Below header

କିଲି ପଲ୍‌ଙ୍କୁ ମରଣାନ୍ତକ ଆକ୍ରମଣ କଲେ ୫ ଦୁର୍ବୃତ୍ତ; ନିଜ ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ ବଖାଣିଲେ ସେଦିନର ଛାତିଥରା ଘଟଣା…

ତାଞ୍ଜାନିଆର ସୋସିଆଲ ମିଡିଆ ଷ୍ଟାର କିଲି ପଲ୍‌ଙ୍କୁ ଦୁର୍ବୃତ୍ତ ଛୁରୀରେ ମରଣାନ୍ତକ ଆକ୍ରମଣ କରିଛନ୍ତି। ଏଥିସହ ତାଙ୍କୁ ବାଡ଼ିରେ ନିର୍ଧୁମ ପିଟିବା ଖବର ମଧ୍ୟ ସାମ୍ନାକୁ ଆସିଛି। ତେବେ କିଲି କୌଣସିମତେ ଦୁର୍ବୃତ୍ତଙ୍କ କବଳରୁ ଖସି ପଳାଇ ଆସିବାରେ ସକ୍ଷମ ହୋଇଛନ୍ତି। ଏହି ଘଟଣା ବିଷୟରେ ସେ ନିଜ ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ ଜଣାଇଛନ୍ତି। ଏଥିରେ ସେ ନିଜର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ କିଲି ଆହତ ଅବସ୍ଥାରେ ଶୋଇଥିବାର ନଜର ଆସୁଛନ୍ତି।

କିଲି ଇନ୍‌ଷ୍ଟା ଷ୍ଟୋରୀରେ ଲେଖିଛନ୍ତି କି, ‘ମୋ ଉପରେ ୫ ଜଣ ଲୋକ ଆକ୍ରମଣ କରିଥିଲେ। ମୋ ଡାହାଣ ହାତର ଆଙ୍ଗୁଠି ଛୁରୀରେ କଟି ଯାଇଥିଲା ଏବଂ ୫ଟି ଷ୍ଟିଚ୍‌ ପଡ଼ିଛି। ଏହାଛଡ଼ା ମୋତେ ବାଡ଼ିରେ ପିଟାଯାଇଥିଲା। ଯଦିଓ ଭଗବାନଙ୍କ ଦୟାରୁ ମୁଁ ଦୁଇଜଣଙ୍କୁ ପିଟି ନିଜକୁ ରକ୍ଷା କରିପାରିଥିଲି ଏବଂ ସେଠାରୁ ବର୍ତ୍ତି ଆସିଥିଲି। ମୋ ପାଇଁ ପ୍ରାର୍ଥନା କରନ୍ତୁ’। କହି ରଖୁଛୁ, କିଲି ପଲ୍‌ ୨୯ ଏପ୍ରିଲରେ ନିଜ ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ ଏହି ଘଟଣା ବିଷୟରେ ଫ୍ୟାନମାନଙ୍କୁ ଜଣାଇଛନ୍ତି।

kili
photo: Zee News Hindi

କହି ରଖୁଛୁ, କିଛିଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ୍‌ କୀ ବାତ୍‌’ କାର୍ଯ୍ୟକ୍ରମରେ ତାଞ୍ଜାନିଆର ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ଭାଇ-ଭଉଣୀଙ୍କୁ ଖୁବ୍‌ ପ୍ରଶଂସା କରିଥିଲେ। ପିଏମ୍‌ କିଲି ପଲ୍‌ ଓ ତାଙ୍କ ଭଉଣୀ ନୀମା ପଲ୍‌ଙ୍କ ଲିପ୍‌ ସିଙ୍କିଙ୍ଗ୍‌ ଆର୍ଟକୁ ପସନ୍ଦ କରିଥିଲେ। ମୋଦି କହିଥିଲେ ଯେ ଦୁଇଜଣଙ୍କ ଭିତରେ ଭାରତୀୟ ସଙ୍ଗୀତକୁ ନେଇ ଏକ ଜୋଶ୍‌ ଓ ପାଗଳପଣ ଭରି ରହିଛି। ଏହି କାରଣରୁ ସେମାନେ ଲୋକପ୍ରିୟ ହୋଇପାରିଛନ୍ତି। ପିଏମ୍‌ଙ୍କର ଏହି ପ୍ରଶଂସା ପରେ ଦୁଇଜଣଙ୍କର ଲୋକପ୍ରିୟତା ଆହୁରି ବଢ଼ିଯାଇଥିଲା।

ସୂଚନାଥାଉ କି, କିଲି ପଲ୍‌ଙ୍କ ଇନ୍‌ଷ୍ଟାଗ୍ରାମରେ ବର୍ତ୍ତମାନ ୩୬ ଲକ୍ଷରୁ ଅଧିକ ଫଲୋଅର ଅଛନ୍ତି। କିଲି ପଲ୍‌ ଓ ତାଙ୍କ ଭଉଣୀ ବଲିଉଡ୍‌ ଗୀତ ଏବଂ ଡାଏଲଗ୍‌ଗୁଡ଼ିକର ଲିପ୍‌ ସିଙ୍କିଙ୍ଗ୍‌ କରି ଭାରତରେ ବେଶ୍‌ ଲୋକପ୍ରିୟତା ଅର୍ଜନ କରିଛନ୍ତି। ଏତିକି ନୁହେଁ, ଅଭିନେତା ଆୟୁଷ୍ମାନ୍ ଖୁରାନା, ଗୁଲ ପନାଗ ଓ ରିଚା ଚଡ୍ଡାଙ୍କ ସମେତ ଅନେକ ଲୋକପ୍ରିୟ ଭାରତୀୟ ଫିଲ୍ମ ଷ୍ଟାର ତାଙ୍କୁ ସୋସିଆଲ ମିଡିଆରେ ଫଲୋ କରୁଛନ୍ତି। କିଲି ପଲ୍‌ଙ୍କୁ ଯେତେବେଳେ ଏକ ଇଣ୍ଟରଭ୍ୟୁରେ ପଚରାଯାଇଥିଲା କି, ବଲିଉଡ୍‌ ଗୀତ ଉପରେ ଏତେ ସୁନ୍ଦର ଭାବେ ଆପଣ କିପରି ଲିପ୍‌ ସିଙ୍କିଙ୍ଗ୍‌ କରିପାରୁୁଛନ୍ତି, ତ କିଲି କହିଥିଲେ କି, ଯଦି ଆପଣ କୌଣସି ଜିନିଷକୁ ଭଲ ପାଉଛନ୍ତି, ତ ରାସ୍ତା ଖୋଲି ଯାଇଥାଏ। ଫିଲ୍ମ ଶେରଶାହର ଗୀତ ‘ରାତା ଲମ୍ବିୟା’ରେ ଲିପ୍ ସିଙ୍କିଙ୍ଗ୍‌ କରି ସେ ଗତ ବର୍ଷ ଚର୍ଚ୍ଚାକୁ ଆସିଥିଲେ। ଏହି ଭିଡିଓରେ କିଲି ଭଉଣୀ ନୀମା ପଲ୍‌ଙ୍କ ସହ ନଜର ଆସିଥିଲେ। ତା’ ପରଠାରୁ କିଲି ଚର୍ଚ୍ଚାରେ ରହି ଆସିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.