ମିଗ୍ ବନାମ F-16 : ଆକାଶରେ ମୁହାଁମୁହିଁ ଦୁଇ ଦେଶ ବାୟୁସେନା ଲଢୁଆ ବିମାନ

ଭାରତ ସୀମାକୁ ପଶି ଆସିଲା ପାକିସ୍ତାନର ଯୁଦ୍ଧ ବିମାନ। ଜବାବ ଦେଲା ଭାରତୀୟ ବାୟୁସେନା। ପ୍ରତି ଆକ୍ରମଣରେ ଖସି ପଡ଼ିଲା ପାକିସ୍ତାନର ଗୋଟିଏ F-16 ବିମାନ। ପିଓକରେ ଭାରତୀୟ ବାୟୁସେନାର ଜୋରଦାର ଆକ୍ରମଣ ପରେ ଆଜି ଭାରତର ବାୟୁସୀମା ଲଙ୍ଘିଥିଲା ପାକିସ୍ତାନ। ସେପଟେ ପାକିସ୍ତାନ ଦାବି କରିଛି ଭାରତର ଦୁଇଟି ବିମାନକୁ ଖସାଇ ଦେଇଛି। ଜଣେ ପାଇଲଟକୁ ନିଜ ହେପାଜତରେ ନେଇଛି। ପୁଲଓ୍ଵାମା ହମଲା ପରେ ଦୁଇ ଦେଶ ମଧ୍ୟରେ ଏୟାର ଓ୍ଵାର ପରିସ୍ଥିତି ଉପୁଜିଛି।

ଭାରତର ଅପରେସନ୍ ବାଲାକୋଟ ପରେ ପ୍ରତିହିଂସା ପରାୟଣ ହୋଇଛି ପାକିସ୍ତାନ। ସୀମାରେ ଏବେ ଟେନସନ୍। ଯୁଦ୍ଧ ଭଳି ପରିସ୍ଥିତି ଉପୁଜିଛି। ଆରମ୍ଭ ହୋଇଛି ଏୟାର ଓ୍ଵାର। ଆକାଶମାର୍ଗରେ ଆଜି ମୁହାଁମୁହିଁ ହୋଇଥିଲେ ଦୁଇ ଦେଶର ବାୟୁସେନା। ଭାରତର ବାୟୁସୀମା ପାର କରିଥିଲା ପାକିସ୍ତାନର ତିନିଟି F-16 ଯୁଦ୍ଧ ବିମାନ। ସତର୍କ ରହିଥିଲା ଭାରତ। ପାକ୍ ବିମାନକୁ ଘଉଡ଼ାଇ ଦେଇଥିଲା ସେନା। ପ୍ରତି ଆକ୍ରମଣ ବି କରିଥିଲେ। ତେବେ ପାକିସ୍ତାନ ଦାବି କରିଛି, ଭାରତର ଦୁଇଟି ବିମାନକୁ ଖସାଇ ଦେଇଛି। ଧରିଛି ଜଣେ ପାଇଲଟଙ୍କୁ । F-16 ବିମାନକୁ ଖସାଇବା କଥା ମିଛ ବୋଲି କହିଛି ପାକିସ୍ତାନ।

ସେପଟେ ପାକିସ୍ତାନ ଦାବିର ଜବାବ ରଖିଛି ଭାରତ। ବୈଦେଶିକ ମନ୍ତ୍ରାଳୟ ସ୍ପଷ୍ଟ କରିଛି, ବାୟୁସୀମା ଉଲ୍ଲଂଘନ କରିଥିବା ପାକିସ୍ତାନର F-16 ଯୁଦ୍ଧ ବିମାନକୁ ଖସାଇ ଦିଆଯାଇଛି। ବାଲାକୋଟ୍ ସର୍ଜିକାଲ୍ ଷ୍ଟ୍ରାଇକ୍ର ପ୍ରତିଶୋଧ ପାଇଁ ଷଡ଼ଯନ୍ତ୍ର କରିଥିଲା ପାକିସ୍ତାନ। ତେବେ ଭାରତୀୟ ବାୟୁସେନା ସତର୍କ ଥିବାରୁ ଉଦ୍ୟମ ପଣ୍ଡ ହୋଇଥିଲା। ପ୍ରତି ଆକ୍ରମଣ ବେଳେ ଭାରତର ଗୋଟିଏ ମିଗ୍-୨୧ ବିମାନ ଧ୍ୱଂସ ହୋଇଛି। ଏଥିରେ ଥିବା ପାଇଲଟ୍ ନିଖୋଜ ଥିବା ବୈଦେଶିକ ମନ୍ତ୍ରାଳୟ କହିଛି।

ପାକିସ୍ତାନ ବାୟୁସୀମା ଉଲ୍ଲଂଘନ କରିବା ଓ ଭାରତର ପାଲଟା ଜବାବ ପରେ ବାୟୁସେନାକୁ ଆଲର୍ଟ କରାଯାଇଛି। ସମସ୍ତ ଲଢୁଆ ବିମାନକୁ ସଜାଗ ରଖିବା ପାଇଁ ଦିଆଯାଇଛି ନିର୍ଦ୍ଦେଶ। ୨ମିନିଟ ମଧ୍ୟରେ ଉଡ଼ାଣ ଭରିବା ନେଇ ପ୍ରସ୍ତୁତ ରହିବା ପାଇଁ ପାଇଲଟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଜମ୍ମୁ କାଶ୍ମୀରର ଲେହ, ଜମ୍ମୁ, ଶ୍ରୀନଗର, ପଞ୍ଜାବର ପଠାନକୋଟ, ଅମୃତସର, ଚଣ୍ଡିଗଡ଼ ଓ ଡେରାଡୁନ୍ ଏୟାରପୋର୍ଟରୁ ବିମାନ ଉଡ଼ାଣକୁ କିଛି ସମୟ ପାଇଁ ରଦ୍ଦ କରାଯାଇଥିଲା। ତେବେ ଚଣ୍ଡିଗଡ଼, ପଠାନକୋଟ, ହଲଓ୍ଵାଡା ଓ ଭଟିଣ୍ଡା ଏୟାରପୋର୍ଟକୁ ବି ହାଇ ଆଲର୍ଟରେ ରଖାଯାଇଛି।