ଆତ୍ମବିଶ୍ୱାସକୁ ସଲାମ୍! ସନ୍ତାନ ଜନ୍ମ ଦେବାର ୩ ଘଣ୍ଟା ପରେ ଆମ୍ବୁଲାନ୍ସରେ ମାଟ୍ରିକ୍ ପରୀକ୍ଷା ଦେବାକୁ ପହଞ୍ଚିଲେ ମହିଳା
ବିହାର ବୋର୍ଡରୁ ମାଟ୍ରିକ୍ ପରୀକ୍ଷା ଦେଉଥିବା ରୁକ୍ମିଣୀ ବିଜ୍ଞାନ ପରୀକ୍ଷା ଦିନ ସକାଳେ ସନ୍ତାନ ଜନ୍ମ ଦେଇଥିଲେ ଏବଂ ଏହାର ୩ ଘଣ୍ଟା ପରେ ପରୀକ୍ଷା ଦେବାକୁ ଆମ୍ବୁଲାନ୍ସରେ ପହଞ୍ଚିଥିଲେ।
ପ୍ରସବ ପରର ଯନ୍ତ୍ରଣା ବି ତାଙ୍କ ଆତ୍ମବିଶ୍ୱାସ ଓ ଦୃଢ଼ ମନୋବଳକୁ ଅଟକାଇ ପାରି ନ ଥିଲା। ହସ୍ପିଟାଲରେ କିଛି ଘଣ୍ଟା ପୂର୍ବେ ସନ୍ତାନ ଜନ୍ମ ଦେବା ପରେ ଆମ୍ବୁଲାନ୍ସରେ ହିଁ ୧୦ମ ବୋର୍ଡ ପରୀକ୍ଷା ଦେବାକୁ ପହଞ୍ଚିଥିଲେ ରୁକ୍ମିଣୀ। ବିହାରର ବାଙ୍କା ଜିଲ୍ଲାରୁ ସାମ୍ନାକୁ ଆସିଛି ଏଭଳି ଏକ ଘଟଣା। ଏଠାରେ ରୁକ୍ମିଣୀ ନାମ୍ନୀ ମହିଳା ହସ୍ପିଟାଲରେ ସନ୍ତାନ ଜନ୍ମ ଦେବାର କିଛି ଘଣ୍ଟା ପରେ ଦଶମ ବୋର୍ଡ ପରୀକ୍ଷା ଦେବାକୁ ଆମ୍ବୁଲାନ୍ସରେ ପରୀକ୍ଷା କେନ୍ଦ୍ର ପହଞ୍ଚିଥିଲେ।
ବାଙ୍କା ଜିଲ୍ଲାର ସରକାରୀ ସ୍କୁଲରେ ପଢ଼ୁଥିବା ରୁକ୍ମିଣୀ କୁମାରୀ ଗତ ବୁଧବାର ସହରରେ ଚର୍ଚ୍ଚାର ବିଷୟ ପାଲଟିଥିଲେ। ସକାଳେ ସେ ହସ୍ପିଟାଲରେ ସନ୍ତାନ ଜନ୍ମ କରିଥିଲେ ଏବଂ ଏହାର ୩ ଘଣ୍ଟା ପରେ ବିଜ୍ଞାନ ବିଷୟରେ ପରୀକ୍ଷା ଦେବାକୁ ପରୀକ୍ଷା କେନ୍ଦ୍ର ପହଞ୍ଚିଥିଲେ। ରୁକ୍ମିଣୀ ଡାକ୍ତର ଓ ପରିବାର ସଦସ୍ୟଙ୍କ ପରାମର୍ଶକୁ ବି ଗ୍ରହଣ କରି ନ ଥିଲେ ଏବଂ ଏକ ଆମ୍ବୁଲାନ୍ସରେ ବସି ପରୀକ୍ଷା ଦେବାକୁ ପହଞ୍ଚିଥିଲେ।
ରୁକ୍ମିଣୀଙ୍କ ପାଇଁ ହସ୍ପିଟାଲ ପକ୍ଷରୁ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଥିଲା। ଏହାସହିତ କିଛି ପାରାମେଡିକାଲ୍ କର୍ମୀଙ୍କୁ ମଧ୍ୟ ମୁତୟନ କରାଯାଇଥିଲା। ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି କି, ମା’ ଓ ଶିଶୁ ଉଭୟେ ସୁସ୍ଥ ଅଛନ୍ତି। ରୁକ୍ମିଣୀ ଉତ୍ତମ ଶିକ୍ଷାଲାଭ କରିବାର ନିଜର ମହତ୍ତ୍ୱାକାଂକ୍ଷାକୁ ପୂରା କରିବାରେ ସକ୍ଷମ ହୋଇଛନ୍ତି। ସେପଟେ ପରୀକ୍ଷା ଦେବା ପରେ ରୁକ୍ମିଣୀ କହିଛନ୍ତି ଯେ ତାଙ୍କର ବିଜ୍ଞାନ ପେପର୍ ଭଲ ହୋଇଛି। ତାହା ତାଙ୍କର ପସନ୍ଦର ବିଷୟ। ସେ ଆଶା ରଖିଛନ୍ତି କି, ସେ ଏଥିରେ ଭଲ ନମ୍ବର ଆଣିବେ।
ଏ ଘଟଣା ସମ୍ପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି, ସରକାରଙ୍କ ପ୍ରୟାସରୁ ମହିଳମାନଙ୍କ ଶିକ୍ଷା ଉପରେ ପ୍ରୋତ୍ସାହନ ମିଳୁଛି। ଅନୁସୂଚିତ ଜାତିର ରୁକ୍ମିଣୀ ଏବେ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସବ ପାଲଟିଛନ୍ତି।