ଜମ୍ମୁ-କାଶ୍ମୀର: ଗୁଲମାର୍ଗରେ ହିମସ୍ଖଳନ; ବରଫ ଭିତରେ ଦବି ୨ ବିଦେଶୀ ନାଗରିକଙ୍କ ମୃତ୍ୟୁ, ୧୯ ଆହତ
ଉତ୍ତର କାଶ୍ମୀରର ବାରମୂଳା ଜିଲ୍ଲାରେ ବୁଧବାର ଭୟଙ୍କର ହିମସ୍ଖଳନ ହୋଇଛି। ଏଥିରେ ଅନେକ ଲୋକ ଦବି ରହିଥିବା ଖବର ପାଇ ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍ ପହଞ୍ଚିଥିଲା। ସଙ୍ଗେ ସଙ୍ଗେ ରେସ୍କ୍ୟୁ ଅପରେସନ ଆରମ୍ଭ କରାଯାଇ ବରଫ ଭିତରୁ ୨ ବିଦେଶୀ ନାଗରିକଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା। ଏଥିରେ ଅନ୍ୟ ୧୯ ଜଣ ବିଦେଶୀ ନାଗରିକଙ୍କୁ ରକ୍ଷା କରାଯାଇଥିବା ଜଣାପଡ଼ିଛି। ସେମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ପ୍ରଶାସନିକ ଅଧିକାରୀଙ୍କ ମୁତାବକ, ଗୁଲମାର୍ଗସ୍ଥିତ ପ୍ରସିଦ୍ଧ ସ୍କାଇ ରିସର୍ଟ ମଧ୍ୟ ହିମସ୍ଖଳନ ସଂସ୍ପର୍ଶରେ ଆସିଛି। ଏ ନେଇ ସୂଚନା ମିଳିବା କ୍ଷଣି ଉଦ୍ଧାର ଅଭିଯାନ ଆରମ୍ଭ କରାଯାଇଥିଲା। ମୃତକ ଦ୍ୱୟଙ୍କ ଚିହ୍ନଟ କରାଯାଉଥିବା ବେଳେ ସମସ୍ତଙ୍କୁ ରେସ୍କ୍ୟୁ କରି ନିଆଯାଇଥିବା ଜଣାପଡ଼ିଛି।
କହି ରଖୁଛୁ, ଗତ ରବିବାର ଲଦାଖ ଅଞ୍ଚଳର ତଙ୍ଗୋଲ ଗାଁରେ ମଧ୍ୟ ହିମସ୍ଖଳନ ହୋଇଥିଲା, ଯେଉଁଥିରେ ୨ ବାଳିକାଙ୍କର ମୃତ୍ୟୁ ଘଟିଥିଲା। ତଙ୍ଗୋଲ ଗାଁ କାରଗିଲ୍ଠାରୁ ପାଖାପାଖି ୭୮ କିଲୋମିଟର ଦୂର ଜନାସ୍କର ରାଜପଥରେ ରହିଛି। ଏଠାରେ ଗତ କିଛିଦିନ ଧରି ପ୍ରବଳ ତୁଷାରପାତ ପରେ ପାହାଡ଼ଗୁଡ଼ିକ ଉପରେ ଭୀଷଣ ବରଫ ଜମା ହୋଇଥିଲା।
ଏଥି ପୂର୍ବରୁ ଗତ ଶୁକ୍ରବାର ଜମ୍ମୁ-କାଶ୍ମୀରର କତ୍ସଓ୍ଵାଡ ଜିଲ୍ଲାର ଦୂରଦରାଜର ପଦ୍ଦାର ଅଞ୍ଚଳରେ ବି ହିମସ୍ଖଳନ ହୋଇଥିଲା। ଯଦିଓ ଏଥିରେ କୌଣସି କ୍ଷୟକ୍ଷତି ହୋଇ ନ ଥିଲା। ପ୍ରଶାସନ କହିଛି ଯେ ଜମ୍ମୁ-କାଶ୍ମୀରର ବିଭିନ୍ନ ଅଞ୍ଚଳରେ ହିମସ୍ଖଳନର ଚେତାବନୀ ଜାରି କରାଯାଇଛି।