Below header

ପେପର ଓ କାଳି ପାଇଁ ପଇସା ନାହିଁ, ଲକ୍ଷ ଲକ୍ଷ ପିଲାଙ୍କ ପରୀକ୍ଷା ରଦ୍ଦ କଲା ଶ୍ରୀଲଙ୍କା

ଆର୍ଥିକ ସଙ୍କଟର ସାମ୍ନା କରୁଛି ଶ୍ରୀଲଙ୍କା। ତେଣୁ ଲକ୍ଷ ଲକ୍ଷ ସ୍କୁଲ ପିଲାଙ୍କ ପରୀକ୍ଷାକୁ ରଦ୍ଦ କରିଦେଇଛି। ଦେଶରେ ପ୍ରିଣ୍ଟିଂ ପେପରର ଅଭାବ ରହିଛି। ତେଣୁ ସରକାରଙ୍କ ଆଗାମୀ ଆଦେଶ ପର୍ଯ୍ୟନ୍ତ ପରୀକ୍ଷା ରଦ୍ଦ କରିଦିଆଯାଇଛି।

ଖବର ମୁତାବକ, ଶ୍ରୀଲଙ୍କାରେ ନବମ, ଦଶମ ଏବଂ ଏକାଦଶ ପରୀକ୍ଷାଙ୍କୁ ଅନିଶ୍ଚିତକାଳ ପାଇଁ ରଦ୍ଦ କରିଦିଆଯାଇଛି। ତେବେ ପରୀକ୍ଷା କେବେ ହେବ ତାହା ଉପରେ ନିଷ୍ପତ୍ତି ନିଆଯାଇନାହିଁ। ପ୍ରିଣ୍ଟର୍ସ ପାଖରେ ଆବଶ୍ୟକ କାଗଜ ଏବଂ କାଳି ନଥିବାରୁ ପରୀକ୍ଷା ପ୍ରଶ୍ନପତ୍ର ଛପାଯାଇପାରୁନାହିଁ।

ଶ୍ରୀଲଙ୍କାରେ ବର୍ତ୍ତମାନ ବିଦେଶୀ ମୁଦ୍ରା ଭଣ୍ଡାର କମ୍‌ ହେବା କାରଣରୁ ଗମ୍ଭୀର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ସରକାର ଆବଶ୍ୟକ ଅନୁଯାୟୀ ପ୍ରିଣ୍ଟର୍ସଙ୍କୁ ବିଲ୍‌ ଦେବାକୁ ମଧ୍ୟ ଅସମର୍ଥ। ଦେଶରେ ସବୁ ଜିନିଷ ମହଙ୍ଗା ରହିଛି। ଲୋକେ ପେଟ ପୋଷିବା ମୁସ୍କିଲ ହୋଇପଡିଛି। ରିପୋର୍ଟ ଅନୁଯାୟୀ, ଶ୍ରୀଲଙ୍କାରେ ୪.୫ ମିଲିୟନ ସ୍କୁଲ ଛାତ୍ର ଅଛନ୍ତି।

୧୯୪୮ ମସିହାରେ ସ୍ୱାଧୀନତା ପରଠାରୁ ଶ୍ରୀଲଙ୍କା ଏହାର ସବୁଠାରୁ ଖରାପ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ପଶ୍ଚିମ ପ୍ରଦେଶର ଶିକ୍ଷା ବିଭାଗ କହିଛି ଯେ ଦେଶରେ ବୈଦେଶିକ ମୁଦ୍ରା ଅଭାବରୁ କାଗଜ ଏବଂ ଇଙ୍କ ବାହାରୁ ଆମଦାନୀ ହୋଇପାରିବ ନାହିଁ, ଯେଉଁଥିପାଇଁ କୌଣସି ବିଦ୍ୟାଳୟ ପକ୍ଷରୁ ପରୀକ୍ଷା ପାଇଁ ବ୍ୟବସ୍ଥା ହୋଇପାରିବ ନାହିଁ।

ଶ୍ରୀଲଙ୍କାର ଆର୍ଥିକ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଭାରତ ଏହାକୁ ସହଜ ସର୍ତ୍ତରେ ଏକ ବିଲିୟନ ଡଲାରର ଆର୍ଥିକ ସହାୟତା ଦେଇଛି। ଏହି ଆର୍ଥିକ ସହାୟତା ସହ ଜଡିତ ଚୁକ୍ତିନାମା ଶ୍ରୀଲଙ୍କାର ଅର୍ଥମନ୍ତ୍ରୀ ବେସିଲ ରାଜପାକାଙ୍କ ନିକଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ନୂଆଦିଲ୍ଲୀ ଗସ୍ତରେ ସ୍ୱାକ୍ଷରିତ ହୋଇଛି। ଏକ ବିଲିୟନ ଡଲାରର ଏହି ସହାୟତା ଖାଦ୍ୟ ଶସ୍ୟ, ମେଡିସିନ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଆମଦାନୀ ପାଇଁ ଶ୍ରୀଲଙ୍କା ସରକାର ବ୍ୟବହାର କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.