କେନ୍ଦ୍ର ସରକାରଙ୍କ ଠାରୁ ବାରମ୍ବାର ତାଗିଦ ପାଇବା ପରେ ଶେଷରେ ମାଇକ୍ରୋବ୍ଲଗିଂଗ ସାଇଟ ଟ୍ୱିଟର ୯୭ ପ୍ରତିଶତ ଆକାଉଣ୍ଟକୁ ବ୍ଲକ କରିଦେଇଛି । କେନ୍ଦ୍ର ସୂଚନା ଓ ପ୍ରୌଦୋଗିକ ମନ୍ତ୍ରାଳୟ ଉତ୍ତେଜନା ସୃଷ୍ଟି କରୁଥିବା ଆକାଉଣ୍ଟ ଗୁଡିକୁ ବ୍ଲକ କରିବା ନେଇ ଦାବି କରି ଆସୁଥିଲେ । ଏହି ସାଇଟ ଗୁଡିକ “ଚାଷୀ ଆନ୍ଦୋଳନ”କୁ ନେଇ ବିବାଦୀୟ ତଥ୍ୟମାନ ପୋଷ୍ଟ କରୁଥିଲେ । ମିଳିଥିବା ସୂଚନା ମୁତାବକ, କେନ୍ଦ୍ର ସରକାର ଦୁଇ ଥରରେ ୧୪୩୫ଟି ଏପରି ଆକାଉଣ୍ଟକୁ ଚିହ୍ନଟ କରିଥିଲେ । ଯେଉଁଥିରୁ କମ୍ପାନୀ ୧୩୯୮ ଖାତାକୁ କରିଛନ୍ତି ।
ଏହାକୁ ନେଇ ବୁଧବାର ଅପରାହ୍ନରେ ସୂଚନା ଓ ପ୍ରାଦ୍ୟୌଗିକ ମନ୍ତ୍ରାଳୟ ସଚିବ ଅଜୟ ପ୍ରକାଶ ସାହାନି ଓ ଟ୍ୱିଟର ପବ୍ଲିକ ପଲିସୀ ଉପାଧ୍ୟକ୍ଷ ମୋନୀକ ମେଚେଙ୍କ ଭିତରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକ ପରେ ହିଁ ଆମେରିକା ସୋସିଆଲ ମିଡ଼ିଆ କମ୍ପାନୀ ଏପରି ଉପଯୋଗକର୍ତ୍ତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଥିଲେ । ଟ୍ୱିଟର ପକ୍ଷରୁ ଆକାଉଣ୍ଟ ଗୁଡିକର ଏକ ତାଲିକା ପ୍ରସ୍ତୁତ କରାଯାଇ ମନ୍ତ୍ରାଳୟ ନିକଟରେ ଦାଖଲ କରାଯାଇଥିଲା । ଆଉ ଖୁବଶୀଘ୍ର ବାକି ଆକାଉଣ୍ଟ ଗୁଡିକୁ ବି ବ୍ଲକ କରାଯିବା ନେଇ ସୂଚନା ଜାରି ହୋଇଛି ।
ପାକିସ୍ତାନ ଓ ଖଲିସ୍ତାନ ସହ ସମ୍ପର୍କ ଥିବା ନେଇ ଆଶଙ୍କା କରି କେନ୍ଦ୍ରସରକାର ୧୧୭୮ଟି ଆକାଉଣ୍ଟକୁ ବ୍ଲକ କରିଛନ୍ତି । ୨୫୭ଟି ବିବାଦୀୟ ହାସଟ୍ୟାଗ ବ୍ୟବହାର କରୁଥିବା ଟ୍ୱିଟର ଆକାଉଣ୍ଟ ଗୁଡିକ ମଧ୍ୟରୁ ୨୨୦ଟିକୁ ବ୍ଲକ କରିଦିଆ ସରିଲାଣି । ସୂଚନାରୁ ଜଣାଯାଇଛିକି ଏମଧ୍ୟରୁ କେତୋଟି ଆକାଉଣ୍ଟ ଡୁପ୍ଲିକେଟ ଥିଲା । ଟ୍ୱିଟର ପକ୍ଷରୁ ନିଆଯାଇଥିବା ଏହି ପଦକ୍ଷେପ ଗୁଡିକୁ ଦେଶର ନାମୀଦାମୀ ନେତା ମାନେ ପ୍ରସଂଶା କରିଛନ୍ତି ।