Below header

କ୍ରିମିଆ ବ୍ରିଜ୍ ବିସ୍ଫୋରଣ ପରେ ରକ୍ତମୁଖା ରୁଷ୍‌: ୟୁକ୍ରେନ୍‌ ଉପରେ ୮୪ଟି ମିସାଇଲ୍‌ ମାଡ଼! ୧୨ ମୃତ, ୮୦ ଆହତ

କ୍ରିମିଆ ବ୍ରିଜ୍‌ ବିସ୍ଫୋରଣର ପ୍ରତିଶୋଧ ନେଇଛି ରୁଷ୍‌ । ୟୁକ୍ରେନ୍‌ ଉପରେ ୮୪ଟି ମିସାଇଲ୍‌ ମାଡ଼ କରିଛି । ୮ଟି ଅଞ୍ଚଳରେ ୧୧ ଭିତ୍ତିଭୂମି ବ୍ୟବସ୍ଥା ଧ୍ୱଂସ କରିଛି । ଏକାଧିକ ବୋମାମାଡ଼ରେ ଥରିଛି ୟୁକ୍ରେନ୍‌ ରାଜଧାନୀ କିଭ୍‌ । ଏଥିରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮୦ ଆହତ ହୋଇଛନ୍ତି । କ୍ରିମିଆ ବ୍ରିଜ ବିସ୍ଫୋରଣ ପରେ ଗତକାଲି ରୁଷ ସୁରକ୍ଷା ପରିଷଦ ବୈଠକ ଡାକିଥିଲେ ରାଷ୍ଟ୍ରପତି ପୁଟିନ୍‌ । ଏଥିରେ ସମ୍ବୋଧନ କରି ପୁଟିନ୍‌ କହିଛନ୍ତି, ବହୁ ବର୍ଷ ହେବ କିଭ୍‌ ଆତଙ୍କବାଦର ପନ୍ଥା ଗ୍ରହଣ କରି ଆସୁଛି । ୟୁକ୍ରେନର ସୁରକ୍ଷା ସଂସ୍ଥା କୁର୍ସ୍କ ଆଣବିକ ପାଓ୍ଵାର ପ୍ଲାଣ୍ଟରେ ୩ଟି ଆତଙ୍କବାଦୀ ଆକ୍ରମଣ କରିଛନ୍ତି । ୟୁକ୍ରେନ୍‌ ତୁର୍କଷ୍ଟ୍ରିମ୍‌ ପାଇପଲାଇନକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରାଯାଇଛି । କୁର୍ସ୍କ ଆଣବିକ ପାଓ୍ଵାର ପ୍ଲାଣ୍ଟ ବିରୋଧରେ ଆତଙ୍କବାଦ ହମଲାକୁ ରୋକାଯାଇଥିଲା । କିଭ୍‌ ଆଣବିକ ଆତଙ୍କବାଦ କାର୍ଯ୍ୟକଳାପ ଚଳାଇଛି ବୋଲି କରିଛନ୍ତି ପୁଟିନ୍‌ । ଏଥିସହ ଚେତେଇ ଦେଇଛନ୍ତି, ରୁଷ୍‌ ସଂଘ ବିରୋଧରେ ଆତଙ୍କବାଦ ପନ୍ଥା ଜାରି ରଖିଲେ ମସ୍କୋ କଡ଼ା ଆକ୍ସନ ନେବ ।

