ଅଣ୍ଟି ଛୁରୀ କାଟିଲା ତଣ୍ଟି, ଲୁଟରେ ବ୍ୟବହାର ପାଇଁ ଥିବା ବୋମା ଫୁଟି ଲୁଟେରା ମୃତ

ଅନ୍ୟକୁ ମାରିବାକୁ ଧରିଥିବା ବୋମା ନିଜ ହାତରେ ଫୁଟିବାରୁ ପ୍ରାଣ ହରାଇଲା ଲୁଟେରା । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଡହ ନିକଟ ଗୋଚ୍ଛାପଲ୍ଲୀ ଗାଁ ନିକଟରେ ଘଟିଛି ଏଭଳି ଘଟଣା । ପୋଲିସ-ଅପରାଧୀ ମୁହାଁମୁହିଁ ବେଳେ ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି । ପୋଲିସ ସୂଚନା ମୁତାବକ ଗାଙ୍ଗପୁର ଥାନା କଣ୍ଟେଇପଲ୍ଲୀ-ବଡ଼ବୋରସିଂ ରାସ୍ତାରେ ଜଣେ ବ୍ୟବସାୟୀଙ୍କଠାରୁ ୭ ଜଣ ଲୁଟେରା ପିସ୍ତଲ ଦେଖାଇ ୧ ଲକ୍ଷ ୧୦ ହଜାର ଟଙ୍କା ଲୁଟ୍‌ କରି ଫେରାର ହୋଇଯାଇଥିଲେ ।

ଭଞ୍ଜନଗର ଏସଡିପିଓଙ୍କ ନେତୃତ୍ୱରେ ଗାଙ୍ଗପୁର ଓ ଭଞ୍ଜନଗର ପୋଲିସ ଟିମ୍‌ ସେମାନଙ୍କୁ ପିଛା କରି ଗୋଚ୍ଛାପଲ୍ଲୀ ଗାଁ ନିକଟରେ ଠାବ କରିଥିଲେ । ପୋଲିସକୁ ଦେଖି ଲୁଟେରାମାନେ ଗୁଳି ଚଳାଇବା ସହ ଗୋଟିଏ ବୋମା ଫିଙ୍ଗିଥିଲେ । ଅନ୍ୟ ଜଣେ ଲୁଟେରା ଦୌଡ଼ି ପଳାଇବା ବେଳେ ଧରିଥିବା ବୋମା ଫୁଟି ଯାଇଥିଲା । ଗୁରୁତର ଅବସ୍ଥାରେ ଲୁଟେରାକୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରୁ ୩ଟି ବାଇକ୍‌, ଗୋଟିଏ ଦେଶୀ ବନ୍ଧୁକ ଓ ନଗଦ ୨୧ ହଜାର ଟଙ୍କା ଜବତ କରିଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.