କର୍ମଚାରୀ ମାଗିଲେ ବେତନ, ଧରାଇ ଦିଆଗଲା ଲଲିପପ୍! ଜାଣନ୍ତୁ ଝାଡ଼ଖଣ୍ଡ ପୋଲିସର ଭିତିରି କଥା
ଝାଡ଼ଖଣ୍ଡ ପୋଲିସ ଏବେ ନିଜ ଭାଗ୍ୟକୁ ନିନ୍ଦୁଛି। ଲୋକଙ୍କ ସୁରକ୍ଷା ପାଇଁ ଦିନରାତି ଏକାକାର କରି କାମ କରୁଥିବା ପୋଲିସ କର୍ମଚାରୀ ସପ୍ତାହକ ୭ ଦିନ ଡ୍ୟୁଟି କରୁଥିଲେ ମଧ୍ୟ ସରକାରଙ୍କ ତରଫରୁ ସେମାନଙ୍କୁ ବେତନ ନାଁରେ ଠକେଇ କରାଯାଉଛି। ପୋଲିସ ବିଭାଗରେ ଗୋଟିଏ ମାସର ଅତିରିକ୍ତ ବେତନକୁ ନେଇ ଏବେ ପୋଲିସ କର୍ମଚାରୀଙ୍କଠାରୁ ଆରମ୍ଭ କରି ଅଧିକାରୀଙ୍କ ପଯ୍ୟର୍ନ୍ତ, ସମସ୍ତେ ନିଜ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ଝାଡ଼ଖଣ୍ଡ ପୋଲିସରେ ସିପାହୀଠାରୁ ଆରମ୍ଭ କରି ଇନ୍ସ୍ପେକ୍ଟର ସ୍ତର ପଯ୍ୟର୍ନ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ୧ ମାସର ଅତିରିକ୍ତ ବେତନ ଦିଆଯିବା କଥା। ହୋଲି, ଦୀପାବଳି, ଛଠ୍ ପୂଜା, ଦଶହରା, ଇଦ୍, ବକରୀଦ୍, କରମା, ରାମନବମୀ ଭଳି ସ୍ୱତନ୍ତ୍ର ଦିନଗୁଡ଼ିକରେ ନିଜ ଡ୍ୟୁଟି ସମ୍ଭାଳୁଥିବା ପୋଲିସ କର୍ମୀଙ୍କୁ ୧ ମାସର ଅତିରିକ୍ତ ବେତନ ଦିଆଯିବାର ନିୟମ ରହିଥିଲା। କିନ୍ତୁ ପୂର୍ବତନ ସରକାର ସେମାନଙ୍କୁ ଲଲିପପ୍ ଧରାଇ ଦେଇଥିଲେ। ୧ ମାସର ଅତିରକ୍ତ ଦରମା ପାଇଁ ତିଆରି ହୋଇଥିବା ସରକାରଙ୍କ ରିଜୋଲ୍ୟୁଶନ ଅନୁସାରେ, ପ୍ରଶିକ୍ଷଣ ଅବଧି ଏବଂ କ୍ଷତିପୂରଣ ଅବକାଶ ନେଉଥିବା ପୋଲିସ କର୍ମୀ ଏବଂ ଅଧିକାରୀମାନେ ଏବେ ଏହି ପାରିତୋଷିକରୁ ବଞ୍ଚିତ ରହିବେ, ଯାହାକୁ ନେଇ ଏବେ ଅସନ୍ତୋଷ ବୃଦ୍ଧି ପାଇଛି। ଅଧିକାରୀଙ୍କ କହିବା ହେଲା, ଏହା ୧ ମାସର ଅତିରିକ୍ତ ବେତନ ନୁହେଁ, ବରଂ ଲଲିପପ୍ ଚଖାଇବା ଭଳି। ରାଜ୍ୟର ୮୦ ପ୍ରତିଶତ ପୋଲିସ କର୍ମୀ ଏହି ବ୍ୟବସ୍ଥାର ଲାଭରୁ ବଞ୍ଚିତ ହେବେ।
ସେପଟେ ଝାଡ଼ଖଣ୍ଡ ପୋଲିସର ବର୍ଦ୍ଦିରେ କ୍ୟାମେରା ଲାଗିବାର ଯୋଜନା ପ୍ରସ୍ତୁତ ହୋଇଥିଲା। କିନ୍ତୁ ଏହା ବିଭାଗର ଖୁଣ୍ଟିରେ ଟାଙ୍ଗିଦିଆଯାଇଛି। ପୋଲିସ ଆଧୁନିକୀକରଣ ନାଁରେ ମିଳୁଥିବା ରାଶିର ଦୂରୁପଯୋଗ କରାଯାଉଥିବା ଏଥିରୁ ପ୍ରମାଣ ମିଳୁଛି। ପୋଲିସକୁ ଆଧୁନିକ କରିବା ପାଇଁ ଏମିତି ଅନେକ ଜିନିଷ ଏବଂ ଉପକରଣ କିଣାଯାଉଥିଲେ ହେଁ ଶୋ’-ପିସ୍ ଭଳି ପଡ଼ିରହିଛି। ଏଥିରୁ କୌଣସି ଫାଇଦା ମିଳୁନି।
୨୦୧୭ରେ ଝାଡ଼ଖଣ୍ଡ ପୋଲିସ ୪୨୪ଟି ବଟନ କ୍ୟାମେରା କିଣିଥିଲା। ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ ହୋଇଥିଲା, କିନ୍ତୁ କାହାର ବର୍ଦ୍ଦିରେ ଏହି କ୍ୟାମେରା ୨/୪ଦିନରୁ ଅଧିକ ସମୟ ଯାଏ ଚାଲିପାରିଲା ନାହିଁ। ବଟନ କ୍ୟାମେରାରେ ଏତେ କୋଟି ଟଙ୍କା ଖର୍ଚ୍ଚ କରି ମନ ଭରିଲାନି ଯେ ଏବେ ଆଉ ଏକ ଫ୍ଲପ୍ ଶୋ’ ଆରମ୍ଭ ହୋଇଯାଇଛି। କଥାଟି ହେଲା, ବର୍ତ୍ତମାନ ୧୩୬ଟି ବଡି ଓ୍ଵର୍ଣ୍ଣ କ୍ୟାମେରା କିଣିବା ପାଇଁ ପ୍ରସ୍ତାବ ରଖାଯାଇଛି।
ସେହିପରି ଏସ୍ପି କୌଣସି ଏକ ଥାନାରେ ରାତିରେ ରହିବେ ବୋଲି ନିୟମ ରହିଛି। ସେଠାରେ ସେ ପୁଲିସିଂ ଦେଖିବେ ଏବଂ ପୋଲିସ କେମିତି କାମ କରୁଛି, ତାହା ପରଖିବେ। ଏହି ଆଦର୍ଶ ନିୟମ ପୂର୍ବତନ ସରକାର ଏବଂ ପୋଲିସ ମୁଖ୍ୟାଳୟର ଥିଲା, ଯାହାକି କେବେ ସୁଦ୍ଧା କାଯ୍ୟର୍ରେ ପରିଣତ ହୋଇନି।