ମୁମ୍ବାଇରେ ପ୍ରବାସୀ ଓଡ଼ିଆଙ୍କ କରୁଣ କାହାଣୀ : କରୋନା ଛଡ଼ାଇ ନେଲା ସୁଜାତାଙ୍କୁ, କ୍ୱାରେଣ୍ଟାଇନ୍‌ରେ ରହି ସ୍ୱାମୀ ଦେଖି ପାରିଲେନି ଶେଷଥର

ମୁମ୍ବାଇ (କେ ନ୍ୟୁଜ୍‌) କରୋନା ଦେଇଛି ଅନେକ ଦୁଃଖ । ଧନୀ ଗରିବ, ନେତା ଅଭିନେତା, ଛୋଟ ବଡ଼ କାହାକୁ ବି ଛାଡ଼ିନି । ଖାଲି ମୃତ୍ୟୁ କି ଅସୁସ୍ଥତା ଦେଇନି ତା ସହିତ କେତେ କେତେ ପରିବାରକୁ ବି ବରବାଦ କରିଛି । ଏମିତି ଏକ ଘଟଣା ଘଟିଛି ମୁମ୍ବାଇ ନିବାସୀ ଏକ ଓଡ଼ିଆ ପରିବାରରେ । ଯାହାକୁ ଜାଣିଲେ ଆପଣଙ୍କ ଆଖିରୁ ଲୁହ ଖସିଯିବ ।

9କଟକ ଜଗତପୁର ଅଞ୍ଚଳର ପ୍ରଶାନ୍ତ ମହାପାତ୍ର ଜଣେ ଇଂଜିନିୟର । ସେ ମୁମ୍ବାଇରେ ଚାକିରି ଏବଂ ନ୍ୟୁ ପନଭେଲ ଅଞ୍ଚଳରେ ରୁହନ୍ତି । ମା’ଙ୍କ ଦେହ ଅସୁସ୍ଥ କଥା ଶୁଣି ପ୍ରଶାନ୍ତ କଟକ ଚାଲି ଆସିଥିଲେ । ହେଲେ କଟକ ଆସିବା ପରେ ଲକ୍‌ଡାଉନ୍ ଯୋଗୁଁ ଆଉ ଫେରି ପାରିଲେ ନାହିଁ । ଏପଟେ ମୁମ୍ବାଇରେ ରହିଗଲେ ପତ୍ନୀ ସୁଜାତା ମହାପାତ୍ର ଓ ୧୩ ବର୍ଷର ଝିଅ । ପେସାରେ ଜଣେ ଶିକ୍ଷୟିତ୍ରୀ ସୁଜାତା ସେଠାକାର ମହାତ୍ମା ସ୍କୁଲରେ ପାଠ ପଢ଼ାଉଥିଲେ । ତାଙ୍କ ଘର କଟକ ଜୋବ୍ରା ଅଞ୍ଚଳରେ ।

5

ପ୍ରଶାନ୍ତ ଓ ସୁଜାତାଙ୍କର ଏକମାତ୍ର ଝିଅ ହେଉଛି ୧୩ ବର୍ଷର ଇଭା । ପ୍ରଶାନ୍ତ କଟକ ଆସିଥିବା ବେଳେ ମା ଓ ଝିଅ ମୁମ୍ବାଇରେ ରହୁଥିଲେ । ହେଲେ ଗତ ମାସ ୨୦ ତାରିଖରେ ସୁଜାତା ଅଚାନକ ଅସୁସ୍ଥତା ଅନୁଭବ କଲେ । ତାଙ୍କର ଯାଞ୍ଚ ପରେ ତାଙ୍କୁ କରୋନା ସଂକ୍ରମଣ ହୋଇଥିବା ଜଣାପଡ଼ିଲା । ତେଣୁ ତାଙ୍କୁ ୨୨ ତାରିଖରେ ଏମ୍‌ଜିଏମ୍ ହସପିଟାଲକୁ ନେଇ ସେଠାରେ କ୍ୱାରେଣ୍ଟାଇନ୍‌ରେ ରଖାଗଲା । ସେ ରହୁଥିବା ଫ୍ଲାଟ୍ ଅଞ୍ଚଳକୁ କଣ୍ଟେନମେଣ୍ଟ କରାଗଲା । ଝିଅ ଏକୁଟିଆ ରହିଲା ଫ୍ଲାଟ୍‌ରେ ଆଉ ମା ଥିଲେ ହସପିଟାଲରେ । ଏପଟେ ବାପା କଟକରେ । ଏମିତିକି ଏକୁଟିଆ ରହୁଥିବା ଝିଅଟିକୁ କୌଣସି ସମ୍ପର୍କୀୟ ବି ଭେଟି ପାରିନଥିଲେ ।

2ବାପା ପ୍ରଶାନ୍ତ ମଧ୍ୟ ଶତ ଚେଷ୍ଟା କରି ମୁମ୍ବାଇ ଫେରି ପାରୁନଥିଲେ । ଶେଷରେ ୨୫ ତାରିଖ ଦିନ ବିମାନ ଚଳାଚଳ କରିବାରୁ ସେ ଭୁବନେଶ୍ୱରରୁ ଦିଲ୍ଲୀ ବାଟ ଦେଇ ମୁମ୍ବାଇରେ ୨୬ ତାରିଖ ଦିନ ପହଞ୍ଚିଲେ । ହେଲେ ଦୁର୍ଭାଗ୍ୟ ଯେ ତାଙ୍କୁ ମଧ୍ୟ କ୍ୱାରେଣ୍ଟାଇନ୍‌ରେ ରହିବାକୁ ପଡ଼ିଲା । ତାଙ୍କ ସ୍ୱାବ୍ ଟେଷ୍ଟ ରିପୋର୍ଟକୁ ଅପେକ୍ଷା କରାଗଲା । ରିପୋର୍ଟ ଆସିବା ପରେ ପ୍ରଶାନ୍ତଙ୍କୁ ହୋମ୍ କ୍ୱାରେଣ୍ଟାଇନ୍‌ରେ ରହିବାକୁ କୁହାଗଲା । ଏଭଳି ସ୍ଥିତିରେ ସେ ପତ୍ନୀଙ୍କୁ ଦେଖା ମଧ୍ୟ କରି ପାରିଲେ ନାହିଁ ।

1ଏପଟେ ସୁଜାତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ଏମ୍‌ଜିଏମ୍‌ରୁ ଆପୋଲୋ ହସପିଟାଲକୁ ସ୍ଥାନାନ୍ତର କରାଗଲା । ଏଥିରେ ସେଠାରେ ଥିବା କେତେଜଣ ଓଡ଼ିଆ ଲୋକ ଖୁବ୍ ସାହାଯ୍ୟ କରିଥିଲେ । ତେବେ ମେ ୨୭ ତାରିଖ ଦିନ ପରପାରିକୁ ଚାଲିଗଲେ ସୁଜାତା । ବୟସ ମାତ୍ର ୪୭ ବର୍ଷ ହୋଇଥିଲା । ନା ସୁଜାତାଙ୍କୁ ନା ତାଙ୍କ ମୃତଦେହକୁ ଶେଷଥର ପାଇଁ ମଧ୍ୟ ଦେଖି ପାରିଲେ ନାହିଁ ପ୍ରଶାନ୍ତ ଓ ତାଙ୍କ ଝିଅ । ପ୍ଲାଷ୍ଟିକ୍ ପ୍ୟାକରେ ବନ୍ଧା ଯାଇଥିବା ସୁଜାତାଙ୍କ ମୃତଦେହର ଫଟୋ କେବଳ ପ୍ରମାଣ ସ୍ୱରୂପ ମିଳିଥିଲା ପ୍ରଶାନ୍ତଙ୍କୁ । ମୁମ୍ବାଇ ମହାନଗର ନିଗମ ସୁଜାତାଙ୍କର ଶେଷକୃତ୍ୟ କରିଥିଲା ।
ଇଏ ହେଉଛି କରୋନା ଲକ୍‌ଡାଉନ୍ ଦୁଃଖ ଦୁର୍ଦ୍ଦଶାର ଆଉ ଏକ କାହାଣୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.