ଭାରତ-ପାକିସ୍ତାନ ମଧ୍ୟରେ ବଢୁଛି ଉତ୍ତେଜନା, କଣ ହେବ ପରବର୍ତ୍ତୀ ପଦକ୍ଷେପ?

ସୀମାରେ ପରିସ୍ଥିତି ଓ ଆଭ୍ୟନ୍ତରୀଣ ସୁରକ୍ଷାର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପାକ୍ କବଜାରେ ଥିବା ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କ ସୁରକ୍ଷିତ ଭାବେ ଫେରିବା ବାଟକୁ ଚାହିଁ ବସିଛନ୍ତି ସାରା ଦେଶବାସୀ । ଭାରତର ପ୍ରତି ଆକ୍ରମଣ ପରେ ପୁଣି ଥରେ ମୁହଁ ଖୋଲିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍। ଶାନ୍ତି ଆଲୋଚନାର ପ୍ରସ୍ତାବ ରଖିଛନ୍ତି।

ପାକିସ୍ତାନ ଭାରତୀୟ ବାୟୁସୀମା ଉଲ୍ଲଂଘନ କରିବା ଓ ପାଲଟା ଆକ୍ରମଣ ପରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବସିଥିଲା ଉଚ୍ଚସ୍ତରୀୟ ବୈଠକ। ସୀମାରେ ପରିସ୍ଥିତି, ଆଭ୍ୟନ୍ତରୀଣ ସୁରକ୍ଷା, ମିଗ୍ ବିମାନ ଦୁର୍ଘଟଣାଗ୍ରସ୍ତ ହେବ ଓ ପାଇଲଟ୍ ନିଖୋଜ ହେବା ଆଦି ପ୍ରସଙ୍ଗରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି। ପରବର୍ତ୍ତୀ ପଦକ୍ଷେପ ନେଇ ବି ହୋଇଛି ଆଲୋଚନା। ବୈଠକରେ ଉପସ୍ଥିତ ଥିଲେ ପ୍ରତିରକ୍ଷା, ଗୃହ, ଅର୍ଥ ମନ୍ତ୍ରୀ, ଜାତୀୟ ସୁରକ୍ଷା ପରାମପର୍ଶଦାତା ଅଜିତ ଡୋଭାଲ୍ ଓ ତିନି ସେନା ମୁଖ୍ୟ। ସେହିପରି ପାକିସ୍ତାନ ଡେପୁଟି ହାଇକମିଶନରଙ୍କୁ ସମନ୍ କରିଥିଲା ବୈଦେଶିକ ମନ୍ତ୍ରାଳୟ। ଅରୁଣ ଜେଟଲୀ କହିଛନ୍ତି, ଯଦି ଆମେରିକା ଆବୋଟାବାଦରେ ଲାଡେନଙ୍କୁ ମାରି ସାଙ୍ଗରେ ନେଇ ଯାଇଥିଲା, ଭାରତ କାହିଁକି କରି ପାରିବ ନାହିଁ।

ପୁଲଓ୍ଵାମା ହମଲା ଓ ଭାରତର ବାୟୁସୀମାରେ ପାକିସ୍ତାନ ଅନୁପ୍ରବେଶ ଉଦ୍ୟମକୁ ତୀବ୍ର ନିନ୍ଦା କରିଛନ୍ତି ବିରୋଧୀ। ୨୧ଟି ବିରୋଧୀ ଦଳ ଏକାଠି ଆଲୋଚନା କରିଛନ୍ତି। ଆତଙ୍କବାଦୀଙ୍କ ବିରୋଧରେ କଠୋର କାର‌୍ୟ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି। ଘଟଣାର ରାଜନୀତିକରଣ କରିବା ଓ ସର୍ବଦଳୀୟ ବୈଠକ ନ ଡ଼ାକିବା ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ।
ସେପଟେ ପୁଣି ଥରେ ମୁହଁ ଖୋଲିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍। ସୀମାରେ ପରିସ୍ଥିତି ଅଣାୟତ୍ତ ହେଉଥିବା ବେଳେ ଶାନ୍ତି କଥା କହିଛନ୍ତି ଇମ୍ରାନ୍। ସେ କହିଛନ୍ତି, ପାକିସ୍ତାନ ସବୁ କିଛି କରିବା ସାମର୍ଥ୍ୟ ରଖିଛି। ଯୁଦ୍ଧ ହେଲେ ତାଙ୍କର କିମ୍ବା ମୋଦିଙ୍କ ହାତରେ ନିୟନ୍ତ୍ରଣ ରହିବ ନାହିଁ। ଆତଙ୍କବାଦ ଉପରେ ଆଲୋଚନା ପାଇଁ ସେ ପ୍ରସ୍ତୁତ। ଏକାଠି ବସି ଆଲୋଚନା ପାଇଁ ପ୍ରସ୍ତାବ ଦେଇଛନ୍ତି ଇମ୍ରାନ୍ ଖାନ୍।

ପୁଲଓ୍ଵାମା ଆତଙ୍କବାଦୀ ହମଲା ପରେ ଦୁଇ ଦେଶ ମଧ୍ୟରେ ବଢ଼ିଛି ବିବାଦ। ୧୨ ଦିନ ପରେ ବାଲାକୋଟ ସମେତ ୩ଟି ସ୍ଥାନରେ ଆତଙ୍କବାଦୀ ଆଡ୍ଡାକୁ ଆକାଶ ମାର୍ଗରୁ ବୋମାମାଡ଼ କରି ଛାରଖାର କରିଥିଲା ଭାରତୀୟ ବାୟୁସେନା। ତାପରେ ଭାରତ-ପାକିସ୍ତାନ ସୀମାରେ ଉତ୍ତେଜନା ବୃଦ୍ଧି ପାଇଛି।