Below header

ଖୁବ ଶୀଘ୍ର ଭାରତରେ ବିକ୍ରି ହେବ କୋଭିଡ୍‌ ବଟିକା ମୋଲନୁପିରାଭିର, DCGI ଅନୁମତିକୁ ଅପେକ୍ଷା

କେନ୍ୟୁଜ୍(ବ୍ୟୁରୋ): ଦେଶରେ ଚାଲିଛି କୋଭିଡ୍‌ ଟିକାକରଣ। ଖୁବ ଶୀଘ୍ର ଉପଲବ୍ଧ ହେବାକୁ ଯାଉଛି କୋଭିଡ୍‌ ବଟିକା। ଜରୁରୀକାଳୀନ ବ୍ୟବହାର ଲାଗି ଶୀଘ୍ର ମୋଲନୁପିରାଭିରକୁ ମିଳିପାରେ ଡିସିଜିଆଇ ଅନୁମତି। ମୋଲନୁପିରାଭିରର ତଥ୍ୟ ଅନୁଧ୍ୟାନ କରୁଛି ସବ୍‌ଜେକ୍ଟ ଏକ୍ସପର୍ଟ କମିଟି। ବିଶ୍ୱର ପ୍ରଥମ କୋଭିଡ୍‌ ବଟିକା ମୋଲନୁପିରାଭିରକୁ ପ୍ରସ୍ତୁତ କରୁଛି ମର୍କ କମ୍ପାନୀ। ୟୁକେରେ ଏହାର ବ୍ୟବହାର ଲାଗି ଅନୁମତି ମିଳି ସାରିଛି। ଭାରତରେ ଏହି ବଟିକା ମୋଲ୍‌କ୍ସଭିର ନାଁରେ ଉପଲବ୍ଧ ହେବ। ଏହାକୁ ପ୍ରସ୍ତୁତ କରୁଛି ସନ୍‌ ଫାର୍ମା। ଭାରତରେ ବଟିକା ପ୍ରସ୍ତୁତ ନେଇ ସନ୍‌ ଫାର୍ମା, ମର୍କ ସହ ଚୁକ୍ତି କରିଛି । ଭାରତରେ ସନ୍‌ଫାର୍ମା ପକ୍ଷରୁ କୁହାଯାଇଛି, ଡିସିଜିଆଇ ଅନୁମତି ପରେ ଭାରତରେ ଏହାକୁ ସୁଲଭ ଦରରେ ଉପଲବ୍ଧ କରାଯିବ। କେବଳ ସନ୍‌ଫାର୍ମା ନୁହଁ ଆଉ ୪ଟି କମ୍ପାନୀ ମଧ୍ୟ ଭାରତରେ ମୋଲନୁପିରାଭିର ବଟିକା ପ୍ରସ୍ତୁତ କରୁଥିବା ଜଣା ପଡିଛି।

ବୟସ୍କଙ୍କ ଲାଗି କୋଭିଡ୍‌ ବଟିକା। କୋଭିଡ୍‌ ଲକ୍ଷଣ ଦେଖାଦେବାର କିଛି ଦିନ ଭିତରେ ବଟିକା ଖାଇବାକୁ ପଡିବ। ଅଳ୍ପ-ମଧ୍ୟମ ଧରଣ ଲକ୍ଷଣ ଥିବା ରୋଗୀ ଯିଏ ଅଧିକ ଗୁରୁତର ହେବା ଆଶଙ୍କା ରହିଛି, ତାଙ୍କୁ ଏହି ବଟିକା ଦିଆଯାଇ ପାରିବ। ତେବେ କେଉଁ ମାନେ ଏହି ବଟିକା ଖାଇବେ ସେ ନେଇ ଅଧିକ ତର୍ଜମା ଚାଲିଛି। କୁହାଯାଉଛି, ଆରମ୍ଭରେ ଗୋଟିଏ ପର୍ଯ୍ୟାୟ ଚିକିତ୍ସା ଲାଗି ମୋଲ୍‌କ୍ସଭିର ବଟିକାର ଦର ୨ ହଜାରରୁ ୪ ହଜାର ଟଙ୍କା ମଧ୍ୟରେ ରହିପାରେ। ପରବର୍ତ୍ତୀ ସମୟରେ ବଟିକାର ଦାମ ହ୍ରାସ ପାଇ ୫ଶହରୁ ଏକ ହଜାର ଟଙ୍କା ମଧ୍ୟରେ ରହିବ।

 ବିଶ୍ୱରେ ମର୍କର ମୋଲନୁପିରାଭିର ସହ ଫାଇଜର ପ୍ରସ୍ତୁତ କରିଛି ପାକ୍‌ସଲୋଭିଡ୍‌ ବଟିକା। କିନ୍ତୁ ଫାଇଜରର ବଟିକାକୁ ଭାରତରେ ଅନୁମତି ମିଳିବାକୁ ସମୟ ଲାଗିପାରେ। ମୋଲନୁପିରାଭିର ପରୀକ୍ଷଣରୁ ଜଣା ପଡିଛି ଏହି ବଟିକା ବ୍ୟବହାର ଦ୍ୱାରା ହସ୍ପିଟାଲାଇଜେସନ କିମ୍ବା ମୃତ୍ୟୁ ଆଶଙ୍କା ୫୦ ପ୍ରତିଶତ କମିବ। ସେହିପରି ଫାଇଜର ପରୀକ୍ଷଣରୁ ଜଣାପଡିଛି ପାକ୍‌ସୋଲୋଭିଡ୍‌ ବ୍ୟବହାର ଦ୍ୱାରା ହସ୍ପିଟାଇଲେଜନ କିମ୍ବା ମୃତ୍ୟୁ ଆଶଙ୍କା ୮୯ ପ୍ରତିଶତ ହ୍ରାସ ପାଇବ। କିନ୍ତୁ ବିଶେଷଜ୍ଞ କହିଛନ୍ତି ବଟିକା ଟିକାର ବିକଳ୍ପ ନୁହଁ। ତଥାପି ବଟିକାର ବ୍ୟବହାର ଆରମ୍ଭ ହେଲେ କୋଭିଡ, ପାଣ୍ଡେମିକରୁ ଏଣ୍ଡେମିକ ସ୍ତରକୁ ଆସିଯିବ ବୋଲି କୁହାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.