ଚଳିତ ଲୋକସଭା ନିର୍ବାଚନ ପାଇଁ ଅରୁଣାଚଳ ପ୍ରଦେଶରେ ପଡ଼ିଲା ପ୍ରଥମ ଭୋଟ୍

ଚଳିତ ଲୋକସଭା ନିର୍ବାଚନ ପାଇଁ ପଡ଼ିଲା ପ୍ରଥମ ଭୋଟ୍। ଅରୁଣାଚଳ ପ୍ରଦେଶରେ ଇଣ୍ଡୋ ତିବ୍ଦତାନ୍ ବର୍ଡର ପୋଲିସରେ କାର୍ୟ୍ୟରତ ଅଫିସର ଓ ଯବାନ ମତାଧିକାର ସାବ୍ୟସ୍ତ କରିଛନ୍ତି। ସିକ୍ରେଟ ପୋଷ୍ଟାଲ୍ ବାଲଟରେ ଭୋଟ୍ ଦେଇଛନ୍ତି। ପ୍ରଥମ ମତଦାନ କରିଥିଲେ ଆଇଟିବିପି ଡିଆଇଜି ସୁଧାର ନଟରାଜନ୍। ଆସନ୍ତା ୧୧ ତାରିଖରେ ପ୍ରଥମ ପର୍ୟ୍ୟାୟରେ ଭୋଟ୍ ନିଆଯିବ। ତାର ୫ ଦିନ ପୂର୍ବରୁ ପୋଷ୍ଟାଲ ବାଲଟରେ ମତଦାନ ନିଆଯାଇଛି।
କେନ୍ଦ୍ରୀୟ ସୁରକ୍ଷା ବାହିନୀରେ କାର୍ୟ୍ୟରତ ବ୍ୟକ୍ତିଙ୍କୁ ସର୍ଭିସ ଭୋଟର ଭାବରେ ବିବେଚନା କରାଯାଏ। ନିଜ ନିଜ ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ସେମାନଙ୍କ ପାଖକୁ ପଠାଇ ଥାଆନ୍ତି ପୋଷ୍ଟାଲ ବାଲଟ୍। ଦସ୍ତଖତ ସହ ୧୩- A ଫର୍ମକୁ ସର୍ଭିସ ଭୋଟର ପୂରଣ କରି ୟନିଟ୍ର କମାଣ୍ଡିଂ ଅଫିସରଙ୍କୁ ଦେଇ ଥାଆନ୍ତି। ଯାଞ୍ଚ ପରେ ଦସ୍ତଖତକୁ ସଂଲଗ୍ନ କରି ରିଟର୍ଣ୍ଣିଂ ଅଫିସରଙ୍କ ପାଖକୁ ପଠାଇ ଥାଆନ୍ତି କମାଣ୍ଡିଂ ଅଫିସର। ଚଳିତବର୍ଷ ଦେଶରେ ୩୦ ଲକ୍ଷ ସର୍ଭିସ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ।