Below header

ଶପଥ ଗ୍ରହଣ ଉତ୍ସବରେ ସାମିଲ୍ ହେବେ ୬ ହଜାର ଅତିଥି , ହେଲେ କାହିଁକି ନିଜ ପରିବାରକୁ ନିମନ୍ତ୍ରଣ କରିନାହାଁନ୍ତି ମୋଦି ?

ଆଜିଠୁ ଆରମ୍ଭ ହେବ ମୋଦିଙ୍କ ଦ୍ୱିତୀୟ ଇନିଂସ । ଆଉ କିଛି ସମୟ ପରେ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନରେନ୍ଦ୍ର ମୋଦି । ଶପଥ ଗ୍ରହଣ ପାଇଁ ରାଷ୍ଟ୍ରପତି ଭବନରେ ଭବ୍ୟ ଆୟୋଜନ କରାଯାଇଛି । ଶପଥ ଗ୍ରହଣ ଉତ୍ସବରେ ଦେଶ ଏବଂ ବିଦେଶରୁ ପ୍ରାୟ ୬ ହଜାର ଅତିଥି ସାମିଲ ହେବେ । ବିଦେଶର ହାଇପ୍ରୋଫାଇଲ ନେତା ଯୋଗ ଦାନ କରିବା ନେଇ ସମ୍ମତି ପ୍ରଦାନ କରିଛନ୍ତି । ଏହା ସହ ଏହି ସମାରୋହରେ ପୁଲଓ୍ୱାମା ଆକ୍ରମଣରେ ସହିଦ ପରିବାର ମଧ୍ୟ ସାମିଲ୍ ହେବେ ।

ହେଲେ ଏହି ଅତିଥିମାନଙ୍କ ମଧ୍ୟରେ ନାହିଁ ମୋଦିଙ୍କ ପରିବାରର କୌଣସି ବି ସଦସ୍ୟଙ୍କ ନାଁ ।  ଅର୍ଥାତ୍ ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ୍ ହେବେନି ତାଙ୍କ ପରିବାରର କୌଣସି ସଦସ୍ୟ । ଏହି କଥାର ସୂଚନା ଦେଇଛନ୍ତି ମୋଦିଙ୍କ ଭଉଣୀ ବସନ୍ତିବେନ୍ । ସେ କହିଛନ୍ତି ମୋଦି ପରିବାରର କୌଣସି ବି ବ୍ୟକ୍ତିଙ୍କୁ ଏଥିପାଇଁ ଆମନ୍ତ୍ରିତ କରିନାହାଁନ୍ତି । ଏହା ପୂର୍ବରୁ ମଧ୍ୟ ୨୦୧୪ରେ ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ପରିବାରର କୌଣସି ସଦସ୍ୟ ସାମିଲ୍ ହୋଇନଥିଲେ । ମୋଦିଙ୍କ ଜୀବନ ଦେଶ ପାଇଁ ସମର୍ପିତ ବୋଲି କହିଛନ୍ତି ଭଉଣୀ ବସନ୍ତିବେନ୍ ।

ସୂଚନାଯୋଗ୍ୟ ଆଜି ସଂଧ୍ୟା ୭ଟାରେ ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ । ମୋଦିଙ୍କ ସହ ମନ୍ତ୍ରିମଣ୍ଡଳ ମଧ୍ୟ ଶପଥ ଗ୍ରହଣ କରିବେ । ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ଏହା ପୂର୍ବରୁ ଆଜି ସକାଳେ ମୋଦି ପ୍ରଥମେ ରାଜଘାଟ ପହଞ୍ଚିଥିଲେ । ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ମୋଦି । ଏହା ପରେ ମୋଦି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମାଧି ସ୍ଥଳରେ ପହଞ୍ଚିଥିଲେ । ସେଠାରେ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ମୋଦି । ବାଜପେୟୀଙ୍କ ସମାଧିସ୍ଥଳରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ସମେତ ବିଜେପିର ସମସ୍ତ ସାଂସଦ ଉପସ୍ଥିତ ଥିଲେ । ସବୁ ସାଂସଦ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହା ପରେ ମୋଦି ପହଞ୍ଚିଥିଲେ ଓ୍ଵାର ମେମୋରିଆଲ । ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ମୋଦି । ଓ୍ଵାର ମେମୋରିଆଲରେ ନିର୍ମଳା ସୀତାରମଣଙ୍କ ସହ ତିନି ସେନା ପ୍ରମୁଖ ଉପସ୍ଥିତ ଥିଲେ । ସମସ୍ତେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.