Below header

ବିଦେଶରେ ତଦନ୍ତ ପାଇଁ ଏନ୍‌ଆଇଏକୁ ମିଳିବ କ୍ଷମତା

ନ୍ୟାସନାଲ ଇନ୍‌ଭେଷ୍ଟିଗେଟିଭ ଏଜେନ୍‌ସି(NIA)କୁ ଅଧିକ କ୍ଷମତାଶାଳୀ କରିବାକୁ ଥିବା ଏନ୍‌ଆଇଏ ସଂଶୋଧନ ବିଲ୍‌ ଲୋକସଭାରେ ଗୃହୀତ ହୋଇଛି। ଏହି ବିଲ୍‌ କାର୍ଯ୍ୟକାରୀ ହେଲେ, ବିଦେଶରେ ତଦନ୍ତ ପାଇଁ ଏନ୍‌ଆଇଏକୁ କ୍ଷମତା ମିଳିବ। ଦେଶର ସୁରକ୍ଷା, ବିଶେଷ କରି ଆତଙ୍କବାଦ ଘଟଣାର ତଦନ୍ତ କରୁଛି NIA। ନୂଆ ବିଲ୍‌ ଗୃହୀତ ହେଲେ ବିଦେଶରେ ତଦନ୍ତ ସହ ମାନବ ଚାଲାଣ, ଜାଲ ନୋଟ୍‌ କାରବାର, ବେଆଇନ ଅସ୍ତ୍ରଶସ୍ତ୍ର କାରବାର, ସାଇବର ଆତଙ୍କବାଦ, ବିସ୍ପୋରକ ସାମଗ୍ରୀ ଆଇନ ଅଧିନରେ ଥିବା ଅପରାଧ ଆଦିର ତଦନ୍ତ କରି ପାରିବ NIA। ଏହି ବିଲ୍‌ ମୁତାବକ, ଦେଶରେ ଯେ କୌଣସି ରାଜ୍ୟକୁ ଯାଇ ସେଠାକାର ପୋଲିସ ଡିଜିଙ୍କୁ ନ ଜଣାଇ ଏନ୍‌ଆଇଏ ତଦନ୍ତ କରି ପାରିବ। ଏନ୍‌ଆଇଏର ତଦନ୍ତ ପରିସର ବଢାଯିବାକୁ ବିଜେଡି ସମର୍ଥନ କରିଛି। କିନ୍ତୁ ରାଜ୍ୟରେ ଡିଜିଙ୍କୁ ନ ଜଣାଇ ହେବାକୁ ଥିବା ତଦନ୍ତ ଉପରେ ଦଳ ଆପତ୍ତି ଉଠାଇଛି। ଭର୍ତ୍ତୃହରି ମହତାବ କହିଛନ୍ତି, ବିଦେଶରେ ତଦନ୍ତ ବେଳେ ଏନ୍‌ଆଇଏ ସେ ଦେଶର ସରକାରଙ୍କ ଅନୁମତି ନେଇ ତଦନ୍ତ କରିବ। ରାଜ୍ୟରେ ଏପରି କାହିଁକି ହେବ ନାହିଁ ବୋଲି ଦଳ ଦାବି କରିଥିଲା। କୌଣସି ରାଜ୍ୟରେ ତଦନ୍ତ କରିବା ପୂର୍ବରୁ, ସଂପୃକ୍ତ ରାଜ୍ୟ ପୋଲିସ ଡିଜିଙ୍କୁ ଜଣାଇବା ଦରକାର। ଡିଜିପି ଜଣେ ସର୍ବ ଭାରତୀୟ ସେବାର ଅଫିସର। ତେଣୁ ତାଙ୍କୁ ଜଣାଇବାରେ ଅସୁବିଧା କେଉଁଠି ବୋଲି ଭର୍ତ୍ତୃହରି ପ୍ରଶ୍ନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.