ଦିଲ୍ଲୀ ଚାରିଆଡ଼ ଜଳାର୍ଣ୍ଣବ, ୧୯୭୮ ପରେ ରାଜଧାନୀରେ ସବୁଠାରୁ ବଡ଼ ବନ୍ୟା

ଦିଲ୍ଲୀରେ ଯମୁନା ଯନ୍ତ୍ରଣା। ୧୯୭୮ ପରେ ରାଜଧାନୀରେ ସବୁଠାରୁ ବଡ଼ ବନ୍ୟା। କେବଳ ସହର ତଳି ବୁଡ଼ିନି, ଐତିହାସିକ ଲାଲକିଲ୍ଲାକୁ ପଶିଛି ଯମୁନାର ଜଳ। ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ ପାଣି। ଚାରିଆଡ଼ ଜଳାର୍ଣ୍ଣବ। ତିନିଟି ୱାଟର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟରେ ବନ୍ୟା ଜଳ ପଶିଥିବାରୁ ଦିଲ୍ଲୀରେ ପାନୀୟ ଜଳ ସଙ୍କଟ ନେଇ ଆଶଙ୍କା ସୃଷ୍ଟି ହୋଇଛି।

ନୂଆଦିଲ୍ଲୀ : ଦିଲ୍ଲୀରେ ଯମୁନା ଯନ୍ତ୍ରଣା। ୧୯୭୮ ପରେ ରାଜଧାନୀରେ ସବୁଠାରୁ ବଡ଼ ବନ୍ୟା। କେବଳ ସହର ତଳି ବୁଡ଼ିନି, ଐତିହାସିକ ଲାଲକିଲ୍ଲାକୁ ପଶିଛି ଯମୁନାର ଜଳ। ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ ପାଣି। ଚାରିଆଡ଼ ଜଳାର୍ଣ୍ଣବ। ତିନିଟି ୱାଟର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟରେ ବନ୍ୟା ଜଳ ପଶିଥିବାରୁ ଦିଲ୍ଲୀରେ ପାନୀୟ ଜଳ ସଙ୍କଟ ନେଇ ଆଶଙ୍କା ସୃଷ୍ଟି ହୋଇଛି। ସ୍ଥିତିର ଗମ୍ଭୀରତାକୁ ଦେଖି ସ୍କୁଲ, କଲେଜକୁ ରବିବାର ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି। ସେପଟେ ଯମୁନାର ଜଳସ୍ତର ବଢୁଥିବାରୁ ବନ୍ୟା ସ୍ଥିତି ଆହୁରି ଜଟିଳ ହୋଇପାରେ।

କେଉଁଠି ବୁଡ଼ିଛି ଘର, ଆଉ କେଉଁଠି ପାଣି ଭିତରେ ଫସିଛି ପୋଲିସ ଭ୍ୟାନ । ରାଜଧାନୀ ଦିଲ୍ଲୀରେ ବନ୍ୟା ବିଭୀଷିକା। ଯମୁନାରେ ଜଳସ୍ତର ବିପଦ ସଙ୍କେତ ପାର କରିବା ପରେ ରାଜଧାନୀର ବହୁ ତଳିଆ ଅଞ୍ଚଳ ଜଳମଗ୍ନ। ସହର ଭିତରେ ଆଣ୍ଠୁଏ ଆଣ୍ଠୁଏ ପାଣି। ଅଧିକାଂଶ ରାସ୍ତା ବନ୍ଦ। ଘରେ ପାଣି ପଶିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

କାଳିନ୍ଦୀକୁଞ୍ଜ, ଯମୁନାବଜାର, ୱାଜିରାବାଦ, ଗୀତା ଘାଟ, ଓଲ୍‌ଡ ରେଲୱେ ବ୍ରିଜ, ଖଡ଼ା କଲୋନୀ ଆଦି ଅଞ୍ଚଳରେ ପଶିଛି ପାଣି। ଲାଲ୍‌ କିଲ୍ଲା ପର୍ଯ୍ୟନ୍ତ ପଶିଛି ଯମୁନାର ବଢି ପାଣି। କଶ୍ମିରୀ ଗେଟ୍‌ ଅଞ୍ଚଳରେ ଆଣ୍ଠୁଏ ଉପରେ ପାଣି ପ୍ରବାହିତ ହେଉଥିବାରୁ ରବିବାର ଯାଏ ଦୋକାନ ବଜାର ବନ୍ଦ କରି ଦିଆଯାଇଛି। ୧୯୭୮ ପରେ ଦିଲ୍ଲୀରେ ସବୁଠାରୁ ବଡ଼ ବନ୍ୟା। ସର୍ବାଧିକ ବିପଦ ସଙ୍କେତ ଉପରେ ବହୁଛି ଯମୁନା। ରାଜଧାନୀରେ ବନ୍ୟା ଜଳ ପ୍ରଭାବରେ ଗମନାଗମନ ଠପ୍‌ ।

ବନ୍ୟାର ପ୍ରଭାବ ମେଟ୍ରୋ ରେଲ୍‌ ଉପରେ ମଧ୍ୟ ପଡ଼ିଛି। ଉତ୍ତର ରେଳବାଇର ବହୁ ଟ୍ରେନକୁ ରଦ୍ଦ କରାଯାଇଥିବା ବେଳେ ଆଉ କିଛି ଟ୍ରେନର ଗତିପଥକୁ ବଦଳାଯାଇଛି। ଜଳସ୍ତର ବଢିବା ପରେ ପୋଲିସ, ଏନଡିଆରଏଫ ସହାୟତାରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ଆଗାମୀ ତିନି ଚାରି ଦିନ ପର୍ଯ୍ୟନ୍ତ ଦିଲ୍ଲୀର ଅଧିକାଂଶ ଅଞ୍ଚଳରେ ପିଇବା ପାଣି ସଙ୍କଟ ଉପୁଜିବା ଆଶଙ୍କା ରହିଛି। ୱାଜିରାବାଦ, ଚନ୍ଦ୍ରୱାଲ ଓ ଓଖ୍‌ଲାରେ ଥିବା ତିନିଟି ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟରେ ବନ୍ୟା ଜଳ ପଶିଥିବାରୁ ଜଳଯୋଗାଣ ବ୍ୟାହତ ହୋଇପାରେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜି୍ରୱାଲ।