Below header

ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ୫ ବର୍ଷକୁ ବୃଦ୍ଧି

ନୂଆଦିଲ୍ଲୀ(କେ ନ୍ୟୁଜ): ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ୫ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି ହୋଇ ପାରିବ। ଏ ନେଇ କେନ୍ଦ୍ର ସରକାର ଆଣିଛନ୍ତି ୨ଟି ଅଧ୍ୟାଦେଶ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅଧ୍ୟାଦେଶରେ ମୋହର ମାରିଛନ୍ତି। ବର୍ତ୍ତମାନ ସିବିଆଇ ଓ ଇଡିଙ୍କ କାର୍ଯ୍ୟାକାଳ ଦୁଇ ବର୍ଷ ରହିଛି। ଅଧ୍ୟାଦେଶ ଅନୁଯାୟୀ, ଦୁଇ ବର୍ଷର କାର୍ଯ୍ୟକାଳ ଶେଷ ହେବା ପରେ କାର୍ଯ୍ୟକାଳ ବୃଦ୍ଧି କରାଯାଇ ପାରିବ। ପ୍ରତି ବର୍ଷ ଆଗାମୀ ତିନି ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାଳ ବୃଦ୍ଧି କରାଯାଇ ପାରିବ ବୋଲି ଅଧ୍ୟାଦେଶ ଜାରି ହୋଇଛି। କିନ୍ତୁ କାର୍ଯ୍ୟକାଳ ୫ ବର୍ଷରୁ ଅଧିକ କରି ହେବନାହିଁ। ବର୍ତ୍ତମାନ ଇଡି ନିର୍ଦ୍ଦେଶକ ଅଛନ୍ତି ସଞ୍ଜୟ କୁମାର ମିଶ୍ର ଓ ସିବିଆଇ ନିର୍ଦ୍ଦେଶକ ଅଛନ୍ତି ସୁବୋଧ କୁମାର ଜୈଶୱାଲ। ଇଡି ମୁଖ୍ୟ ସଞ୍ଜୟ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ଗତ ବର୍ଷ ୧ ବର୍ଷ ଲାଗି ବୃଦ୍ଧି କରାଯାଇଥିଲା। ୨୦୧୮ ନଭେମ୍ବର ୧୯ରେ ଇଡି ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ସଞ୍ଜୟ କୁମାର ମିଶ୍ର । ୨୦୨୦ ନଭେମ୍ବର ୧୩ରେ ବର୍ଷେ କାର୍ଯ୍ୟକାଳ ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଥିଲେ କେନ୍ଦ୍ର ସରକାର।

ସିଭିସିଙ୍କ ଅଧ୍ୟକ୍ଷତାରେ ଉଚ୍ଚକ୍ଷମତା ସମ୍ପନ୍ନ କମିଟି କାର୍ଯ୍ୟକାଳ ବୃଦ୍ଧିକୁ ଅନୁମତି ଦେଇଥିଲେ। ଏହାକୁ ବିଭିନ୍ନ ମହଲରେ ବିରୋଧ କରାଯାଇଥିଲା। ଏ ସମ୍ପର୍କିତ ଏକ ମାମଲାର ବିଚାର କରି ସୁପ୍ରିମକୋର୍ଟଙ୍କ ଜଷ୍ଟିସ ଏଲ ଏନ୍‌ ରାଓଙ୍କ ଖଣ୍ଡପୀଠ କହିଥିଲେ, ବିରଳ ଓ ଅସାଧାରଣ ପରିସ୍ଥିତିରେ ହିଁ କାର୍ଯ୍ୟକାଳ ବୃଦ୍ଧି କରାଯାଇ ପାରିବ । ଏହାସହ ସଞ୍ଜୟ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ଆଉ ବୃଦ୍ଧି ନ କରିବାକୁ କହିଥିଲେ। ଆସନ୍ତା ନଭେମ୍ବର ୧୭ରେ ତାଙ୍କ କାର୍ଯ୍ୟକାଳ ସରୁଛି । ତାର ତିନି ଦିନ ପୂର୍ବରୁ କେନ୍ଦ୍ର ସରକାର ଅଧ୍ୟାଦେଶ ଆଣିଛନ୍ତି। ଯଦି ଏହାକୁ କାର୍ଯ୍ୟକାରୀ କରାଯାଏ ତେବେ ସଞ୍ଜୟ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ବୃଦ୍ଧିରେ ଅସୁବିଧା ହେବ ନାହିଁ। ସେପଟେ ବର୍ତ୍ତମାନ ସିବିଆଇ ମୁଖ୍ୟ ଅଛନ୍ତି ସୁବୋଧ କୁମାର ଜୈଶୱାଲ । ଚଳିତ ବର୍ଷ ମେ ମାସରେ ଜୈଶୱାଲଙ୍କ ନିଯୁକ୍ତି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.