ପ୍ରେମ ବିବାହ ପାଇଁ ପରିବାରର ଅନୁମତି ବାଧ୍ୟତାମୂଳକ, ଯୋଜନା କରୁଛନ୍ତି ମୁଖ୍ୟମନ୍ତ୍ରୀ

ଆଉ ଲୁଚିଛପି ବିବାହ କରିପାରିବେନି ପ୍ରେମୀ ଯୁଗଳ । ବିବାହ ପାଇଁ ମାତା ପିତାଙ୍କ ଅନୁମତି ବାଧ୍ୟତାମୂଳକ । ଏଭଳି ପ୍ଲାନିଂ କରୁଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ।

ପ୍ରେମ ବିବାହ କରିବା ପାଇଁ ବାପା ମା’ଙ୍କ ଅନୁମତି ନେବା ବାଧ୍ୟତାମୂଳକ । ଏହାକୁ ନେଇ ଏକ ବଡ ଘୋଷଣା ହୋଇପାରେ ବୋଲି ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ କହିଛନ୍ତି । ଏନେଇ ଏକ ଯୋଜନା ହେଉଛି । ଆଜିକାଲିର ଯୁବପିଢି ପ୍ରେମରେ ପଡି ବାପା ମା’ଙ୍କୁ ଭୁଲିଯାଉଛନ୍ତି । ବିବାହ ପାଇଁ ବାପା ମା’ଙ୍କ ଅନୁମତିକୁ ଅପେକ୍ଷା କରୁନାହାନ୍ତି ।

ସୂଚନା ଅନୁସାରେ, ମେହସାଣା ଜିଲ୍ଲାରେ ପାଟୀଦାର ସମୁଦାୟର ପ୍ରତିନିଧିତ୍ୱ କରୁଥିବା ସର୍ଦ୍ଦାର ପଟେଲ ଗ୍ରୁପ ଦ୍ୱାରା ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ଯୋଗ ଦେଇ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ପ୍ରେମ ବିବାହ ମାମଲାକୁ ନେଇ ମନ୍ତବ୍ୟ ଦେଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଋଷିକେଶ ପଟେଲ ତାଙ୍କୁ ବିବାହ ପାଇଁ ଘର ଛାଡ଼ି ଫେରାର ହୋଇଯାଉଥିବା ମହିଳାଙ୍କ ବିଷୟରେ ଅଧ୍ୟୟନ କରିବା ପାଇଁ ପରାମର୍ଶ ଦେଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହାଦ୍ୱାରା ପ୍ରେମ ବିବାହ ପାଇଁ ପିତା-ମାତାଙ୍କ ଅନୁମତିକୁ ବାଧ୍ୟତାମୂଳକ କରିବା ପାଇଁ ନୂଆ ନିୟମ ପ୍ରସ୍ତୁତ କରାଯାଇ ପାରିବ । ସମ୍ବିଧାନ ଯଦି ଏହାକୁ ସମର୍ଥନ କରେ, ତେବେ ଏହାକୁ ବିଚାର କରି ଉଚିତ ବ୍ୟବସ୍ଥା ଲାଗୁ କରାଯିବ ବୋଲି ଆଶା କରାଯାଉଛି ।

ବିଧାନସଭାରେ ଏହି ପ୍ରସଙ୍ଗ ଉଠିଲେ ଏହାକୁ ସମର୍ଥନ କରିବେ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଇମରାନ ଖେଡ଼ାୱାଲା । ପ୍ରେମ ବିବାହ ପାଇଁ ପିତାମାତାଙ୍କୁ ଅଣଦେଖା କରିବା ବିରୋଧରେ ସରକାର ସମ୍ବିଧାନକୁ ଦୃଷ୍ଟିରେ ରଖି ବିଶେଷ ପଦକ୍ଷେପ ନେବା ଉପରେ ବିଚାର କରୁଥିବା କହିଛନ୍ତି କଂଗ୍ରେସ ବିଧାୟକ ।

ଗୁଜୁରାଟ ସରକାର ୨୦୨୧ ମସିହାରେ ଧାର୍ମିକ ସ୍ୱତନ୍ତ୍ରତା ଅଧିନିୟମରେ ସଂଶୋଧନ କରାଇଛନ୍ତି । ଏଥିରେ ବିବାହ ପାଇଁ ଜବରଦସ୍ତ କୌଣସି ବ୍ୟକ୍ତିଙ୍କର ଧର୍ମ ପରିବର୍ତ୍ତନ କରିବାକୁ ଏକ ଦଣ୍ଡନୀୟ ଅପରାଧ ବୋଲି ଘୋଷଣା କରାଯାଇଥିଲା । ସଂଶୋଧିତ ଅଧିନିୟକ ଅଧିନରେ ଦୋଷୀଙ୍କୁ ୧୦ ବର୍ଷ କାରାଦଣ୍ଡାଦେଶ ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.