ଦିଲ୍ଲୀରେ ଫେରୁଛି ଶାନ୍ତି, ଦଙ୍ଗା ପରେ ସାମ୍ନାକୁ ଆସୁଛି ଭାଇଚାରାର ଦୃଶ୍ୟ

ଦିଲ୍ଲୀରେ ଶାନ୍ତି ଫେରୁଛି । ଗତ ୪୮ ଘଣ୍ଟା ମଧ୍ୟରେ ଆଉ ହିଂସାକାଣ୍ଡ ଘଟିନି । ହେଲେ ଚାରିଆଡେ ଆତଙ୍କର ବାତାବରଣ । ଏହା ଭିତରେ ଉତ୍ତରପୂର୍ବ ଦିଲ୍ଲୀରେ ଆରମ୍ଭ ହୋଇଛି ଜୀବନଯାତ୍ରା । ତନାଘନା ବି ଜୋରଦାର କରିଛି ପୋଲିସ । ୧୨୦ ରୁ ଅଧିକ ଏଫଆଇଆର ରୁଜୁ ହୋଇଥିବା ବେଳେ ୬ ଶହରୁ ଅଧିକ ଲୋକଙ୍କୁ ଗିରଫ ଏବଂ ଅଟକ ରଖାଯାଇଛି।

ସ୍ୱାଭାବିକ ହେଉଛି ଉତ୍ତରପୂର୍ବ ଦିଲ୍ଲୀ । ଆରମ୍ଭ ହୋଇଛି ଲୋକଙ୍କ ଚଳପ୍ରଚଳ। ଖୋଲୁଛି ଦୋକାନ ବଜାର। ସଂବେଦନଶୀଳ ଅଞ୍ଚଳରେ ଫ୍ଲାଗମାର୍ଚ୍ଚ କରୁଛି ପୋଲିସ। ଲୋକଙ୍କ ଭିତରେ ବିଶ୍ୱାସ ଫେରାଇ ଆଣିବାକୁ ଗଳି କନ୍ଦିରେ ବୁଲୁଛନ୍ତି ଦିଲ୍ଲୀ ପୋଲିସ୍‌ର ଟପ୍‌ ଅଧିକାରୀ। ଆସନ୍ତାକାଲି ଓଡ଼ିଆ ଆଇପିଏସ୍‌ ଅଫିସର ଅମୂଲ୍ୟ ପଟ୍ଟନାୟକଙ୍କ ଠାରୁ ଦିଲ୍ଲୀ ପୋଲିସ କମିଶନର ଦାୟିତ୍ୱ ଗ୍ରହଣ କରିବାକୁ ଯାଉଥିବା ସ୍ପେସାଲ କମିଶନର ଏସ.ଏନ୍‌ ଶ୍ରୀବାସ୍ତବ ଦଙ୍ଗାଗ୍ରସ୍ତ ଅଞ୍ଚଳ ବୁଲି ସ୍ଥିତି ପରଖୁଛନ୍ତି। ଅକାଶ ମାର୍ଗରୁ ନଜର ରଖିଛି ପୋଲିସର ଡ୍ରୋନ୍‌ କ୍ୟାମେରା। କ୍ଷତିଗ୍ରସ୍ତଙ୍କ ପାଖରେ ରିଲିଫ୍‌ ପହଞ୍ଚାଯାଉଛି। ସବୁଠୁ ଅଧିକ ହିଂସାର ଶିକାର ହୋଇଥିବା ମୌଜପୁର ଅଞ୍ଚଳରେ ବୁଲି ଦେଖିଛନ୍ତି ଉପରାଜ୍ୟପାଳ ଅନୀଲ ବୈଜଲ। କିନ୍ତୁ ଲୋକଙ୍କ ମନରୁ ହଟିନି ଭୟ। ଦଙ୍ଗା ଗ୍ରସ୍ତ ଅଞ୍ଚଳରେ ଆତଙ୍କର ବାତାବରଣ। ଯୁଆଡେ ଚାହିଁଲେ ଧ୍ୱଂସର ଚିତ୍ର । ଜଳି ଯାଇଛି ଘର ଦ୍ୱାର, ଗାଡିମୋଟର, ଜୀବନ ଜୀବିକା। ଏହି ଚିତ୍ର ବୟାନ କରୁଛି କେତେ ଭୟଙ୍କର ଥିଲା ହିଂସା।

