କୋଭିଡ ସ୍ଥିତି ନେଇ ପ୍ରଧାନମନ୍ତ୍ରୀ କରିବେ ସମୀକ୍ଷା : ଅପରାହ୍ନ ସାଢ଼େ ୪ଟାରେ କରିପାରନ୍ତି ବଡ ଘୋଷଣା

କେନ୍ୟୁଜ୍(ବ୍ୟୁରୋ): କୋଭିଡ ସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ । ଅପରାହ୍ନ ସାଢ଼େ ୪ଟାରେ ସମୀକ୍ଷା କରିବେ ନରେନ୍ଦ୍ର ମୋଦି । ବୈଠକରେ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଯୋଗଦେବେ । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢିଚାଲିଥିବାବେଳେ ଅସମ୍ଭାଳ ସ୍ଥିତି ଉପରେ ଆଲୋଚନା ହେବ।

ଦେଶରେ କରୋନା ସଂକ୍ରମଣ ଉପରେ ଲାଗୁନି ବ୍ରେକ୍‌। ଦେଢ ଲକ୍ଷ ଟପିଲା ଦୈନିକ ସଂକ୍ରମଣ। ଗତ ୨୪ଘଣ୍ଟାରେ ୧ଲକ୍ଷ ୫୯ହଜାର ୬୩୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗୋଟିଏ ଦିନରେ ୩୨୭ ଜଣଙ୍କ ଜୀବନ ନେଇଛି ଭାଇରସ୍‌। ପଜିଟିଭିଟି ରେଟ୍‌ ରହିଛି ୧୦.୨୧ପ୍ରତିଶତ। ଆକ୍‌ଟିଭ୍‌ କେସ୍‌ ରହିଛି ୫ଲକ୍ଷ ୯୦ହଜାର ୬୧୧।

ସେହିଭଳି ଦେଶରେ ଓମିକ୍ରନ କେସ୍‌ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏପର୍ଯ୍ୟନ୍ତ ୩ହଜାର ୬୨୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ ୧ହଜାର ୯ କେସ୍‌ ରହିଛି। ଟିକାକରଣ ୧୫୧ କୋଟି ୫୮ ଲକ୍ଷ ଡୋଜ୍‌ ଟପିଛି।