Below header

ଗଣ୍ଡ ଚାଷୀଙ୍କ ଉନ୍ନତମାନର କଦଳୀ ଚାଷ, ଯାହା ପାଲଟିଛି ରୋଜଗାରର ମାଧ୍ୟମ

ବାଲିଗୁଡା (କେନ୍ୟୁଜ) : ଏମିତିରେ ତ କନ୍ଧମାଳ ହଳଦୀ ବିଶ୍ୱ ପ୍ରସିଦ୍ଧ । ତେବେ ବର୍ତ୍ତମାନ ଏଠାକାର ଆଉ ଏକ ଜିନିଷର ଖ୍ୟାତି ବଢ଼ିବାକୁ ଯାଉଛି । ତାହା ହେଉଛି ଏଠାରେ ଚାଷ ହେଉଥିବା ଏକ ସ୍ୱତନ୍ତ୍ର ପ୍ରକାର କଦଳୀ । ଯାହା ଗଣ୍ଡ ଆଦିବାସୀ ସମ୍ପ୍ରଦାୟଙ୍କୁ ସ୍ୱାବଲମ୍ବୀ କରୁଛି । କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ମୁଣ୍ଡିଗଡ଼ ପଂଚାୟତରେ ଗଣ୍ଡ ସମ୍ପ୍ରଦାୟର ଲୋକ ଏହି କଦଳୀ ଚାଷ କରି ବେଶ୍‌ ଲାଭବାନ୍‌ ହେଉଛନ୍ତି । ଏବେ ଏହାର ଲୋକପ୍ରିୟତା ବଢ଼ିଛି । ଏମାନଙ୍କ ସଫଳତା ଦେଖି ଅନ୍ୟମାନେ ମଧ୍ୟ ଏହି କଦଳୀ ଚାଷ ଆରମ୍ଭ କରିଛନ୍ତି ।

bananaaକନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକର ମୁଣ୍ଡିଗଡ଼ ପଂଚାୟତରେ ବସବାସ କରନ୍ତି ଗଣ୍ଡ ଆଦିବାସୀ ସମ୍ପ୍ରଦାୟର ଲୋକେ । ଏମାନେ ମୁଖ୍ୟତଃ କୃଷି ଉପରେ ନିର୍ଭର କରି ଚଳନ୍ତି l ଏଥିସହ ଜଙ୍ଗଲ ଜାତ ଦ୍ରବ୍ୟ ମହୁଲ, ଶାଳ ମଞ୍ଜି ଆଦି ଜଙ୍ଗଲରୁ ସଂଗ୍ରହ କରି ତାକୁ ବିକିି ଦୁଇ ପଇସା ରୋଜଗାର କରିଥାନ୍ତି l କୃଷି କାଯ୍ୟର୍ଭାବେ ପ୍ରତିବର୍ଷ ଧାନ ସହିତ ସୋରିଷ, ବିରି, ମକା ଆଦି ଚାଷ କରିଥାନ୍ତି l ଏହିସବୁ ଚାଷରେ ବହୁତ କମ ଲାଭ ପାଉଥିଲେ l ବର୍ଷ ସାରା ଜମିରେ ଖଟି ମାତ୍ର ପାଞ୍ଚରୁ ସାତ ହଜାର ଟଙ୍କା ରୋଜଗାର କରୁଥିଲେ l କିନ୍ତୁ ଏବେ ଏମାନଙ୍କ ରୋଜଗାର ବଢ଼ିଛି । ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ମାଧ୍ୟମରେ ଉନ୍ନତ ମାନର କଦଳୀ ଚାଷ କରି ସଫଳତା ପାଇଛନ୍ତି ଗଣ୍ଡ ଚାଷୀମାନେ l ପ୍ରଥମେ ମୁଣ୍ଡିଗଡ଼ ଗାଁର ୫୮ଜଣ ଚାଷୀ ଏହି କଦଳୀ ଚାଷ ଆରମ୍ଭ କରିଥିଲେ l ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ବାଲିଗୁଡା ମାଧ୍ୟମରେ ଏହି ଚାଷୀଙ୍କୁ ‘ଜି-୯’ ଟିସୁ କଲଚର ପ୍ରଜାତିର ଅପଗ୍ରେଡେଡ଼ କଦଳୀ ଚାଷ କରିବାକୁ ପରାମର୍ଶ ଦିଆଯାଇଥିଲା l ତେବେ ଏହି ଚାଷୀମାନେ ସମସ୍ତ ପ୍ରକାର କୃଷି ପଦ୍ଧତିକୁ ଅବଲମ୍ବନ କରି ଚାଷ କରିଥିଲେ l ପ୍ରଥମେ ସାଢେ ୧୪ ଏକର ଚାଷ ଜମିରେ ମୋଟ ଅଠାବନ ଚାଷୀ ଏହି ଜି-୯ କଦଳୀ ଚାଷ ଆରମ୍ଭ କରିଥିଲେ l ଜଣେ ଚାଷୀଙ୍କ ପିଛା ୩ ଶହ ଚାରା ପ୍ରଦାନ କରାଯାଇଥିଲା । ୧ ଏକର ଜମିରେ ମୋଟ ୧୨୦୦ ଚାରା ରୋପଣ କରିଥିଲେ ଚାଷୀ l ଧାର୍ଯ୍ୟ ହୋଇଥିବା ୧୪.୫ ଏକର ଜମିରେ ୧୭ ହଜାର ୪୦୦ଟି କଦଳୀ ଚାରା ଲଗାଇଥିଲେ ୫୮ ଜଣ ଚାଷୀ l ଆଉ ସଫଳ ହୋଇଛନ୍ତି ସମସ୍ତେ ।