ଦଙ୍ଗା ପରେ ଭାଇଚାରା ଦୃଶ୍ୟ ସାମ୍ନାକୁ ଆସୁଛି। କେଉଁଠି ହିନ୍ଦୁ ଘରେ ମୁସଲିମ୍‌ ପରିବାର ଆଶ୍ରୟ ନେଇଥିଲେ ତ କେଉଁଠି ମୁସଲିମ୍‌ ଘରେ ନିର୍ଭୟରେ ରାତି କାଟିଥିଲେ ହିନ୍ଦୁ ପରିବାର। ତେବେ ଏତେ ଭାଇଚାରା ଭିତରେ କିଏ ଭିଆଇଥିଲା ଦଙ୍ଗା ? ଆରମ୍ଭ ହୋଇଛି ତନାଘନା। ସାଇଣ୍ଟିଫିକ୍‌ ଟିମ୍‌ ଆଉ ଦିଲ୍ଲୀ ପୋଲିସର ଦୁଇଟି ସ୍ପେସାଲ ଇନଭେଷ୍ଟିଗେଟିଭ ଟିମ୍‌ ଆରମ୍ଭ କରିଛନ୍ତି ତଦନ୍ତ। କାହା ପାଖରେ ହିଂସା ସମୟର କିଛି ଫଟୋ କିମ୍ବା ଭିଡିଓ ଥିଲେ ପୋଲିସକୁ ଦେବାକୁ ଅନୁରୋଧ କରାଯାଇଛି। ତେବେ ପରିତାପର ବିଷୟ, ବହୁ ଧନଜୀବନ ନଷ୍ଟ କରିଥିବା ଦଙ୍ଗାକୁ ନେଇ ରାଜନୈତିକ ବୟାନବାଜି ଜାରି ରହିଛି। କଂଗ୍ରେସ ରାଜଧର୍ମର ଶିକ୍ଷା ନଦେଇ ଭୋଟ ବ୍ୟାଙ୍କ ରାଜନୀତି ବନ୍ଦ କରୁ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ। ଉତ୍ତେଜନନାପୂର୍ଣ୍ଣ ଭାଷଣ ଦେଇଥିବା ରାଜନେତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଣକଂଗ୍ରେସ ବିରୋଧୀଦଳମାନେ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଛନ୍ତି। ସେପଟେ ଅଣବିଜେପି ରାଜନୈତିକ ଦଳଙ୍କ ଘୃଣା ଭାଷଣ ନେଇ ହୋଇଥିବା ଆବେଦନ ଉପରେ ଦିଲ୍ଲୀ ସରକାର, କେନ୍ଦ୍ର ସରକାର ଓ ଦିଲ୍ଲୀ ପୋଲିସକୁ ନୋଟିସ୍‌ ଜାରି କରିଛନ୍ତି ଦିଲ୍ଲୀ ହାଇକୋର୍ଟ।

ଦିଲ୍ଲୀ ହିଂସାକୁ ନେଇ ବିଦେଶୀ ଗଣମାଧ୍ୟମ, ବ୍ୟକ୍ତି ବିଶେଷ ଏବଂ ବିଭିନ୍ନ ଅନୁଷ୍ଠାନ ଭାରତକୁ ସମାଲୋଚନା କରିଛନ୍ତି। ଏହାର ଜବାବ ରଖିଛି ନୂଆଦିଲ୍ଲୀ। ଦିଲ୍ଲୀ କାଣ୍ଡକୁ ନେଇ ଭ୍ରମାତ୍ମକ ତଥ୍ୟ ଦିଆଯାଉଛି। ଏଭଳି ଦାୟିତ୍ୱହୀନ ମନ୍ତବ୍ୟରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛି ବୈଦେଶିକ ବିଭାଗ। ବ୍ୟୁରୋ ରିପୋର୍ଟ,କଳିଙ୍ଗ ଟିଭି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.