Below header

ପୀଡ଼ିତାଙ୍କ ଇଣ୍ଟରଭ୍ୟୁ ଓ ଫଟୋ ଉପରେ ରୋକ ଲଗାଇଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ : ଗଣମାଧ୍ୟମ ଦେଖାଇ ପାରିବେ ନାହିଁ ଦୁଷ୍କର୍ମ ପୀଡ଼ିତା ନାବାଳିକାଙ୍କ ଫଟୋ କିମ୍ବା ଭିଡିଓ । ଏପରିକି ଅସ୍ପଷ୍ଟ କିମ୍ବା ଆନିମେସନ୍‌ ଫଟୋ ବି ପ୍ରସାରଣ କରିପାରିବେ ନାହିଁ । ସୁପ୍ରିମକୋର୍ଟ ଏହି ପ୍ରତିବନ୍ଧକ ଲଗାଇଛନ୍ତି । କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି, କୌଣସି ବୈଦ୍ୟୁତିକ ଗଣମାଧ୍ୟମ, ପୀଡ଼ିତଙ୍କ ସାକ୍ଷାତକାର ବି ପ୍ରସାରଣ କରିପାରିବେ ନାହିଁ । ସେହିପରି ପ୍ରିଣ୍ଟ ମିଡିଆରେ ନାବାଳିକା ପୀଡ଼ିତାଙ୍କ ଫଟୋ ଦେଖାଯାଉଥିବା ନେଇ ସୁପ୍ରିମ୍‌କୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ବିହାର ମୁଜାଫରନଗରରେ ଏକ ସେଲଟର୍‌ ହୋମ୍‌ରେ ନାବାଳିକାଙ୍କୁ ଯୌନ ନିର୍ୟାତନା ଦିଆଯାଉଥିବା ମାମଲାକୁ ଗମ୍ଭୀରତାର ସହ ନେଇଛନ୍ତି କୋର୍ଟ । ମାମଲାରେ ଉଭୟ କେନ୍ଦ୍ର ଓ ବିହାର ସରକାରଙ୍କୁ ରିପୋର୍ଟ ମଗାଯାଇଛି ।

ମଙ୍ଗଳବାର ସୁଦ୍ଧା ରିପୋର୍ଟ ଦାଖଲ ପାଇଁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ମଦନ ବି. ଲୋକୁର ଓ ଜଷ୍ଟିସ ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ବିହାର ମୁଜାଫରପୁର ବାଳିକା ଗୃହରେ ୩୪ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ନିଜଆଡୁ ହସ୍ତକ୍ଷେପ କରିଛନ୍ତି ସୁପ୍ରିମ୍‌ କୋର୍ଟ । ସେମାନଙ୍କ ସହିତ ହୋଇଥିବା ବର୍ବତାର କାହାଣୀ ବାରମ୍ବାର ଗଣମାଧ୍ୟମରେ ଆସୁଥିବାରୁ ସୁପ୍ରିମ କୋର୍ଟ ଉଦବେଗ ପ୍ରକାଶ କରିଛନ୍ତି । ଏବେ ପିଲାମାନଙ୍କର ବୟାନ୍‌ ପୋକସୋ କୋର୍ଟରେ ରେକର୍ଡ଼ କରାଯାଇଛି । ସେମାନଙ୍କୁ କିଭଳି ଯୌନ ନିର୍ୟାତନା ଦିଆଯାଉଥିଲା ସେ ସମ୍ପର୍କରେ ସେମାନେ କହିଛନ୍ତି ।

ତେଣୁ ସୁପ୍ରିମ କୋର୍ଟ ଗଣମାଧ୍ୟମ ଉପରେ କଟକଣା ଜାରି କରିଛନ୍ତି । ଏହା ସହିତ ଶିଶୁ ଅଧିକାର ସଂରକ୍ଷଣ କମିଶନ୍‌, ବିହାର ଏବଂ କେନ୍ଦ୍ର ସରକାର, ଟାଟା ଇନଷ୍ଟିଚ୍ୟୁଟ୍‌ ଅପ୍‌ ସୋସିଆଲ ସାଇନ୍ସକୁ ନୋଟିସ୍‌ ଜାରି କରି ଘଟଣା ସମ୍ପର୍କରେ ବିସ୍ତତ ରିପୋର୍ଟ ମାଗିଛନ୍ତି । ଏପଟେ ଏହି ଘଟଣାକୁ ନେଇ ବିଭିନ୍ନ ସଂଗଠନ ପକ୍ଷରୁ ଆଜି ବିହାର ବନ୍ଦ ଡାକରା ଦିଆଯାଇଛି । ଅନ୍ୟପଟେ ବାଳିକାଗ୍ୟହରେ ପୋଲିସ୍‌ର ଚଢ଼ାଉ ଜାରି ରହିଛି । ସେଠାରୁ ପୋଲିସ୍‌କୁ ଡ୍ରଗ୍ସ, କଣ୍ଡମ ଏବଂ ରେଜିଷ୍ଟର ଆଦି ଜବତ କରିଛି । ଏହି ସୁଧାର ଗୃହରୁ ୧୧ ଜଣ ବାଳିକା ନିଖୋଜ ଥିବା ମଧ୍ୟ ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.