ତେବେ ୟୁକ୍ରେନ ଉପରେ ଆହୁରି ପ୍ରଚଣ୍ଡ ହେବ ଆକ୍ରମଣ । ଗତକାଲି ୟୁକ୍ରେନର ବିଭିନ୍ନ ସହରରେ ହମଲା କେବଳ ଟ୍ରେଲର ଥିଲା । ଏହି ଆକ୍ରମଣ କେବଳ ପ୍ରଥମ ଅଧ୍ୟାୟ ଚେତାବନୀ । ଆଗକୁ ଆକ୍ରମଣ ଆହୁରି ହେବ । ଏଭଳି ଚେତାବନୀ ଶୁଣାଇଛନ୍ତି ରୁଷର ପୂର୍ବତନ ରାଷ୍ଟ୍ରପତି ତଥା ରୁଷ ସୁରକ୍ଷା ପରିଷଦର ଉପାଧ୍ୟକ୍ଷ ମେଡଭେଡେଭ । ସେ କହିଛନ୍ତି, ୟୁକ୍ରେନରେ ନାଜି ଶାସନ ଚାଲିଛି । ଯାହା ରୁଷ ପାଇଁ ବିପଦ । ଗତକାଲି କିଭ ସମେତ ୟୁକ୍ରେନର ବହୁ ଅଞ୍ଚଳରେ ମିସାଇଲ ମାଡ଼ କରିଥିଲା ରୁଷ। ବୋମା ବିସ୍ଫୋରଣରେ ଥରି ଉଠିଥିଲା ପୂରା କିଭ। ବହୁ ଲୋକମୃତାହତ ହୋଇଥିଲେ ।

କହିବାକୁ ଗଲେ କ୍ରିମିଆ ବ୍ରିଜ ବିସ୍ଫୋରଣ ପରେ ରକ୍ତମୁଖା ହୋଇଛି ରୁଷ୍‌ । ଦିନକରେ ୟୁକ୍ରେନର ବିଭିନ୍ନ ସହରରେ ୮୪ଟି ମିସାଇଲ୍‌ ମାଡ଼ କରିଛି ରୁଷ୍‌ । ଏହାକୁ ରୁଷର ଆତଙ୍କବାଦୀ ଆକ୍ରମଣ ବୋଲି କହିଛି ୟୁକ୍ରେନ୍‌ । ଜେଲେନସ୍କି କହିଛନ୍ତି, ଏମିତି କରି କେହି ୟୁକ୍ରେନକୁ ଭୟଭୀତ କରି ପାରିବେ ନାହିଁ । ଏହା ବଦଳରେ ଆମେ ଆହୁରି ଏକଜୁଟ ହୋଇଗଲୁ । ବ୍ୟାଟଲ ଗ୍ରାଉଣ୍ଡରେ ୟୁକ୍ରେନକୁ ରୋକାଯାଇ ପାରିବ ନାହିଁ । ବର୍ତ୍ତମାନ ଦଖଲକାରୀମାନେ ଯୁଦ୍ଧକ୍ଷେତ୍ରରେ ଆମକୁ ବିରୋଧ କରିବାକୁ ସକ୍ଷମ ନୁହଁନ୍ତି । ସେଥିପାଇଁ ସେମାନେ ଏହି ଆତଙ୍କର ସାହାରା ନେଉଛନ୍ତି ବୋଲି କହିଛନ୍ତି ଜେଲେନସ୍କି । ଦେଶବାସୀଙ୍କୁ ନିଜ ଉଦବୋଧନରେ ସେ ଆହୁରି କହିଛନ୍ତି, ଏବେ ବି ଅଛି ବିପଦ । ଲଢ଼େଇ ଜାରି ରହିଛି । ଯୁଦ୍ଧକ୍ଷେତ୍ରକୁ ଶତ୍ରୁଙ୍କ ପାଇଁ ଅଧିକ ଯନ୍ତ୍ରଣାଦାୟକ କରିବାକୁ ଆହ୍ଵାନ କରିଛନ୍ତି ଜେଲେନସ୍କି । ବାୟୁସେନା ଓ ଗ୍ରାଉଣ୍ଡ ଫୋର୍ସ ୟୁନିଟକୁ କୃତଜ୍ଞତା ଜଣାଇଛନ୍ତି । ଜେଲେନସ୍କି କହିଛନ୍ତି, ରୁଷ୍‌ ମାଡ଼ କରିଥିବା ୮୪ଟି କ୍ଷେପଣାସ୍ତ୍ରରୁ ୪୩ଟିକୁ ମାରି ଖସାଇ ଦିଆଯାଇଛି । ସେହିପରି ରୁଷର ୨୪ଟି ଡ୍ରୋନରୁ ୧୩ଟିକୁ ଧ୍ୱଂସ କରିଛି ୟୁକ୍ରେନ୍‌ ସେନା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.