ପରମାଣୁ ଯୁଦ୍ଧାଭ୍ୟାସ କଲା ରୁଷ୍: ଯୁଦ୍ଧପୋତରୁ ବାଲିଷ୍ଟିକ୍ ଓ କ୍ରୁଜ୍ ମିସାଇଲ୍ ମାଡ଼

କେନ୍ୟୁଜ୍(ବ୍ୟୁରୋ): ଡର୍ଟି ବୋମା ଓ ଆଣବିକ ଯୁଦ୍ଧ ଆଶଙ୍କା ଭିତରେ, ରୁଷର ପରମାଣୁ ଯୁଦ୍ଧାଭ୍ୟାସ । ଯୁଦ୍ଧପୋତରୁ ଘନଘନ ବାଲିଷ୍ଟିକ୍ ଓ କ୍ରୁଜ୍ ମିସାଇଲ ଉତ୍କ୍ଷେପଣ କରିଛି । ଟାର୍ଗେଟରେ ୟୁକ୍ରେନ ନଥିଲେ ମଧ୍ୟ, ନିଜ ପରମାଣୁ ପରାକ୍ରମ ଦେଖାଉଛି ରୁଷ । ୟୁକ୍ରେନ୍ ସହ ୮ ମାସର ଯୁଦ୍ଧ ଭିତରେ ବାର୍ଷିକ ନ୍ୟୁକ୍ଲିଅର ସମରାଭ୍ୟାସ ଆରମ୍ଭ କରିଛି । ନିଜେ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ କ୍ରେମଲିନରେ ବସି ରୁଷ ନ୍ୟୁକ୍ଲିଅର ଫୋର୍ସର ଯୁଦ୍ଧାଭ୍ୟାସ ନିରକ୍ଷଣ କରିଛନ୍ତି । ଏହି ଆଣବିକ ସମରାଭ୍ୟାସ ଆମେରିକାର ଜାଣତରେ ହୋଇଛି । ନ୍ୟୁ ଷ୍ଟାର୍ଟ ଆର୍ମସ ଚୁକ୍ତି ମୁତାବକ ଆମେରିକାକୁ ରୁଷ ଆଗୁଆ ସୂଚନା ଦେଇଥିଲା ।
ଅନ୍ୟ ଦେଶ ପରମାଣୁ ଆକ୍ରମଣ କଲେ କିଭଳି ରୋକାଯାଇ ପାରିବ ସେନେଇ ଅଭ୍ୟାସ କରାଯାଇଥିଲା । ନ୍ୟୁକ୍ଲିଅର ଏକ୍ସରସାଇଜ୍ ସଫଳ ହୋଇଥିବା ପୁଟିନ୍ଙ୍କୁ କହିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ସର୍ଗେଇ ସୋଇଗୁ । ସେପଟେ ନାଟୋ ବି ପରମାଣୁ ସମରାଭ୍ୟାସ କରିଛି । ତେଣୁ ରୁଷ୍ର ପରମାଣୁ ସମରାଭ୍ୟାସ ପରେ ଆଣବିକ ଯୁଦ୍ଧ ଭୟ ବଢ଼ିଛି । ୟୁକ୍ରେନ ବିରୋଧରେ ଡର୍ଟି ବୋମା ଅଭିଯୋଗ ମଧ୍ୟ ଆଣିଛି ରୁଷିଆ । ୟୁକ୍ରେନ୍ ଉପରେ ପରମାଣୁ ଆକ୍ରମଣ ପାଇଁ ରୁଷ୍ ଡର୍ଟି ବୋମା ଅଭିଯୋଗର ବାହାନା କରିଥିବା ଚର୍ଚ୍ଚା ହେଉଛି । ଏତିକି ବେଳେ କ୍ରେମଲିନର ନ୍ୟୁକ୍ଲିଅର ଏକ୍ସରସାଇଜ, ବିଶ୍ୱବାସୀଙ୍କ ଚିନ୍ତା ବଢାଇ ଦେଇଛି ।
ଅନ୍ୟପଟେ ପୁଟିନ୍ କହିଛନ୍ତି, ୟୁକ୍ରେନ ଆଣବିକ ଅସ୍ତ୍ର ହାତେଇବାକୁ ଉଦ୍ୟମ କରୁଛି । ୟୁକ୍ରେନର ଆଣବିକ ଆଶା ISIS ଓ ଅଲ୍-କାଏଦା ଭଳି ବିପଦ ସୃଷ୍ଟି କରିବ । କଳାବଜାର ଜରିଆରେ ୟୁକ୍ରେନକୁ ବହୁ ପରିମାଣରେ ଅସ୍ତ୍ର ପହଞ୍ଚୁଛି । ଯାହା ଆତଙ୍କୀ ଗୋଷ୍ଠୀଙ୍କ ହାତରେ ଲାଗିବା ସମ୍ଭାବନା ରହିଛି । ୟୁକ୍ରେନ ନିଜର ସ୍ୱାଧୀନତା ହରାଇଛି ଏବଂ ଆମେରିକା ବୈଦେଶିକ ନୀତିର ଏକ ମୋହରା ପାଲଟିଯାଇଛି ବୋଲି ସିଆଇଏସ୍ ଦେଶ ସମୂହର ପ୍ରତିରକ୍ଷା ସମ୍ପର୍କିତ ବୈଠକରେ ଏହା କହିଛନ୍ତି ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ।