ୟୁକ୍ରେନରେ ଫସିଥିବା ଜୀବଜନ୍ତୁଙ୍କ ପାଇଁ ଦେବଦୂତ ସାଜିଲେ ଯୁବକ; ୧୫ ଦିନରେ ଉଦ୍ଧାର କଲେ ୨୦୦ ବିଲେଇ ଓ ୬୦ କୁକୁର

ୟୁକ୍ରେନ-ରୁଷ ଯୁଦ୍ଧ ଭିତରେ ବହୁତ ଲୋକଙ୍କୁ ଦେଶ ଛାଡ଼ି ଯିବାକୁ ପଡ଼ିଛି। ଅନେକ ଲୋକ ଏହି ଆକ୍ରମଣରେ ପ୍ରାଣ ହରାଇଛନ୍ତି। ଯୁଦ୍ଧର ଏପରି ଭୟାବହ ସ୍ଥିତିରେ ମଣିଷଙ୍କ ପରି ଜୀବଜନ୍ତୁମାନେ ମଧ୍ୟ ଯନ୍ତ୍ରଣା ଭୋଗୁଛନ୍ତି। ଏପରି କି, କିଛି ଲୋକ ନିଜ ପୋଷା ଜୀବଜନ୍ତୁଙ୍କୁ ଛାଡ଼ି ଚାଲି ଯାଇଛନ୍ତି। କିନ୍ତୁ ଏ ଭିତରେ ସେହି ଜୀବଜନ୍ତୁଙ୍କ ପାଇଁ ଦେବଦୂତ ସାଜିଥିଲେ ୩୨ ବର୍ଷୀୟ ଜଣେ ଯୁବକ, ଯିଏ ନିଜ ଦେଶରୁ ବର୍ଡର ପାସ୍‌ କରି ୟୁକ୍ରେନ ଆସିଥିଲେ ଏବଂ ଏଠାରୁ ଜୀବଜନ୍ତୁମାନଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ।

ପୋଲାଣ୍ଡରେ ରହୁଥିବା ଜାକୁବ କୋଟୋଭିକ୍ସ ନାମକ ଯୁବକ ଗତ ୧୫ ଦିନରେ ୨୦୦ ବିଲେଇ ଏବଂ ୬୦ କୁକୁରଙ୍କୁ ଉଦ୍ଧାର କରି ସୁରକ୍ଷିତ ଜାଗାରେ ପହଞ୍ଚାଇଛନ୍ତି। ସେ ଲଭିଭ୍‌ ସହରରେ ଫସିଥିବା ଜୀବଜନ୍ତୁଙ୍କ ପାଇଁ ଏହି ରେସ୍କ୍ୟୁ ଅପରେସନ ଚଲାଇଥିଲେ। ଉଦ୍ଧାର ହୋଇଥିବା ପୋଷା ଜୀବଜନ୍ତୁ ଏବେ ଧୀରେ ଧୀରେ ମାନସିକ ଏବଂ ଶାରୀରିକ ରୂପେ ସୁସ୍ଥ ହେଉଛନ୍ତି। ଜାକୁବ ୨ ମାସର ଏକ ଛେଳି ଛୁଆର ଜୀବନ ମଧ୍ୟ ରକ୍ଷା କରିଛନ୍ତି, ଯାହାର ନାଁ ହେଉଛି ସାଶା। ବର୍ତ୍ତମାନ ସେ ତାକୁ ଘରେ ପାଳିବାକୁ ଯୋଜନା ବି କରୁଛନ୍ତି।

ଜାକୁବଙ୍କ ମୁତାବକ, ସେ ଜୀବଜନ୍ତୁମାନଙ୍କୁ ସେଠାରୁ ଉଦ୍ଧାର କରିବା ପାଇଁ ୧୨ ଲକ୍ଷ ଟଙ୍କାରେ ଦୁଇଟି କାର୍‌ କିଣିଥିଲେ। ଜାକୁବ କୋଟୋଭିକ୍ସ ଏଡିଏ ଫାଉଣ୍ଡେସନରେ ପଶୁ ଚିକିତ୍ସକ ରୂପେ କାର୍ଯ୍ୟରତ। ପାଖାପାଖି ୧୫ ବର୍ଷ ଧରି ଚଲାଇ ଆସୁଥିବା ଏହି ସଂସ୍ଥା ସହିତ ତାଙ୍କର ଏକ ଘରୋଇ ପଶୁ ଚିକିତ୍ସାଳୟ ମଧ୍ୟ ଅଛି, ଯେଉଁଠି ଲୋକଙ୍କୁ ମାଗଣାରେ ସୁବିଧା ଉପଲବ୍ଧ କରାଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.