁ ଲଗାତାର ବାପା ଦୁଷ୍କର୍ମ କରିଆସୁଥିଲା । ୨୦୨୧ରେ ଝିଅକୁ ଅନେକ ଥର ବଳାତ୍କାର କରିଥିଲା ।

ତେବେ ଝିଅ ଗର୍ଭବତୀ ହେବା ପରେ ଜାନୁଆରୀ ୨୦୨୨ରେ ଘଟଣା ପଦାକୁ ଆସିଥିଲା। ପେଟ ଯନ୍ତ୍ରଣା ବଢିବା ପରେ ଡାକ୍ତରକୁ ଦେଖାଇଥିଲେ । ଆଉ ଡାକ୍ତରଙ୍କ ଆଗରେ ଝିଅଟି ସତକଥା ମାନିଥିଲା। ଏହାପରେ ମାମଲା ରୁଜୁ ହୋଇଥିଲା ଏବଂ ଡିଏନ୍ଏ ପରୀକ୍ଷାରୁ ଝିଅ କଥା ସତ ବୋଲି ପ୍ରମାଣିତ ହୋଇଥିଲା। ତେବେ ଏହି ମାମଲାରେ ଅପରାଧିକୁ ଗିରଫ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.