ବିରଳ ପରମ୍ପରାର ମନ୍ଦିର ଚଣ୍ଡିଖୋଲର ମହାବିନାୟକ କ୍ଷେତ୍ର, ଯେଉଁଠି ଜାଗର ଦିନ ଉପବାସ ରୁହନ୍ତି ପଞ୍ଚଦେବତା

ଯାଜପୁର(କେନ୍ୟୁଜ୍‌): ରାତି ପାହିଲେ ମହାଶିବରାତ୍ରୀ । ଏନେଇ ସଜେଇ ହେଲାଣି ଯାଜପୁର ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଚଣ୍ଡିଖୋଲର ମହାବିନାୟକ କ୍ଷେତ୍ର । ଏହି ପୀଠର ବିଶେଷତ୍ୱ ହେଉଛି ଏହି ଦିନ ମହାଦେବଙ୍କ ସମେତ ଉଜାଗର ରହିଥାନ୍ତି ପଞ୍ଚଦେବତା । ଭାରତବର୍ଷରେ ଏଭଳି କ୍ଷେତ୍ର ବିରଳ । ମହାଶିବରାତ୍ରୀ ପାଇଁ ଚାଲିଛି ବିଭିନ୍ନ ଶୈବପୀଠରେ ପ୍ରସ୍ତୁତି ପର୍ବ ।  ଯାଜପୁର ଜିଲ୍ଲା ଚଣ୍ଡିଖୋଲ ନିକଟସ୍ଥ ମହାବିନାୟକ ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ । ବଣ ପାହାଡ ଘେରା ପରିବେଶରେ ପୂଜା ପାଉଛନ୍ତି ପଂଚଦେବତା । ଗଣେଷ, ଭାସ୍କର, ବିଷ୍ଣୁ, ଶିବ ଏବଂ ଦୁର୍ଗାଙ୍କ ଅନନ୍ୟ ମିଳନ ଘଟିଛି ଏଠାରେ । ପ୍ରାକୃତିକ ପରିବେଶ ମଧ୍ୟରେ ମହାବିନାୟକଙ୍କ ମନ୍ଦିର ହେଉଛି ବହୁ ପୁରାତନ । ତେବେ ଏହି ପୀଠର ବୈଶିଷ୍ଟ୍ୟ ହେଉଛି ଜାଗର ଯାତ୍ରା ଦିନ ଶିବଙ୍କ ସହ ଉଜାଗର ରୁହନ୍ତି ପଂଚଦେବତା । ଏଭଳି କ୍ଷେତ୍ର ଭାରତ ବର୍ଷରେ ପ୍ରାୟତଃ ଆଉ କେଉଁଠି ଦେଖିବାକୁ ମିଳିନଥାଏ । ଯେଉଁଥିପାଇଁ ନାନା ମନସ୍କାମନା ନେଇ ଏଠାକୁ ଛୁଟି ଆସିଥାନ୍ତି ହଜାର ହଜାର ଶ୍ରଦ୍ଧାଳୁ ।

ଏକାସାଙ୍ଗରେ ପ୍ରଭୁଙ୍କ ଦର୍ଶନ ସହ ପଞ୍ଚଦେବତାଙ୍କ ଆଶୀର୍ବାଦ ମଧ୍ୟ ଲାଭ କରିଥାନ୍ତି । ଜାଗର ଯାତ୍ରା ପାଇଁ ଚଳଚଂଚଳ ହୋଇଉଠିଛି ମହାବିନାୟକ ପୀଠ । ଏପଟେ ଜୋରସୋରରେ ଆଗେଇ ଚାଲିଛି ପ୍ରସ୍ତୁତି ପର୍ବ । ମନ୍ଦିର ଓ ପାଶ୍ୱର୍ଦେବାଦେବୀଙ୍କ ରଙ୍ଗ କାର୍ଯ୍ୟରେ ଲାଗି ପଡିଛନ୍ତି କାରିଗର । ଶ୍ରଦ୍ଧାଳୁ ମାନଙ୍କ ପାଇଁ ଜାଗର ଦୀପ ହୋଇଛି ପ୍ରସ୍ତୁତ । ଜାଗର ଯାତ୍ରାକୁ ଦୃଷ୍ଟିରେ ରଖି ବିଭିନ୍ନ ଦୋକାନ ବଜାର ମଧ୍ୟ ପଡିଲାଣି । ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ୍ ନିର୍ମାଣ କରାଯାଇଛି ।

ଏପଟେ ମନ୍ଦିର ଟ୍ରଷ୍ଟ ବୋର୍ଡ ଏବଂ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏକପ୍ରକାର ଜାଗର ଯାତ୍ରା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିସାରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.