banana4ଜି-୯ ପ୍ରଜାତିର କଦଳୀ ଚାଷ କରିବାକୁ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ପ୍ରଧାନ ଚାଷୀଙ୍କୁ ପରାମର୍ଶ ଦେଇଥିଲେ l କଦଳୀ ଚାଷରେ କେତେ ଲାଭ ସେ କଥା ବୁଝାଇ ଥିଲେ । ପ୍ରଥମ ପର୍ଯ୍ୟାୟରେ ଚାଷ କାର୍ଯ୍ୟ ଆରମ୍ଭ କରିଥିବା ୫୮ଜଣ ଚାଷୀଙ୍କୁ ନିୟମିତ କ୍ଷେତ୍ର ପରିଦର୍ଶନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ପ୍ରକଳ୍ପ ପ୍ରଶାସକ l ବିଭିନ୍ନ ସମୟରେ ଚାଷୀଙ୍କୁ ପରାମର୍ଶ ଓ ଅଧିକ ଅମଳ ସହ କଦଳୀ ଚାଷ ସମ୍ବନ୍ଧୀୟ ଜ୍ଞାନ କୌଶଳ ନେଇ ସଚେତନ କରାଯାଇଥିଲା l ଜଣକ ପିଛା ଲଗା ଯାଇଥିବା ୩୦୦ ଚାରାରେ କଦଳୀ ଫଳିବା ପରେ ସହଜରେ ବିକ୍ରି କରି ବେଶ ଲାଭବାନ ହୋଇ ପାରିଛନ୍ତି ଚାଷୀ l କେବଳ ସେତିକି ନୁହେଁ, ପୋଡ଼ଶୀ କଳାହାଣ୍ଡି ବଲାଙ୍ଗିର ଗଞ୍ଜାମ, ରାୟଗଡାରେ ମଧ୍ୟ ଏହି ମୁଣ୍ଡିଗଡ଼ କଦଳୀର ଚାହିଦା ବଢୁଛି l ଜିଲ୍ଲାରୁ ବେପାରୀ ନିଜେ ଆସି କଦଳୀ କିଣି ନେଉଛନ୍ତି l ଯାହା ଫଳରେ ଚାଷୀ ବାହାରକୁ ନଯାଇ ନିଜ ଦୁଆରେ କଦଳୀ ବିକି ରୋଜଗାର କରି ପାରୁଛନ୍ତି ।

bananaaaମୁଣ୍ଡିଗଡ଼ ପଂଚାୟତର ଏହି ୫୮ ଜଣ ଗଣ୍ଡ ଚାଷୀ ଜି-୯ ଅପଗ୍ରେଡେଡ଼ ପ୍ରଜାତିର କଦଳୀ ଚାଷ କରି ବର୍ଷକୁ ୭୦ରୁ ୮୦ ହଜାର ଟଙ୍କା ରୋଜଗାର କରିପାରିଛନ୍ତି l ଏହି କଦଳୀ ଚାଷ ସେମାନଙ୍କର ସ୍ଥାୟୀ ଜୀବିକା ଉପାର୍ଜନର ପନ୍ଥା ପାଲଟିଛି । ଏମାନଙ୍କୁ ଦେଖି ଏବେ ମୁଣ୍ଡିଗଡ଼ ପଂଚାୟତର ୯ଟି ଗାଁର ଚାଷୀ ଚଳିତ ବର୍ଷ କଦଳୀ ଚାଷ କରିଛନ୍ତି l ସେସାରଗାଁ, ଧୁଙ୍ଗିଆ ପଙ୍କାଳ, ଖମଣପଡ଼ା, ମଣ୍ଡଳ ପଦର, ମାଦାପଙ୍କାଳ, ଦୁଡ଼ିପଲ୍ଲୀ, ଛୁଙ୍ଗାପଦର, ବୁଦା କୁଣ୍ଡାଲ ସମେତ ମୁଣ୍ଡୀଗଡ଼ ଭଳି ନଅଟି ଗାଁର ୧୪୦ ଚାଷୀ ଉନ୍ନତ ମାନର କଦଳୀ ଚାଷପାଇଁ ମନ ବଳାଇଛନ୍ତି l ଯାହାକୁ ପୂର୍ବତନ ବିଧାୟକ ମଧ୍ୟ ପ୍ରଶଂସା କରିଛନ୍ତି l ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ବାଲିଗୁଡା ପକ୍ଷରୁ ସବୁ ଚାଷୀଙ୍କୁ ଚାରା, ଚତୁର୍ପାଶ୍ୱରେ ତାରବାଡ଼, କୀଟନାଶକ ଛିଞ୍ଚନ ଯନ୍ତ୍ର ଆଦି ଚାଷୀଙ୍କୁ ମାଗଣାରେ ଦିଆଯାଇଛି l ଚଳିତ ବର୍ଷ ମୋଟ ୧୪୦ ଜଣ ଚାଷୀ ୩୫ ଏକର ଜମିରେ ୪୨ ହଜାର କଦଳୀ ଚାରା ରୋପଣ କରି ସଫଳ ହୋଇଛନ୍ତି l ଏହା ସହିତ ସଂସ୍ଥା ପକ୍ଷରୁ କଦଳୀର ବିକ୍ରିବଟା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.