୬୮ ବର୍ଷ ପରେ ପୁନଃମିଳନ: ଦେଖନ୍ତୁ କିଏ ଭେଟିଲା କାହାକୁ ?

ଗୋଟିଏ ଭୂଖଣ୍ଡରେ ରହିଥିଲେ ବି କେହି କାହାକୁ ଭେଟି ପାରୁ ନଥିଲେ । ସ୍ୱପ୍ନରେ ବି ମାଆ କେବେ ଭାବି ନଥିଲା ଯେ ଆଖି ପୂରାଇ ଆଉ କେବେ ତା ପୁଅକୁ ଦେଖିବ । ଜୀବନର ସାୟାହ୍ନରେ ସେହି ମୁହୂର୍ତ୍ତ ଆସିଲା । ଉତ୍ତର କୋରିଆରେ ରହୁଥିବା ମାଆ ଓ ଦକ୍ଷିଣ କୋରିଆରେ ରହୁଥିବା ପୁଅର ଭେଟ ଏବେ ସାରା ବିଶ୍ୱରେ ବେଶ ହେଡଲାଇନ୍ସ ଖବର ହୋଇଛି ।

ଏହି ବିରଳ ଭେଟଘାଟ ବେଳେ ସୃଷ୍ଟି ହୋଇଥିଲା ବେଶ ଭାବବିହ୍ଵଳ ପରିବେଶ । ଏବେ ମାଆଙ୍କୁ ୯୨ ବର୍ଷ ଓ ପୁଅର ବୟସ ୭୨ । ମାଆଙ୍କ ନାଁ ବ୍ୟୋମସ୍ୟମ ଓ ପୁଅ ହେଉଛନ୍ତି ସାଙ୍ଗ ଚୋଲ୍ । ପୁଅ, ବୋହୂ ଓ ନାତିକୁ ଦେଖି ବେଶ ଭାବବିହ୍ଵଳ ହୋଇଯାଇଥିଲେ ବୃଦ୍ଧ ମାଆ । ସମ୍ଭାଳି ପାରି ନଥିଲେ କୋହ । ଖୁସିରେ କାନ୍ଦି ପକାଇଥିଲେ । ଶେଷ ଥର ପାଇଁ କେବେ ମାଆ-ପୁଅଙ୍କ ଭେଟ ହୋଇଥିଲା ସେକଥା କାହାର ମନେ ନାହିଁ ।

korea

୧୯୫୦ରେ ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ ମଧ୍ୟରେ ଯୁଦ୍ଧ ହୋଇଥିଲା । ତା ପରଠୁ ଏମାନେ ଅଲଗା ହୋଇ ଯାଇଥିଲେ । ଲମ୍ବା ସମୟ ଭିତରେ ୨୦ ଥର ଦେଖା ସାକ୍ଷାତ ପାଇଁ ଉଦ୍ୟମ ବି କରିଛନ୍ତି । କିନ୍ତୁ କିଛି ଲାଭ ହୋଇନି । ଏହା ଭିତରେ ବିତି ଯାଇଛି ୬୮ ବର୍ଷ । ଏବେ ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ ସମ୍ପର୍କରେ ଉନ୍ନତି ଆସିଥିବାରୁ ଦୁଇ ଦେଶ ଏଭଳି ପରିବାରଙ୍କ ପାଇଁ ପୁନଃମିଳନ କାର୍ୟ୍ୟକ୍ରମର ଆୟୋଜନ କରାଇଛନ୍ତି । ଏଥିପାଇଁ ୫୭ ହଜାର ଲୋକ ଆବେଦନ କରିଥିଲେ । କିନ୍ତୁ ଲଟେରୀ ଦ୍ୱାରା ୧୭୨ ଜଣଙ୍କୁ ଭେଟଘାଟ ପାଇଁ ମିଳିଥିଲା ଅନୁମତି ।

korea

ଏହା ଭିତରେ ଅଛନ୍ତି ଉତ୍ତର କୋରିଆର ୮୩ ଜଣ ଓ ଦକ୍ଷିଣ କୋରିଆର ୮୯ ଜଣ । ୩ ଦିନ ଧରି ଚାଲିବାକୁ ଥିବା ଏହି କାର୍ୟ୍ୟକ୍ରମରେ ନିଜ ପରିବାର ଲୋକଙ୍କ ସହ ୧୧ ଘଣ୍ଟା ବିତାଇବାର ବ୍ୟବସ୍ଥା ରହିଛି । ଏହି ମାଆ-ପୁଅଙ୍କ ବ୍ୟତୀତ ଅନେକ ଲୋକ ସୀମାର ଏପଟେ ସେପଟେ ରହୁଥିବାରୁ ଆତ୍ମୀୟଙ୍କୁ ଭେଟି ପାରୁ ନଥିଲେ । କିଏ ଦକ୍ଷିଣରେ ରହୁଥିବା ବେଳେ ତାଙ୍କ ସମ୍ପର୍କୀୟ ରହୁଥିଲେ ଉତ୍ତର କୋରିଆରେ । ଦୁଇ ଦେଶ ମଧ୍ୟରେ ବିବାଦ ଯୋଗୁ ରକ୍ତ ସମ୍ପର୍କକୁ ବି ଭେଟିବାକୁ ଦେଉ ନଥିଲା ।

Leave A Reply

Your email address will not be published.