ରାଫେଲ୍ ପ୍ରସଙ୍ଗରେ ପୁଣି ବର୍ଷିଲେ ରାହୁଲ ଗାନ୍ଧୀ , ସିଧାସଳଖ ପ୍ରଧାନମନ୍ତ୍ରୀଙ୍କୁ କଲେ ଟାର୍ଗେଟ

ଦିଲ୍ଲୀ(କେନ୍ୟୁଜ୍) : ରାଫେଲ ପ୍ରସଙ୍ଗରେ ପୁଣି ବର୍ଷିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ସିଧାସଳଖ ପ୍ରଧାନମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ସେ ଟାର୍ଗେଟ କରିଛନ୍ତି। ରାହୁଲ କହିଛନ୍ତି, ରାଫେଲ୍ର ପ୍ରକୃତ ଦାମ୍ ଗାଏବ ହୋଇଛି। ରାଫେଲ୍ ଡିଲର ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଚୋରି ହୋଇଥିବା ସୁପ୍ରିମକୋର୍ଟଙ୍କୁ କେନ୍ଦ୍ର ସରକାର ଜଣାଇବା ପରେ ପ୍ରେସମିଟ କରି ବର୍ଷିଛନ୍ତି ରାହୁଲ। ସେ କହିଛନ୍ତି, କାଗଜପତ୍ର ଚୋରି ହେବା ଅର୍ଥ ସବୁ ଅଭିଯୋଗ ସତ। ଦସ୍ତାବିଜରେ ପ୍ରଧାନମନ୍ତ୍ରୀଙ୍କ ନାଁ ରହିଛି। ସରକାର ଚୌକିଦାର୍କୁ ବଞ୍ଚାଇବାକୁ ଚାହୁଁଛି।
ମୋଦି ରାଫେଲ ଡିଲର ବାଇପାସ୍ ସର୍ଜରୀ କରିଛନ୍ତି। ଯଦି ଆଇନ ସମସ୍ତ ପାଇଁ ସମାନ, ତେବେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ରାହୁଲ। ରାଫେଲ୍ ଡିଲ୍ରେ ୩୦ ହଜାର କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ କରିଛି କଂଗ୍ରେସ। ରାହୁଲ ପ୍ରଶ୍ନ କରିଛନ୍ତି, ଯଦି ଦୁର୍ନୀତି ହୋଇ ନାହିଁ ସରକାର ଓ ପ୍ରଧାନମନ୍ତ୍ରୀ କାହିଁକି ତଦନ୍ତକୁ ଡରୁଛନ୍ତି । ଅନୀଲ ଅମ୍ବାନୀଙ୍କ ରିଏଲାନ୍ସ ଆଭିଏସନ୍କୁ ରାଫେଲ୍ ଡିଲ୍ ଦେବାକୁ ପ୍ରଧାନମନ୍ତ୍ରୀ ବିଳମ୍ବ କରିଥିବା ରାହୁଲ ଅଭିଯୋଗ ଆଣିଛନ୍ତି । ରାଫେଲ୍ ଡିଲ୍ ଦସ୍ତାବିଜ୍ ଚୋରି ହୋଇଥିବା ନେଇ ସୁପ୍ରିମକୋର୍ଟଙ୍କୁ କେନ୍ଦ୍ର ସରକାର ଜଣାଇବା ପରେ ରାଜନୀତି ତୀବ୍ର ହୋଇଛି।