Below header

ନିର୍ଭୟା ଦୋଷୀଙ୍କୁ ଖୁବ୍‌ ଶୀଘ୍ର ଫାଶୀ ନେଇ ବଢ଼ିଲା ଚର୍ଚ୍ଚା, ତଥାପି ସନ୍ଦେହ

ନୂଆଦିଲ୍ଲୀ : ହାଇଦ୍ରାବାଦ ଏନକାଉଣ୍ଟର ପରେ ଏବେ ସମସ୍ତଙ୍କ ନଜର ନିର୍ଭୟା ଦୋଷୀଙ୍କ ଉପରେ । ଦୀର୍ଘ ସାତ ବର୍ଷ ଧରି ଚାରିଜଣ ଦୋଷୀ ଜେଲ୍‌ରେ ଅଛନ୍ତି । ସେମାନଙ୍କୁ ଫାଶୀ ଦଣ୍ଡାଦେଶ ହୋଇ ସାରିଛି । ତେବେ ସାମାନ୍ୟ କିଛି ଔପଚାରିକତା ପାଇଁ ଫାଶୀ ଅଟକି ରହିଛି । ବର୍ତ୍ତମାନ କିଛି ପ୍ରକ୍ରିୟାକୁ ଦେଖିଲେ ଲାଗୁଛି ଏମାନଙ୍କୁ ଖୁବ୍‌ ଶୀଘ୍ର ଫାଶୀ ଦିଆଯିବ ।

TIHAR

ବିହାରର ବକ୍ସରରେ ଫାଶୀ ଦଉଡ଼ି ତିଆରି ଚାଲିଥିବାର ଗତକାଲି ସୂଚନା ମିଳିବା ପରେ ଆଜିର ସୂଚନା ହେଉଛି ଚାରି ଦୋଷୀଙ୍କ ମଧ୍ୟରୁ ମଣ୍ଡୋଲି ଜେଲ୍‌ରେ ଥିବା ଅନ୍ୟତମ ଦୋଷୀ ବିନୟ ଶର୍ମାକୁ ଆଜି ତିହାର ଜେଲ୍‌କୁ ଅଣାଯାଇଛି । ପୂର୍ବରୁ ସେଠାରେ ମୁକେଶ, ପବନ ଓ ଅକ୍ଷୟ ରହିଛନ୍ତି । ଏମାନଙ୍କୁ ଏକାଠି କରାଯିବାର କାରଣ ହେଉଛି ଫାଶୀ । ଯାହା ଚର୍ଚ୍ଚା ଚାଲିଥିଲା ଡିସେମ୍ବର ୧୬ ତାରିଖରେ ନିର୍ଭୟା ଦୋଷୀମାନଙ୍କୁ ଫାଶୀ ଦିଆଯାଇ ପାରେ । ତେବେ ତିହାର ଜେଲ୍‌ କର୍ତ୍ତୃପକ୍ଷ କହିଛନ୍ତି ଯେ ତାଙ୍କ ପାଖକୁ ଏ ନେଇ କୌଣସି ନିର୍ଦ୍ଦେଶନାମା ଆସି ନାହିଁ । ସେପଟେ ଜେଲ୍‌ରେ କୌଣସି ଘାତକ ନଥିବାରୁ ଫାଶୀ ଦେବା ନେଇ ସମସ୍ୟା ହେଉଥିବା ଖବର ବି ପ୍ରଚାରିତ ହୋଇଛି । ଯାହାକୁ ଜେଲ୍‌ ଅଧିକାରୀ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଆମ ପାଖରେ ଘାତକ ନଥିଲେ କଣ ହେଲା ଅନ୍ୟ ଜେଲ୍‌ରେ ଅଛନ୍ତି । ଆମେ ସେମାନଙ୍କ ସହ ଯୋଗାଯୋଗରେ ଅଛୁ । ତେଣୁ ଏ ନେଇ କିଛି ସମସ୍ୟା ନାହିଁ । ତେବେ ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ଯେ ଜେଲ୍‌ ଭିତରେ ଫାଶୀ ଦିଆଯିବାକୁ ଥିବା କୋଠରୀକୁ ସଫା କରାଯିବା ସହ ଫାଶୀ ଦେବା ଲାଗି ପିଣ୍ଡି ତିଆରି ସରିଲାଣି ।

BUS

ଅନ୍ୟପଟେ ଚାରି ଜଣ ଦୋଷୀଙ୍କ ଭିତରୁ କେବଳ ବିନୟ ଶର୍ମା ରାଷ୍ଟ୍ରପତିଙ୍କ ନିକଟରେ ସର୍ବକ୍ଷମା ପାଇଁ ଆବେଦନ କରିଛି । ହେଲେ ତାର ଆବେଦନ ଖାରଜ ହୋଇଛି କି ନାହିଁ ସେ ସମ୍ପର୍କରେ ଜେଲ୍‌ କର୍ତ୍ତୃପକ୍ଷଙ୍କ ନିକଟରେ କୌଣସି ସୂଚନା ନାହିଁ । ଏପଟେ ଅନ୍ୟତମ ଦୋଷୀ ଅକ୍ଷୟ ସିଂହ ଫାଶୀ ଦଣ୍ଡ ବିରୋଧରେ ସୁପ୍ରିମ୍‌ କୋର୍ଟରେ ରିଭ୍ୟୁ ପିଟିସନ୍‌ ଦାଖଲ କରିଛି । ଏହାର ପିଟିସନ୍‌ର ଶୁଣାଣି ପରେ ବିନୟ ଓ ପବନ ଗୁପ୍ତା ମଧ୍ୟ ପିଟିସନ୍‌ ଦାଖଲ କରିବେ ବୋଲି ତାଙ୍କ ଓକିଲ କହିଛନ୍ତି । ତେଣୁ ଯଦି ଏଭଳି ଭାବେ ପୁଣି ଆଇନ୍‌ କାନୁନ ଓ ତାରିଖ ଭିତରେ ମାମଲା ଫସିଯାଏ ତେବେ ଫାଶୀ ଦିନ ଘୁଞ୍ଚି ଯାଇ ପାରେ ।
୨୦୧୨ ଡିସେମ୍ବର ୧୬ ତାରିଖରେ ଜଣେ ଯୁବତୀଙ୍କୁ ଏହି ଅପରାଧୀମାନେ ମିଶି ଗଣଦୁଷ୍କର୍ମ କରିବା ସହ ହତ୍ୟା କରିଥିଲେ । ଏବେବି ତାଙ୍କ ପରିବାର ନ୍ୟାୟ ପାଇବାକୁ ଅପେକ୍ଷା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.