ଆଣ୍ଟିଲିଆ ଆଗରୁ ଜବତ ହୋଇଥିବା ସ୍କର୍ପିଓ ମାଲିକଙ୍କ ମିଳିଲା ମୃତଦେହ, ମୁହଁରେ ବନ୍ଧାହୋଇଥିଲା ୫ଟି ରୁମାଲ୍
ଦେଶର ସବୁଠୁ ଧନୀ ବ୍ଯକ୍ତିଙ୍କ ଘରେ ବାହାରେ ସନ୍ଦିଗ୍ଧ ସ୍କର୍ପିଓ ଗାଡିରେ ବିସ୍ଫୋରକ ମିଳିବା ପରେ ସାରା ଦେଶରେ ଚାଞ୍ଚଲ୍ଯ ଖେଳିଯାଇଥିଲା। ମୁକେଶ ଅମ୍ବାନୀଙ୍କ ମୁମ୍ବାଇସ୍ଥିତ ବାସଭବନ ଆଣ୍ଟିଲିଆ ଆଗରୁ ଜବତ ହୋଇଥିବା ଜିଲେଟିନ ବୋଝେଇ ସ୍କର୍ପିଓର ମାଲିକଙ୍କ ମୃତଦେହ ଶୁକ୍ରବାର କଲୱା ସମୁଦ୍ରରୁ ଉଦ୍ଧାର କରାଯାଇଛି। ପୋଲିସର ପ୍ରାଥମିକ ଯାଞ୍ଚରୁ ସମ୍ପୃକ୍ତ ବ୍ୟକ୍ତି ଆତ୍ମହତ୍ୟା କରିଥିବାର ଅନୁମାନ କରୁଛି। ମୃତଦେହ ଉଦ୍ଧାର ସମୟରେ ତାଙ୍କ ମୁହଁରେ ୫ଟି ରୁମାଲ ବନ୍ଧା ଯାଇଥିଲା ବୋଲି ପୋଲିସ କହିଛି।
ଆଣ୍ଟିଲିଆ ଆଗରେ ସନ୍ଦିଗ୍ଧ ଛିଡା ହୋଇଥିବା ସ୍କର୍ପିଓକୁ ବିକରୋଲୀ ଅଞ୍ଚଳରୁ ଚୋରା ଯାଇଥିବା ଜଣାପଡିଥିଲା। ଏହି ଗାଡିଟି ମନସୁଖ ହିରେନଙ୍କର ବୋଲି ଥାନେ ଡିସିପି ଜଣାଇଥିଲେ। ତେବେ ମାମଲାର ତଦନ୍ତ ଆଗକୁ ବଢିବା ପୂର୍ବରୁ ମନସୁଖ ଆତ୍ମହତ୍ୟା କରିବା ଏବେ ତଦନ୍ତକୁ ନୂଆ ମୋଡ ଦେଇଛି। ତେବେ ଗାଡିରୁ ଜବତ ହୋଇଥିବା ଜିଲୋଟିନ୍ ସୈନ୍ୟ ଗ୍ରେଡର ନଥିଲା ବୋଲି ତଦନ୍ତରୁ ସ୍ପଷ୍ଟ ହୋଇସାରିଛି। କେବଳ ବିସ୍ଫୋରକ ନୁହେଁ ବରଂ ସେଥିରେ ଏକ ଧମକପୂର୍ଣ୍ଣ ଚିଠି ମଧ୍ୟ ମିଳିଥିଲା। ଯେଉଁଥିରେ ଅମ୍ବାନୀ ପରିବାରକୁ ହତ୍ଯା କରାଯିବ ବୋଲି ଧମକ ମଧ୍ୟ ରହିଥିଲା। ସେବେଠାରୁ ଅମ୍ବାନୀଙ୍କ ଘରର ସୁରକ୍ଷା କଡାକଡି କରାଯାଇଛି।
ସୂଚନାଯୋଗ୍ଯ, ଗତ ଫେବୃଆରୀ ୨୫ ତାରିଖ ଦିନ ମୁକେଶ ଅମ୍ବାନୀଙ୍କ ଘର ଆଗରେ ଏକ ସ୍କର୍ପିଓ ଗାଡି ସନ୍ଦିଗ୍ଧ ଅବସ୍ଥାରେ ଛିଡା ହୋଇଥିଲା। ପୋଲିସ ଖବର ପାଇଁ ତଦନ୍ତ କରିବା ପରେ ଏହା ହିରେନ୍ଙ୍କର ଥିଲା। ତାଙ୍କ ଗାଡି ଚୋରି ନେଇ ପୋଲିସରେ ଏତଲା ମଧ୍ୟ ଦେଇଥିବାର ଜଣାପଡିଥିଲା। ତେବେ ହିରେନ ସମୁଦ୍ରକୁ ଡେଇଁ ଆତ୍ମହତ୍ୟା କରିଛନ୍ତି କି କେହି ତାଙ୍କୁ ହତ୍ୟା କରିଛି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି କୁହାଯାଇଛି।