‘ଉଦ୍ଧବଙ୍କ ଫାର୍ମ ହାଉସ୍‌ରେ ଟଙ୍କାର ଗୋଦାମ, ଲୁଚାଇ ରଖାଯାଇଛି ୨୦୦୦ ଟଙ୍କିଆ ବଣ୍ଡଲ୍‌’, ଅଭିଯୋଗ ପରେ ହଇଚଇ

ଭାରତୀୟ ଜନତା ପାର୍ଟି ବିଧାୟକ ନିତେଶ ରାଣେ ଶିବସେନାର ସୁପ୍ରିମୋ ଉଦ୍ଧବ ଠାକରେଙ୍କ ଉପରେ ଏକ ବଡ଼ ଅଭିଯୋଗ ଆଣିଛନ୍ତି।

ଭାରତୀୟ ଜନତା ପାର୍ଟି ବିଧାୟକ ନିତେଶ ରାଣେ ଶିବସେନାର ସୁପ୍ରିମୋ ଉଦ୍ଧବ ଠାକରେଙ୍କ ଉପରେ ଏକ ବଡ଼ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ଉଦ୍ଧବ ଠାକରେଙ୍କ କର୍ଜତ ଫାର୍ମ ହାଉସରେ ଅଣ୍ଡରଗ୍ରାଉଣ୍ଡରେ ଟଙ୍କାର ଗୋଦାମ ରହିଛି, ଯାହାର ତଦନ୍ତ ହେବା ଦରକାର।

ବାସ୍ତବରେ, ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ବଜାରରୁ ୨୦୦୦ ଟଙ୍କିଆ ନୋଟ୍‌ ହଟାଇବା ପାଇଁ ଘୋଷଣା କରିବା ପରେ ସଞ୍ଜୟ ରାଉତ୍‌ କେନ୍ଦ୍ର ସରକାରଙ୍କ ଉପରେ ଖୁବ୍‌ ବର୍ଷିଥିଲେ। ସେ କହିଥିଲେ ଯେ ଦେଶର ବ୍ୟବସ୍ଥା ସରକାରଙ୍କ ଗୁଲାମ୍‌ ଭଳି କାମ କରୁଛି।

ସଞ୍ଜୟ ରାଉତଙ୍କ ଏହି ବୟାନକୁ ଟାର୍ଗେଟ୍‌ କରି ନିତେଶ ରାଣେ କହିଛନ୍ତି କି, ଦୁର୍ନୀତିର ଅର୍ଥରୁ ଆୟ କରାଯାଇଥିବା ବିଡ଼ା ବିଡ଼ା ୨୦୦୦ ଟଙ୍କିଆ ନୋଟ୍‌ କର୍ଜତ୍‌ ଫାର୍ମ ହାଉସରେ ହିଁ ରଖାଯାଇଛି। ଏହି କାରଣରୁ ସଞ୍ଜୟ ରାଉତ ଏଭଳି ମନ୍ତବ୍ୟ ଦେଉଛନ୍ତି। ରାଣେ କହିଛନ୍ତି, ଫାର୍ମ ହାଉସର ଯାଞ୍ଚ ହେବା ଦରକାର। ସେଠାରେ କେତେ ଟଙ୍କା ରଖାଯାଇଛି, ତାହା ଜାଣିବା ଉଚିତ୍।

ସୂଚନାଥାଉ କି, ବର୍ତ୍ତମାନ ନିଷ୍ପତ୍ତି ନିଆଯାଇଛି ଯେ ୨୦୦୦ ଟଙ୍କିଆ ନୋଟ୍‌କୁ ହଟାଯିବ। ଯେ କୌଣସି ବ୍ୟାଙ୍କରେ ୨ ହଜାର ଟଙ୍କା ନୋଟ୍‌କୁ ବଦଳ କରି ହେବ। ଏକା ସଙ୍ଗରେ ୨୦ ହଜାର ଟଙ୍କା ବଦଳ କରି ହେବ। ଆସନ୍ତା ୨୩ ତାରିଖରୁ ଟଙ୍କା ବଦଳ ଆରମ୍ଭ ହେବ। ଏହି ପ୍ରକ୍ରିୟା ୨୦୨୩ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ। ବଜାରକୁ ଆଉ ୨ ହଜାର ଟଙ୍କା ନୋଟ୍‌ ଛଡାଯିବ ନାହିଁ।