ଆଣ୍ଟିଲିଆ ବୋମା ମାମଲାରେ ଏନ୍କାଉଣ୍ଟର ସ୍ପେଶାଲିଷ୍ଟ୍ ପ୍ରଦୀପ ଶର୍ମାଙ୍କୁ ବଡ଼ ଆଶ୍ୱସ୍ତି, ସୁପ୍ରିମ୍କୋର୍ଟ ଦେଲେ ଜାମିନ୍
ଆଣ୍ଟିଲିଆ ବୋମା ମାମଲାରେ ଅଭିଯୁକ୍ତ ପ୍ରଦୀପ ଶର୍ମାଙ୍କୁ ବଡ଼ ଆଶ୍ୱସ୍ତି। ମୁମ୍ବାଇ ପୋଲିସର ପୂର୍ବତନ ଅଧିକାରୀ ତଥା ଏନ୍କାଉଣ୍ଟର ସ୍ପେଶାଲିଷ୍ଟ୍ ପ୍ରଦୀପ ଶର୍ମାଙ୍କୁ ସୁପ୍ରିମ୍କୋର୍ଟ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛନ୍ତି।

ଆଣ୍ଟିଲିଆ ବୋମା ମାମଲାରେ ଅଭିଯୁକ୍ତ ପ୍ରଦୀପ ଶର୍ମାଙ୍କୁ ବଡ଼ ଆଶ୍ୱସ୍ତି। ମୁମ୍ବାଇ ପୋଲିସର ପୂର୍ବତନ ଅଧିକାରୀ ତଥା ଏନ୍କାଉଣ୍ଟର ସ୍ପେଶାଲିଷ୍ଟ୍ ପ୍ରଦୀପ ଶର୍ମାଙ୍କୁ ସୁପ୍ରିମ୍କୋର୍ଟ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ବୁଧବାର ଏହି ମାମଲାର ଶୁଣାଣି ସମୟରେ ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କୁ ଜାମିନ୍ ଦେଇଛନ୍ତି। ଜଷ୍ଟିସ୍ ଏ.ଏସ୍ ବୋପନ୍ନା ଓ ଜଷ୍ଟିସ୍ ପିଏସ୍ ନରସିହ୍ମାଙ୍କ ବେଞ୍ଚ ଶର୍ମାଙ୍କ ଜାମିନ୍ ଉପରେ ନିଷ୍ପତ୍ତି ଶୁଣାଇଛନ୍ତି।
ଏହା ପୂର୍ବରୁ ଜୁନ୍ ୫ରେ ସୁପ୍ରିମ୍କୋର୍ଟ ପ୍ରଦୀପ ଶର୍ମାଙ୍କୁ ୩ ସପ୍ତାହର ଅନ୍ତରୀଣ ଜାମିନ୍ ପ୍ରଦାନ କରିଥିଲେ। ଅସୁସ୍ଥ ପତ୍ନୀଙ୍କୁ ଭେଟିବା ପାଇଁ କୋର୍ଟ ତାଙ୍କୁ ଜାମିନ୍ ଦେଇଥିଲେ। କିନ୍ତୁ NIA କୋର୍ଟ ଏବଂ ବମ୍ବେ ହାଇକୋର୍ଟ ତାଙ୍କ ଜାମିନ୍ ଆବେଦନକୁ ଖାରଜ କରି ଦେଇଥିଲେ। ୨୦୨୩ ଜାନୁୟାରୀ ୨୩ରେ ବମ୍ବେ ହାଇକୋର୍ଟ ଶର୍ମାଙ୍କ ଜାମିନ୍ ଖାରଜ କରିଥିଲେ।
ସୂଚନାଥାଉ କି, ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଆଣ୍ଟିଲିଆକୁ ବୋମାରେ ଉଡ଼ାଇଦେବାର ଧମକ ଏବଂ ବ୍ୟବସାୟୀ ମନସୁଖ ହିରେନ୍ଙ୍କ ହତ୍ୟା ମାମଲାରେ ପୂର୍ବତନ ପୋଲିସ ଅଧିକାରୀ ପ୍ରଦୀପ ଶର୍ମା ଗିରଫ ହୋଇଥିଲେ। ମାମଲାର ତଦନ୍ତ କରୁଥିବା NIA ଅଭିଯୋଗ ଆଣିଥିଲା କି, ଶର୍ମା ହିରେନ୍ଙ୍କୁ ହତ୍ୟା କରିବାରେ ନିଜ ସହଯୋଗୀ ସଚିନ ବଜେଙ୍କୁ ସାହାଯ୍ୟ କରିଥିଲେ।
୨୦୨୧ ଫେବୃୟାରୀ ୨୫ରେ ଦକ୍ଷିଣ ମୁମ୍ବାଇସ୍ଥିତ ଆଣ୍ଟିଲିଆ ପାଖରେ ବିସ୍ଫୋରକ ଭର୍ତ୍ତି ଏସ୍ୟୁଭି ଗାଡ଼ି ଜବତ ହୋଇଥିଲା। ଏହି ଗାଡ଼ି ଠାଣେର ବ୍ୟବସାୟୀ ମନସୁଖ ହିରେନ୍ଙ୍କର ଥିଲା।